ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ନିର୍ମିତ ନୂତନ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ଉଦ୍‌ଘାଟିତ

ଭୁବନେଶ୍ୱର, ୨୬/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ନିର୍ମିତ ନୂତନ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦ୍‌ଘାଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ଗଣ୍ଡ ଏପରି ଏକ ସଭାଗୃହର ଆବଶ୍ୟକତା ଥିବା କହିବା ସହ ତୋଷାଳି ଭବନରେ କାର୍ଯ୍ୟ କରୁଥିବା ଅନ୍ୟାନ୍ୟ କାର୍ଯ୍ୟାଳୟମାନେ ମଧ୍ୟ ଦରକାର ହେଲେ ଏହାର ବ୍ୟବହାର କରିପାରିବେ ବୋଲି ପ୍ରକାଶ କରିଥିଲେ । ଆୟୁକ୍ତ ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଏହି ସଭାଗୃହର ଆବଶ୍ୟକତା ଉପରେ ଆଲୋକପାତ କରି କହିଲେ ଯେ ଏଣିକି ଭିନ୍ନକ୍ଷମ ଆୟୁକ୍ତଙ୍କ କୋର୍ଟ କାର୍ଯ୍ୟାଳୟ ତଥା ଭିନ୍ନକ୍ଷମମାନଙ୍କ ପାଇଁ ହେଉଥିବା ବିଭିନ୍ନ ସଭାସମିତି ପାଇଁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ ।

ପରେ ମନ୍ତ୍ରୀ ଶ୍ରୀ ଗଣ୍ଡ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ ବୁଲି ଦେଖିବା ଅବସରରେ ଆୟୁକ୍ତ ଶ୍ରୀମତୀ ହରିଚନ୍ଦନଙ୍କ ସହ ଭିନ୍ନକ୍ଷମମାନଙ୍କ ଉନ୍ନତି ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ଆୟୁକ୍ତଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ସଂକ୍ଷିପ୍ତ ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା । କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର ଦୁଇଜଣ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ନିର୍ଯାତନା ନେଇ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ ଦ୍ୱାରା ଆଗତ ଦୁଇଟି ମାମଲା ଉପରେ ନିଆଯାଇଥିବା ପଦକ୍ଷେପ ଉପରେ ଏହି ବୃତ୍ତଚିତ୍ରଟି ଆଧାରିତ ।

ଏହି ଅବସରରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଅର୍ଥ ପରାମର୍ଶଦାତା ତଥା ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଜୟଶ୍ରୀ ତି୍ରପାଠୀ, ଅତିରିକ୍ତ ସଚିବ ଶ୍ରୀ ଦୀପକ ରାଉତରାୟ, ଉପସଚିବ ଶ୍ରୀ ସନ୍ନ୍ୟାସୀ କୁମାର ବେହେରା, ଅତିରିକ୍ତ ଅର୍ଥ ପରାମର୍ଶଦାତା ତଥା ଉପସଚିବ ଶ୍ରୀମତୀ ସୁଭଦ୍ରା ଜାନି ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର କର୍ତ୍ତବ୍ୟରତ ପଦାଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *