ଆନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ ଙ୍କ ଓଡ଼ିଶା ଗସ୍ତ

କ୍ଷେତ୍ର ପରିଦର୍ଶନ ସହିତ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ସଚିବ ମାନଙ୍କ ସହିତ  ବାତ୍ୟା‘ଦାନା’କ୍ଷୟକ୍ଷତି ଆକଳନ ଏବଂ ସ୍ଥିତି ସଂପର୍କିତ ଆଲୋଚନା

ଭୁବନେଶ୍ୱର, ୨୬/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ଓଡ଼ିଶା ଗସ୍ତରେ ଆସିଥିବା ଭାରତ ସରକାରଙ୍କ ଆନ୍ତଃ ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ ଆଜି ଅପରାହ୍ଣରେ ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଓଡ଼ିଶାରେ ସଂଘଠିତ ହୋଇଯାଇଥିବା ବାତ୍ୟା‘ଦାନା’ ସଂପର୍କିତ କ୍ଷୟକ୍ଷତି ଆକଳନ ଓ ସଦ୍ୟତମ ସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମ ସଚିବ ଶ୍ରୀ ପିକେ ରାଏଙ୍କ ନେତୃତ୍ୱରେ ଆସିଥିବା ଏହି କେନ୍ଦ୍ରୀୟ ଦଳ ଓଡ଼ିଶା ମୁଖ୍ୟଶାସନସଚିବ ଶ୍ରୀ ମନୋଜ ଆହୁଜା,ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନସଚିବ ଶ୍ରୀ ଦେଓରଂଜନ କୁମାର ସିଂଙ୍କ ସମେତ ଓଡିଶା ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭିନ୍ନ ବିଭାଗର ସଚିବଙ୍କ ସହିତ ଆଲୋଚନା କରିଥିଲେ । ଆନ୍ତଃ ମନ୍ତ୍ରାଳୟଟିମ ର ସଦସ୍ୟମାନେ ଗତକାଲି ନଭେମ୍ବର ୨୫ତାରିଖରୁ ଆସି ବାତ୍ୟା ‘ଦାନା’ ପ୍ରଭାବରେ ଅଧିକ ପ୍ରଭାବିତ ହୋଇଥିବା ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାର କ୍ଷୟକ୍ଷତି ସଂପର୍କରେ ଅନୁଧ୍ୟାନ କରିଥିଲେ।

          ଆଜି ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମୁଖ୍ୟ ସାଧାରଣ ପରିଚାଳକ ଡଃ.କମଳ ଲୋଚନ ମିଶ୍ର ବାତ୍ୟା ‘ଦାନା’ କ୍ଷୟକ୍ଷତି ସଂପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ବାତ୍ୟାର ମୁକାବିଲା ପାଇଁ ରାଜ୍ୟସରକାରଙ୍କ ତରଫରୁ ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଆଲୋକପାତ କରିଥିଲେ । ବାତ୍ୟା ପୂର୍ବରୁ କିଭଳି ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର  ରାଜସ୍ୱ ମନ୍ତ୍ରୀ, ଅନ୍ୟ ସଂପୃକ୍ତ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଏବଂ ସଚିବମାନଙ୍କ ଦ୍ୱାରା ବିଭିନ୍ନ ବିଭାଗର ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା, ସେ ସଂପର୍କରେ ଉପସ୍ଥାପନ କରିବା ସହ ଜିଲ୍ଲା ସ୍ତରରେ ପ୍ରସ୍ତୁତି, ବାରଂବାର ସମୀକ୍ଷା ବୈଠକ, ଜିଲ୍ଲାମାନଙ୍କୁ ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ବିଭାଗର ଟିମ୍ ମୁତୟନ ଠାରୁ ଆରମ୍ଭ କରି ବାତ୍ୟା ପ୍ରଭାବିତ ଅଂଚଳରେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ, ରିଲିଫ ପରିଚାଳନା, ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ପୁନର୍ନିମାଣ କାର୍ଯ୍ୟ ସଂପର୍କରେ ଡଃ. ମିଶ୍ର କେନ୍ଦ୍ରୀୟ ଟିମ୍ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

          ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ  ବାତ୍ୟା ପରିପ୍ରେକ୍ଷୀରେ ଜଳ ସଂପଦ ବିଭାଗ ତରଫରୁ କରାଯାଇଥିବା ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରିବା ସହିତ ଆଗାମୀ ଦିନରେ ଓଡ଼ିଶାର ସୁଦୀର୍ଘ ସାମୁଦ୍ରିକ ଉପକୂଳକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ପାଇଁ ଅଗ୍ରାଧିକାର ଭିତ୍ତିରେ ଲୁଣାବନ୍ଧ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିବା ସଙ୍ଗେ ସଙ୍ଗେ ରାଜ୍ୟର ବିପର୍ଯ୍ୟୟ ଭିତ୍ତିଭୂମି ସୁଦୃଢ଼ ପାଇଁ ପଦକ୍ଷେପ ସଂପର୍କରେ ପ୍ରକାଶ କରିଥିଲେ ।

          ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ  ସଚିବମାନେ ଯୋଗଦେଇ ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମ୍ୟଉନ୍ନୟନ ରାସ୍ତା ଓ ସେସବୁର ମରାମତି,  ବିଦ୍ୟୁତ ଖୁଣ୍ଟ ନଷ୍ଟ ଓ ବିଦ୍ୟୁତ ପୁନଃ ସଂସ୍ଥାପନ, ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ କ୍ଷତିଗ୍ରସ୍ତ, ଫସଲ କ୍ଷୟକ୍ଷତି, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ତରଫରୁ କ୍ଷୟକ୍ଷତି ଆଦି ସଂପର୍କରେ ଅବଗତ କରିବା ସହ ଅନ୍ୟ କ୍ଷୟକ୍ଷତି ସଂପର୍କରେ ବିଶଦ୍ ଆଲୋଚନା କରିଥିଲେ ।

          ମୁଖ୍ୟଶାସନସଚିବ ଶ୍ରୀ ଆହୁଜା କହିଥିଲେ ଯେ, ପାଣିପାଗ ବିଭାଗର ଆକଳନ ଅନୁସାରେ ଆମେ ଚଳିତ ବାତ୍ୟାରେ ପବନର ବେଗ ୧୦୦ରୁ୧୨୦କି.ମି. ପ୍ରତି ଘଣ୍ଟା ବେଗକୁ ମୁକାବିଲା କରିବାପାଇଁ ପ୍ରସ୍ତୁତ ରହିଥିଲୁ। ଓଡ଼ିଶା ପାଇଁ ଏହାଠାରୁ ଯଥେଷ୍ଟ ଅଧିକ ତୀବ୍ର ବେଗର ପବନ ସହିବା ଭଳି ସହନଶୀଳ ସ୍ଥାୟୀ ସୁଦୃଢ଼ ଭିତ୍ତିଭୁମି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି।ଏଥିପାଇଁ ସହଯୋଗ ନିମନ୍ତେ ସେ ଆନ୍ତଃମନ୍ତ୍ରାଳୟ ଟିମ ର ସହଯୋଗ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ଆନ୍ତଃମନ୍ତ୍ରାଳୟଟିମ ର ମୁଖ୍ୟ ଶ୍ରୀ ରାୟ ବାତ୍ୟା‘ଦାନା’ମୁକାବିଲା ପ୍ରସ୍ତୁତି ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟରେ ଓଡ଼ିଶାର କାର୍ଯ୍ୟକୁ ପ୍ରଶଂସା କରିଥିଲେ।

                   ପ୍ରକାଶ ଥାଉକି, ଏହି ବୈଠକ ପୂର୍ବରୁ ଆଜି ଅପରାହ୍ଣରେ ଆନ୍ତଃ-ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ସହିତ ଆଲୋଚନା କରିଥିଲେ ।

-0-

ପଠାଣି ରାଉତ ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *