ଭୁବନେଶ୍ୱର,୨୫/୧୧/୨୦୨୪ (ଓଡ଼ିଶା ସମାଚାର)- ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଦେଢଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମୁଖ୍ୟ ଦାବି ବିଷୟରେ ଅଲ୍ ଓଡ଼ିଶା ପ୍ରାଇମେରୀ ଶିକ୍ଷକ ସଂଘ (ନୂତନ ପେନସନଭୁକ୍ତ)ର ଗୁରୁତ୍ୱପୂର୍ଣ୍ଣ ଦାବି ବିଷୟରେ ସୋମବାର ଦିବା ୧୨.୪୫ ମିନିଟ୍ ସମୟରେ ଲୋକସେବା ଭବନରେ ଗଣଶିକ୍ଷା ସଚିବଙ୍କ ପ୍ରକୋଷ୍ଠରେ ଗଣଶିକ୍ଷା ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଗଣଶିକ୍ଷା ନିର୍ଦ୍ଧେଶକ ଶ୍ରୀଯୁକ୍ତ ଜ୍ୟୋତିରଞ୍ଜନ ମିଶ୍ର, ସ୍ୱତନ୍ତ୍ର ସଚିବ ଯଦୁନାଥ ପଟ୍ଟନାୟକ ଓ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ଶିକ୍ଷକଙ୍କ ପାଇଁ ଉଦ୍ଧିଷ୍ଟ ମାଟ୍ରିକ ସିଟି ପୋଷ୍ଟରୁ +୨ ସିଟି ପୋଷ୍ଟକୁ ଅପଗ୍ରେଡ଼ କରିବା ସହିତ ୪୨୦୦ ଗ୍ରେଡ୍ ପେ ବା ଓଆରଏସପି ନିୟମ-୨୦୧୭ ପ୍ରକାରେ ମୂଳ ଦରମା ବା ଲେବୁଲ୍-୯ରେ ୩୫,୪୦୦ ଟଙ୍କାରେ ଦରମା ପ୍ରଦାନ ଏବଂ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ନିଯୁକ୍ତି ଉଚ୍ଛେଦ ସହିତ ୬ ବର୍ଷ ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରିବା, ପଦୋନ୍ନତିକୁ ସରଳୀକରଣ କରି କାର୍ଯ୍ୟରେ ତ୍ୱରାନ୍ୱିତ କରିବା ସହିତ ପୁରୁଣା ପେନସନ ପୁନଃ ପ୍ରଚଳନ କରିବା ଆଦି ଦୁଇଦଫା ଦାବି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା ପରେ ଗଣଶିକ୍ଷା ସଚିବ ସରକାରଙ୍କ ସହିତ ଏ ବିଷୟରେ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଉକ୍ତ ଦୁଇଦଫା ଦାବି ଅବିଳମ୍ବେ ପୂରଣ କରିବାକୁ ରାଜ୍ୟସଂଘ ତରଫରୁ ଗଣଶିକ୍ଷା ସଚିବଙ୍କୁ ଅନୁରୋଧ କରାଯାଇଥିଲା । ଯଦି ଦୁଇଦଫା ଦାବିକୁ ପୂରଣ କରାଯିବାରେ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରନ୍ତି, ତେବେ ଆଗାମୀ ଦିନରେ ସମସ୍ତ ଏନପିଏସ୍ ବର୍ଗର ଶିକ୍ଷକସଂଘ ମାନଙ୍କୁ ଏକାଠି କରି ତୃଣମୂଳସ୍ତରରୁ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ରାଜ୍ୟ ସଭାପତି ସୁଶାନ୍ତ କୁମାର ବେହେରା ଏବଂ ସମ୍ପାଦକ ବଙ୍କିମ ଚନ୍ଦ୍ର ସାଗର ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉତମ କୁମାର ଦାସ, ଜାମିନୀକାନ୍ତ ପଣ୍ଡା, ସୁରେନ୍ଦ୍ର ରାଉତ, ସୋମନାଥ ଗରଡ଼, ରମେଶ ଚନ୍ଦ୍ର ବେହେରା, ଗୋପାଳ ସ୍ୱାଇଁ, ରଘୁନାଥ ପୁରୀ, ପଦ୍ମଲୋଚନ ନାୟକ, ସନ୍ଦୀପ୍ତ ନାୟକ, କବିତା ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ବିଭିନ୍ନ ଦାବି ବିଷୟରେ ଗଣଶିକ୍ଷା ସଚିବଙ୍କ ଗୁରତ୍ୱପୂର୍ଣ୍ଣ ଆଲୋଚନା
