କଲେଜ୍ ଅଫ ବେସିକ୍ ସାଇନ୍ସ ଆଣ୍ଡ୍ ହୁ୍ୟମାନିଟିଜର ହୀରକ ଜୟନ୍ତୀ ପାଳିତ

ଆଗାମୀ ସମୟ ପାଇଁ ଶୈକ୍ଷିକ ଉତ୍କର୍ଷତା, ବୈଜ୍ଞାନିକ ଭାବନା ଏବଂ ମାନବିକ ମୂଲ୍ୟବୋଧର ଆଲୋକବର୍ତ୍ତିକା ହେବାକୁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର,୧୬/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଗାମୀ ସମୟ ପାଇଁ ଅଧ୍ୟାପକ, ଛାତ୍ର ଓ ପୂର୍ବତନ ଛାତ୍ର ସମାଜ ଶୈକ୍ଷିକ ଉତ୍କର୍ଷତା, ବୈଜ୍ଞାନିକ ଭାବନା ଏବଂ ମାନବିକ ମୂଲ୍ୟବୋଧର ଆଲୋକବର୍ତ୍ତିକା ହେବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି । ଚଳିତ ଅପ୍ରେଲ ୧୬ ତାରିଖ ଦିନ ଓୟୁଏଟି (ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ)ର କୃଷି ଶିକ୍ଷା ସଦନ ଅଡିଟୋରିୟମଠାରେ ଓୟୁଏଟି ଅଧିନସ୍ଥ କଲେଜ୍ ଅଫ ବେସିକ ସାଇନ୍ସ୍ ଆଣ୍ଡ ହୁ୍ୟମାନିଟିଜ୍ର ହୀରକ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି ।

ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଷାଠିଏ ବର୍ଷ ଧରି ବିଜ୍ଞାନ ଏବଂ ଅନ୍ୟାନ୍ୟ ମୌଳିକ ବିଷୟଗୁଡ଼ିକ ଯୁବମାନସରେ ପ୍ରତିଫଳିତ କରାଇବାରେ ଏହି ଅନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହା ଅଗଣିତ ଛାତ୍ରଛାତ୍ରୀଙ୍କ ପାଇଁ ଶୈକ୍ଷିକ ଭିତ୍ତିଭୂମି ସ୍ଥାପନ କରିଛି, ଯେଉଁମାନେ ଗବେଷଣା, ଶିକ୍ଷାଦାନ, ପ୍ରଶାସନ ତଥା ଅନ୍ୟାନ୍ୟ କ୍ଷେତ୍ରରେ ଅର୍ଥପୂର୍ଣ୍ଣ ଅବଦାନ ରଖିଛନ୍ତି ।

ଛଅ ଦଶନ୍ଧିର ଯାତ୍ରା କେବଳ ପାଳନ ପାଇଁ ମାଇଲଖୁଂଟ ନୁହେଁ, ବରଂ ଦେଶ ପାଇଁ ସାମଗ୍ରିକ ମାନବ ସମ୍ବଳ ଗଠନ କରିବାରେ ମୌଳିକ ବିଜ୍ଞାନ ଏବଂ ମାନବିକତାର ପ୍ରାସଙ୍ଗିକତାର ଉଦାହରଣ । ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟାର ଦ୍ରୁତ ଉନ୍ନତି ଯୁଗରେ ଏବଂ ପ୍ରତ୍ୟେକ କ୍ଷେତ୍ରରେ ବଢ଼ୁଥିବା ସମସ୍ୟା ଦୃଷ୍ଟିରୁ ଏକ ସୁସଂଗତ, ସୁଚିନ୍ତିତ ଏବଂ ନୈତିକତାଯୁକ୍ତ ମାନବ ସମ୍ବଳର ଆବଶ୍ୟକତା ବଢ଼ିଯାଇଛି । ଉକ୍ତ କଲେଜ ଏହାର ଶିକ୍ଷାଗତ ମାନଦଣ୍ଡକୁ ନିରନ୍ତର ଭାବେ ଉନ୍ନତି କରି ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁସନ୍ଧାନ, ପରୀକ୍ଷଣ ଏବଂ ଅନ୍ୱେଷଣ ମନୋଭାବକୁ ପ୍ରୋତ୍ସାହିତ କରି ଆବଶ୍ୟକତାକୁ ପୂରଣ କରିବା ଦିଗରେ ଆଗେଇ ଚାଲିଛି ବୋଲି ରାଜ୍ୟପାଳ କହିଥିଲେ ।


ରାଜ୍ୟପାଳ ପୁଣି କହିଥିଲେ ଯେ, ଜାତୀୟ ଶିକ୍ଷାନୀତି – ୨୦୨୦ ଏହି ଭାବନାକୁ ଆଗକୁ ନେବା ପାଇଁ ଏକ ଦୂର ଦୃଷ୍ଟି ପୂର୍ଣ୍ଣ ଢାଂଚା ପ୍ରଦାନ କରିଛି । ଏହା ବିଭିନ୍ନ ବିଷୟ ଶିକ୍ଷା, ଗବେଷଣା ଓ ଶିକ୍ଷା କ୍ଷେତ୍ରରେ ନମନୀୟତା ଉପରେ ଗୁରୁତ୍ୱ ଦେଇଛି । ଜାତୀୟ ଶିକ୍ଷା ନୀତି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜିଜ୍ଞାସାସ୍ତରକୁ ଉଚ୍ଚ ରଖିବାର ଲକ୍ଷ ରଖିଛି ଯାହା କେବଳ ବୈଜ୍ଞାନିକ ନବସୃଜନ ପାଇଁ ନୁହେଁ, ବରଂ ବ୍ୟକ୍ତିଗତ ଅଭିବୃଦ୍ଧି ଏବଂ ସାମାଜିକ ଉନ୍ନତି ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ରାଜ୍ୟପାଳ କହିଥିଲେ । ଏତଦବ୍ୟତୀତ ସମସ୍ତେ ଜ୍ଞାନ ଆହରଣ କରିବା, ଜିଜ୍ଞାସୁ ହେବା ଏବଂ ଶିକ୍ଷା ପ୍ରଦାନ କରୁଥିବା ରୂପାନ୍ତରଣ ପଥକୁ ଆପଣାଇବାକୁ ଆହ୍ୱାନ ଜଣାଇଥିଲେ । ଉକ୍ତ ସମାରୋହରେ ବିଶିଷ୍ଟ ଅତିଥିଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ମୌଳିକ ବିଜ୍ଞାନ ହେଉଛି ଉଦ୍ଭାବନର ମୂଳଦୂଆ । ଆଜିର ସମୟରେ ଜଳବାୟୁ ପରିବର୍ତ୍ତନ ଏକ ସମସ୍ୟାରୂପେ ଉଭା ହୋଇଛି ।

ଏହାର ମୁକାବିଲା କରିବା ପାଇଁ ଆମକୁ ବିଜ୍ଞାନ ସମ୍ମତ ପଦକ୍ଷେପ ଆପଣେଇବାକୁ ହେବ । ଏତଦ୍ବ୍ୟତୀତ ହୀରକ ଜୟନ୍ତୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଛାତ୍ରଛାତ୍ରୀମାନେ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରି ରାଜ୍ୟ ତଥା ଦେଶ ଗଠନରେ ଅବଦାନ ରଖିବାକୁ ଆହ୍ୱାନ ଜଣାଇଥିଲେ । ଓୟୁଏଟିର ଭାଇସ୍ ଚାନସେଲର ପ୍ରଫେସର ପ୍ରଭାତ କୁମାର ରାଉଳ ବକ୍ତବ୍ୟ ପ୍ରଦାନ କରି ଓୟୁଏଟି ଅର୍ନ୍ତଗତ କଲେଜ୍ ଅଫ୍ ବେସିକ୍ ସାଇନ୍ସ୍ ପ୍ରତିଷ୍ଠାର ଇତିବୃତ୍ତି ଓ କ୍ରମ ବିକାଶ ସଂପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ନିର୍ଦ୍ଧେଶକ ପ୍ରଫେସର ଶ୍ରୀମତୀ ନନ୍ଦିତା ସ୍ୱାଇଁ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ହୀରକ ଜୟନ୍ତୀ ପାଳନ କମିଟିର ଆବାହକ ନିଶିକାନ୍ତ ରାଜ୍ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ଏବଂ ଶେଷରେ ଛାତ୍ର କମିଟିର ଉପଦେଷ୍ଟା ଡ. ପି.କେ. ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
-୦-
ସଂଜୀବ ବାରିକ,ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀଙ୍କ ସୌଜନ୍ୟରୁ

Leave a Reply

Your email address will not be published. Required fields are marked *