ଭୁବନେଶ୍ୱର,୨୫/୧୧/୨୦୨୪ (ଓଡ଼ିଶା ସମାଚାର)- ଆମ ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସରକାର ଆଦୌ ଗୁରୁତ୍ୱ ଦେଉନାହାଁନ୍ତି । ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଭିତିଭୂମିର ବିକାଶ କରୁନାହାଁନ୍ତି, ଖାଲି ପଡ଼ିଥିବା ଶିକ୍ଷକ ପଦବୀରେ ନିୟମିତ ଶିକ୍ଷକ ନିଯୁକ୍ତି କରୁନାହାଁନ୍ତି । ଠିକା, ଚୁକ୍ତି/ସ୍କିମାଟିକ ନିଯୁକ୍ତି କରି ଉଚ୍ଚଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଶୋଷଣ କରୁଛନ୍ତି । କମ୍ ଟଙ୍କା ପାରିତୋଷିକ ଦେଇ ଛଅବର୍ଷ ସେମାନଙ୍କୁ କାର୍ଯ୍ୟ କରାଉଛନ୍ତି । ପ୍ରାଥମିକ ଶିକ୍ଷକମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଥିଲେ ମଧ୍ୟ ସେହି ଦାବିଗୁଡ଼ିକ ସରକାର ପୂରଣ କରୁନାହାଁନ୍ତି । ତେଣୁ ଶିକ୍ଷକମାନଙ୍କ ମନରେ ଅସନ୍ତୋଷ ବଢିବାରେ ଲାଗିଛି । ଆମ ଦେଶର ୨୨ଟି ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ (୩୫,୪୦୦ ଟଙ୍କା) ମୂଳ ଦରମା ଦିଆଯାଉଥିବା ବେଳେ ଆମ ରାଜ୍ୟରେ ଏହାର ବ୍ୟତିକ୍ରମ ଦେଖାଦେଇଛି ।
୨୦୨୨ ମସିହାରେ ସବୁ ବିଭାଗରୁ ଠିକା ନିଯୁକ୍ତି ଉଠାଇ ୫୭ ହଜାର କର୍ମଚାରୀଙ୍କୁ ୬ଟି ନୋସନାଲ ଇନକ୍ରିମେଂଟ ଦେଇ ନିୟମିତ କରାଯାଇଥିବା ବେଳେ ପ୍ରାଥମିକ ଶିକ୍ଷାରୁ ନା ଉଠିଲା ସ୍କିମାଟିକ ନିଯୁକ୍ତି ନା ସେମାନଙ୍କର ଛଅବର୍ଷ ମୂଳ ଚାକିରିରେ ଗଣାଗଲା । ୨୦୧୯ ମସିହାରେ କ୍ୟାଡ଼ର ନିୟମ ସଂଶୋଧନ ନାମରେ ଶିକ୍ଷକମାନଙ୍କୁ ବହୁ ଭାଗରେ ବିଭକ୍ତ କରି ଶିକ୍ଷକମାନଙ୍କ ପଦମର୍ଯ୍ୟାଦା କ୍ଷୁର୍ଣ୍ଣ କରାଗଲା । ୨୦୨୦ ମସିହାରୁ ୨୦୨୩ ଅକ୍ଟୋବର ମାସ ପର୍ଯ୍ୟନ୍ତ ପଦୋନ୍ନତି ଠିକ୍ ଭାବରେ ଚାଲିଥିଲା ବେଳେ ପ୍ରାଥମିକ ଶିକ୍ଷା ନିର୍ଦ୍ଧେଶକ କ୍ୟାଡ଼ର ନିୟମକୁ ଭୁଲ୍ ଦର୍ଶାଇ ଯେଉଁମାନେ ୨୦୧୧ ପୂର୍ବରୁ ନିଯୁକ୍ତି ଓ ୨୦୧୧ ପରେ ସ୍ନାତକ କରିଛନ୍ତି, ସେମାନଙ୍କ ପଦୋନ୍ନତି ପାଇଁ ଓଟିଇଟି-୨ ଦରକାର ବୋଲି ନିର୍ଦ୍ଧେଶନାମା ଜାରି କରିଥିବାରୁ ବର୍ତମାନ ବହୁ ଶିକ୍ଷକ ପଦୋନ୍ନତି ପାଇପାରୁ ନାହାଁନ୍ତି । ୧୯୯୭ ମସିହା କ୍ୟାଡ଼ର ନିୟମ ଅନୁଯାୟୀ ପ୍ରାଥମିକ ଶିକ୍ଷକମାନଙ୍କର ମୋଟ ପଦବୀ ଥିଲା ୧ ଲକ୍ଷ ୩୬ ହଜାର ୬୬୯ କିନ୍ତୁ ୨୭ ବର୍ଷ ପରେ ବିଦ୍ୟାଳୟ ଓ ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ହୋଇଥିଲେ ମଧ୍ୟ ସରକାର ପ୍ରାଥମିକ ଶିକ୍ଷକ ପଦବୀ ଗୋଟିଏ ହେଲେ ବୃଦ୍ଧି କରିନାହାଁନ୍ତି । ୨୦୨୨ ମସିହାରେ ବିଭିନ୍ନ ଦାବିରେ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନ କରୁଥିବା ବେଳେ ବର୍ତମାନର ମୁଖ୍ୟମନ୍ତ୍ରୀ ଓ ତତ୍କାଳୀନ ବିରୋଧୀ ଦଳର ମୁଖ୍ୟ ସଚେତକ ସେହି ଆନ୍ଦୋଳନକୁ ଆସି ତାଙ୍କ ଦଳ ଶାସନକୁ ଆସିଲେ ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଠାଇବେ, ସମସ୍ତ ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଓ ସମସ୍ତଙ୍କୁ ପୁରୁଣା ପେନସନ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାଙ୍କ ସରକାର ଶାସନକୁ ୬ ମାସ ବିତିଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକମାନଙ୍କର ଦାବି ପୂରଣ କରିବାରେ ସରକାର ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି । ପ୍ରାଥମିକ ଓ ସ୍କିମାଟିକ ଶିକ୍ଷକମାନଙ୍କୁ ୫୦୦ରୁ ୮୦୦କି.ମି ଦୂରତାରେ ନିଯୁକ୍ତି ଦିଆଯାଇଥିବାରୁ ସେମାନେ ମାନସିକ ଅଶାନ୍ତିରେ ଶିକ୍ଷାଦାନ କରୁଛନ୍ତି । ତେଣୁ ନାହିଁ ନାହିଁରେ ଚାଲିଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବୋଲି ପ୍ରାଥମିକ ଶିକ୍ଷକ ସଂଘ, ଓଡ଼ିଶା (ପିଷ୍ଟା) ଅଭିଯୋଗ କରିଛି ।
ସୋମବାର ମଧ୍ୟାହ୍ନ ୧୨ଘଟିକା ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ମହୋଦୟଙ୍କ ସହିତ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା, ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ, କାର୍ଯ୍ୟକାରୀ ସଭାପତି ଶ୍ରୀକାନ୍ତ ବାରିକ ପ୍ରମୁଖ ଭି(ଏ) ପଦରେ ଥିବା ଶିକ୍ଷକମାନଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା, ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ ନିଯୁକ୍ତି ବାତିଲ, ସ୍କିମାଟିକ ଶିକ୍ଷକମାନଙ୍କୁ ତୁରନ୍ତ ନିୟମିତ କରିବା, ଶିକ୍ଷକମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା କରିବା, ପୁରୁଣା ପେନସନ ଲାଗୁ କରିବା, ଆନ୍ତଃଜିଲା ବଦଳିରେ ଅନ୍ୟ ବିଭାଗର ସ୍ପାଉସ୍ ଓ ଭିନ୍ନକ୍ଷମ ଶିକ୍ଷକମାନଙ୍କୁ ଅଗ୍ରାଧିକାର ଓ ଅନ୍ୟ ଶିକ୍ଷକଙ୍କ ପାଇଁ ଏକ ସ୍ୱତନ୍ତ୍ର ବଦଳି ନିୟମ, ଶିକ୍ଷକମାନଙ୍କୁ ଅଣଶିକ୍ଷା କାର୍ଯ୍ୟରୁ ମୁକ୍ତ କରିବା, କ୍ୟାଡ଼ର ନିୟମ ସଂଶୋଧନ କରିବା, ପ୍ରାଥମିକ ଶିକ୍ଷକମାନଙ୍କୁ ୩୦ ଦିନ ଇଏଲ୍ ଓ ୨୦ଦିନ ସିଏଲ୍ ପ୍ରଦାନ କରିବା ଓ ପାଳନୀୟ ଦିବସଗୁଡ଼ିକୁ ଛୁଟି ଦିବସରୁ ବାଦ ଦେବା, ଜିଲା ଭିତର ବଦଳି କରିବା ଓ ମୁ୍ୟନିସିପାଲିଟି କର୍ପୋରେସନ, ମୁ୍ୟନିସିପାଲିଟି, ବିଜ୍ଞାପିତ ପରିଷଦରେ ପ୍ରଶାସନିକ ପରିଚାଳନା ନିମନ୍ତେ ଅଧିକ ଶିକ୍ଷାଧିକାରୀ ଓ ସହ ଶିକ୍ଷାଧିକାରୀ ନିଯୁକ୍ତି କରିବା ଆଦି ଦଶଦଫା ଦାବି ନେଇ ଆଲୋଚନା କରିଥିଲେ । ସଚିବ ମହୋଦୟା ଏହାକୁ ଉପରସ୍ତରକୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଲେ ଏବଂ ଶିକ୍ଷକମାନଙ୍କ ସମସ୍ୟାର ସମାଧାନ କରିବାକୁ ନୂଆ ସରକାରଙ୍କୁ ସମୟ ଲାଗିବ ବୋଲି କହିଥିଲେ । ସରକାର ତୁରନ୍ତ ଦାବି ପୂରଣ ନକଲେ ନିଶ୍ଚିତ ଭାବେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ଚେତାବନୀ ଦେଇଛି ।
ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଗଣଶିକ୍ଷା ସଚିବଙ୍କ ସହିତ ଆଲୋଚନା
