ରଥ ଗଢା ଅନ୍ତିମ ପର୍ଯ୍ୟାୟରେ-   ଶ୍ରୀକ୍ଷେତ୍ରରୁ ଆସିବ ଆଜ୍ଞାମାଳ ଓ ପାଟପତନି – ୧୬ ରେ ହେବ କପିଳେଶ୍ୱର ଙ୍କ ବିଜୟାରଥ ଯାତ୍ରା

ନିରାକାରପୁର, ୧୪/୦୪/୨୦୨୪ (ଓଡ଼ିଶା ସମାଚାର)- ଚୈତ୍ର ଶୁକ୍ଳପକ୍ଷ ଅଷ୍ଟମୀରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଡିଆ ଗ୍ରାମ ରେ ଥିବା କପିଳେଶ୍ୱର ଙ୍କ ଅଶୋକାଷ୍ଟମୀ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଦ୍ବାଦଶୀ ତିଥିରେ କପିଳେଶ୍ୱର ଙ୍କ ବିଜୟାରଥ ନିଶାର୍ଦ୍ଧ ସମୟରେ ଓ ଗହୀର ମଧ୍ୟରେ ଟଣାଯାଇ ଥାଏ। ଏହି ପରମ୍ପରା ବହୁ ପୁରାତନ। ଚଳିତ ବର୍ଷ  ଶ୍ରୀ ଜୀଉଙ୍କ ରଥ ନିର୍ମାଣ  କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟ ରେ ପହଞ୍ଚି ଯାଇଛି। ରଥ ଯାତ୍ରା ପାଇଁ ୧୫ ତାରିଖ ରେ  ଶ୍ରୀକ୍ଷେତ୍ରରୁ ଆଜ୍ଞାମାଳ ଆଣିବା ପାଇଁ ଟାଙ୍ଗୀ ତହସିଲଦାର ଓ କମିଟିର ଜଣେ ସଦସ୍ୟ ଯିବାର କାର୍ଯ୍ୟକ୍ରମ ରହିଛି। ୧୬ ତାରିଖ ଅଷ୍ଟମୀ ଦିନ ପୂର୍ବାହ୍ନ ରେ ରଥ ପ୍ରତିଷ୍ଠା ପରେ  ଶ୍ରୀ କପିଳେଶ୍ୱର ଙ୍କ ଦ୍ବାରା ଆମନ୍ତ୍ରିତ ହୋଇ ଅପରାହ୍ନ ସୁଦ୍ଧା ଆରେଡି ଗ୍ରାମବାସୀ ଙ୍କ ଦ୍ବାରା ପଟୁଆର ରେ କପିଳେଶ୍ୱର ଙ୍କ ବଡ଼ଭାଇ ଗ୍ରାମେଶ୍ବର ଦେବ ଓ ଭାଉଜ ଗ୍ରାମେଶ୍ବରୀ ଆସି ମଣ୍ଡପ ରେ ବିଜେ କରିବେ। ଏହାପରେ ନିଜ ମନ୍ଦିର ରୁ ଶ୍ରୀ କପିଳେଶ୍ୱର ଦେବ ଓ ମା ପାର୍ବତୀ ଆସି ଉକ୍ତ ମଣ୍ଡପରେ ବିଜେ କରି ପୂଜା ନୀତି ସଂପନ୍ନ ପରେ ଗ୍ରାମବାସୀ ଙ୍କ ଦ୍ବାରା ଚୁଡାଘସା ଲାଗି ହେବ।ପରେ ଚାରି ଠାକୁର ପହଣ୍ଡି ହୋଇ ରଥାରୂଢ଼ ହେବେ। ଏହା ପରେ ଶ୍ରଦ୍ଧାଳୁମାନେ ରଥକୁ ଟାଣି ଟାଣି ପଣା କିଆରୀ ପଯ୍ୟନ୍ତ ନେବେ। ନବମୀ ସଂଧ୍ୟାରେ ଠାକୁର ମାନଙ୍କୁ ରଥରୁ ଗୁଣ୍ଡିଚା ମନ୍ଦିରକୁ ନିଆ ଯିବ। ଦଶମୀ ରେ ଚାରି ଭଉଣୀ ମା ସରସ୍ବତୀ, ଲକ୍ଷ୍ମୀ,କାଳୀ, ନାରାୟଣୀ ଆସି ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଅଭିମାନ ରେ ରଥର ଏକ ଅଂଶ କୁ ଭାଙ୍ଗି ନିଜ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଏକାଦଶୀ ରେ ରଥର ଦିଗ ପରିବର୍ତ୍ତନ କରାଯିବ। ପରେ ୨୦ ତାରିଖ ଦ୍ଵାଦଶୀ ରେ ଠାକୁର ମାନେ ଗୁଣ୍ଡିଚା ମନ୍ଦିରରୁ ବାହାରି ଗ୍ରାମ ରେ ଭୋଗ ଖାଇ ରଥାରୂଢ଼ ହେବେ।  ପରିଚାଳନା କମିଟି ତରଫରୁ ଠାକୁରମାନଙ୍କ ପାଖରେ ସ୍ବତନ୍ତ୍ର ପଣା ଲାଗି ହେବା ସହିତ ନିଶାର୍ଦ୍ଧ ସମୟରେ ଗହୀର ବିଲରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ରଥକୁ ଟାଣି ଟାଣି ନେଇ ଭେଟବାଲି ନିକଟରେ ପହଞ୍ଚାଇବେ। ଏଠାରେ ସ୍ଥାନୀୟ ଗୋପାଳ ଙ୍କ ଦ୍ବାରା ସ୍ବତନ୍ତ୍ର ପଣା ଲାଗି କରାଯିବ। ଏହାପରେ ପୁଣିଥରେ ରଥକୁ ଟାଣି ଟାଣି ମନ୍ଦିର ପଯ୍ୟନ୍ତ ନିଆଯାଇ ଅପରାହ୍ନ ରେ ଠାକୁର ମାନେ ନିଜ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଏହି ଅବସରରେ ପୁରୀ ଗଜପତିଙ୍କ ଦ୍ବାରା ନିୟୋଜିତ ଦଳବେହେରା ଙ୍କୁ ଶିରପା ପ୍ରଦାନ କରାଯାଇଥାଏ।ଡିଆ, ନିରାକାର ପୁର, ରାମେଶ୍ବର ପଂଚାୟତ ସମେତ ପାଖ ଆଖ ଅଂଚଳ ରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଏହି ରଥଯାତ୍ରା ଦେଖିବାକୁ ଆସିଥାନ୍ତି। ଏହି ୫ ଦିନିଆ ରଥଯାତ୍ରା ରେ ଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ନିରାକାର ପୁର ପୋଲିସ ମୃତୟନ ହୋଇଥାନ୍ତି। ପରିଚାଳନା କମିଟି ର ସମସ୍ତ କର୍ମକର୍ତ୍ତା, ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରନ୍ତି ବୋଲି ସଭାପତି କିଶୋର କୁମାର ଦାଶ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *