କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ସମୀକ୍ଷା ବୈଠକ

କେନ୍ଦ୍ରାପଡ଼ା, ୩୦/୧୧/୨୦୨୩ (ଓଡ଼ିଶା ସମାଚାର)- ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ ଜିଲା କାର୍ଯ୍ୟାଳୟର ସମସ୍ତ ବିଭାଗ, ସମସ୍ତ ୯ଟି ପଂଚାୟତ ସମିତି ଓ ତହସିଲ୍ କାର୍ଯ୍ୟାଳୟର କାର୍ଯ୍ୟକୁ ସମୀକ୍ଷା କରିଥିଲେ । ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଅତିରିକ୍ତ ଜିଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲାପାଳ (ସାଧାରଣ) ପୀତାମ୍ବର ସାମଲ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାର ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲାପାଳ ରବିନ୍ଦ୍ର କୁମାର ପ୍ରଧାନ ସ୍ୱାଗତ ଜଣାଇଥିଲେ । ଆଜି ପର୍ଯ୍ୟନ୍ତ ସଂକ୍ଷିପ୍ତ ଭୋଟର୍ ତାଲିକା ସଂଶୋଧନରେ କେତେଜଣ ୧୮ ବର୍ଷରୁ ଉଦ୍ଧ୍ୱର୍ ସାବାଳକ ଅନ୍ ଲାଇନ୍ ମାଧ୍ୟମରେ ପଞ୍ଜିକରଣ କରି ଭୋଟର୍ ତାଲିକାରେ ନାମ ଦରଜ କରିଛନ୍ତି କିମ୍ବା ସଂଶୋଧନ କରିଛନ୍ତି ତା’ଉପରେ ସମୀକ୍ଷା କରିଥିଲେ । ସଂକ୍ଷିପ୍ତ ସଂଶୋଧନର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଯେତିକି ବାଦ୍ ପଡ଼ିଛନ୍ତି ସେମାନଙ୍କୁ ବୁଥ୍ ୱାଇଜ୍ ଅଙ୍ଗନୱାଡ଼ି କର୍ମୀ, ବିଏଲଓମାନେ ଘରକୁ ଘର ବୁଲି ସର୍ଭେ କରିବାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ୨୦୨୦-୨୧ ଓ ୨୦୨୧-୨୨ ମସିହାରେ ମାଟ୍ରିକ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ସଂକ୍ଷିପ୍ତ ଭୋଟର୍ ତାଲିକା ସଂଶୋଧନରେ ନାମ ପଞ୍ଜିକରଣ କରିଛନ୍ତି କି ନାହିଁ ଜାଣିବା ପାଇଁ ଜିଲା ଶିକ୍ଷା ଅଧିକାରୀଙ୍କ ସହ ପରାମର୍ଶ କରି ରିପୋର୍ଟ ଦେବାକୁ ସେ କହିଥିଲେ । ଜିଲା ପରିଷଦ ଅଧୀନରେ ୨୦୧୯ ମସିହାଠାରୁ ୨୦୨୩-୨୪ ଆର୍ଥିକ ବର୍ଷରେ ଅଟକଳ ପ୍ରକଳ୍ପରୁ ୨୯୮ଟି ସମ୍ପୂର୍ଣ୍ଣ ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ ଘର, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ୫-ଟି ହାଇସ୍କୁଲ ରୂପାନ୍ତରଣ, ଧାର୍ମିକ ସମ୍ପ୍ରଦାୟର ବିଭିନ୍ନ ଅନୁଷ୍ଠାନ, ଅଙ୍ଗନୱାଡ଼ି ଗୃହନିର୍ମାଣ, ଆମ ଓଡ଼ିଶା ନବୀନ ଓଡ଼ିଶା, ଏମପି ଲ୍ୟାଡ୍ ଏବଂ ଏମଏଲଏ ଲ୍ୟାଡ୍ ବିଷୟରେ ସମୀକ୍ଷା କରିଥିଲେ । ଜିଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବାଣୀଶ୍ରୀ ବୃତି, ସୁମଙ୍ଗଳ ଯୋଜନାରେ ବିବାହ ପ୍ରୋତ୍ସାହନ ରାଶି, ବାର୍ଦ୍ଧକ୍ୟ ଭତାର କାର୍ଯ୍ୟ ସମୀକ୍ଷା କରିଥିଲେ । ୨୦୨୪ ମସିହା ଜାନୁଆରୀ ୫ ତାରିଖରୁ ଆରମ୍ଭ ହେବାକୁ ଥିବା ଧାନ ସଂଗ୍ରହ ଓ ପିଡିଏସ୍ ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣ କାର୍ଯ୍ୟକୁ ସୁନିଶ୍ଚିତ କରିବାକୁ ଜିଲା ବେସାମରିକ ଯୋଗାଣ ଅଧିକାରୀଙ୍କୁ ରାଜସ୍ୱ ଆୟୁକ୍ତ ପରାମର୍ଶ ଦେଇଥିଲେ । ଜିଲା ସମାଜ ମଙ୍ଗଳ ବିଭାଗ, ମିଶନ ଶକ୍ତି ଓ ଜିଲା ଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କ ଜନମଙ୍ଗଳକାରୀ କାର୍ଯ୍ୟକ୍ରମକୁ ସେ ସମୀକ୍ଷା କରିଥିଲେ । ବିଭାଗ ପକ୍ଷରୁ ଅନୁମୋଦିତ ୨୬୭ଟି ମିଶନ ଶକ୍ତି ଗୃହ ନିର୍ମାଣ ମଧ୍ୟରୁ ୨୩୭ଟି ଗୃହ ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ୧୧ଟି ମିଶନଶକ୍ତି-କାଫେ ଜିଲାରେ କାର୍ଯ୍ୟକାରୀ ହେଉଛି ବୋଲି ରାଜସ୍ୱ ଆୟୁକ୍ତଙ୍କୁ ସମୀକ୍ଷା ବୈଠକରେ ଅବଗତ କରାଯାଇଥିଲା । ତହସିଲ୍ କାର୍ଯ୍ୟାଳୟ ଗୁଡ଼ିକର କାର୍ଯ୍ୟକୁ ସମୀକ୍ଷା କରି ୨୦୨୩-୨୪ ମସିହା ଆର୍ଥିକ ବର୍ଷରେ ଅଧିକ ରାଜସ୍ୱ ଆଦାୟ ପାଇଁ ଗୁରୁତ୍ୱାରୋପ କରିବାକୁ ତହସିଲଦାରମାନଙ୍କୁ ସେ ନିର୍ଦ୍ଧେଶ ଦେଇଥିଲେ । ଓଏଲଆର୍ ୧୯(୧)-ସି କଂଟେଷ୍ଟେଡ୍ ଏବଂ ନନ୍ କଂଟେଷ୍ଟେଡ୍ ମ୍ୟୁଟେସନ୍ କେସ୍, ଲିଗାଲ୍ ହେୟାର, ପଡ଼ି ରହିଥିବା ବେବନ୍ଦୋବସ୍ତ ମାମଲାର ଫଇସଲା, ଗ୍ରାମ୍ୟର ପରିସୀମା ଚିହ୍ନଟିକରଣ, ମିସଲାନିଅସ୍ କେସ୍, ଲଘୁ ଖଣିଜ ସମ୍ପଦରୁ ରାଜସ୍ୱ ଆଦାୟ ଓ ଏହାର ଚୋରା ଚାଲଣ ରୋକିବାକୁ ବଳିଷ୍ଠ ପଦକ୍ଷେପ ନେବାକୁ ସେ ତହସିଲଦାର୍ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଗୃହ ନିର୍ମାଣ ତଥା ନୂତନ ଆରଆଇ ସର୍କଲ୍ ର ଆବାସିକ ଗୃହ ନିର୍ମାଣ ମଧ୍ୟ ସମୀକ୍ଷା କରିଥିଲେ । ୨୦୨୩ ମସିହା ଅକ୍ଟୋବର ମାସ ସୁଦ୍ଧା ୬୪୫ଟି ଏନଫୋରସମେଂଟ୍ କେସ୍ ରୁ ଜୋରିମାନା ବାବଦକୁ ୨୦ଲକ୍ଷ ୨୪ ହଜାର ୪୯ଟଙ୍କା ଆଦାୟ ହୋଇଥିଲା ବେଳେ ରୟାଲଟି ବାବଦକୁ ୫୧ ହଜାର ୪୨୪ଟଙ୍କା ଆଦାୟ ହୋଇଛି ବୋଲି ରାଜସ୍ୱ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ବୈଠକରେ ସମସ୍ତ ବିଡିଓ, ତହସିଲଦାର୍, ଜିଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *