ଜଗତସିଂହପୁର, ୧୬/୧୨/୨୦୨୩ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୁଲ୍ୟରେ କର୍ମସ୍ଥଳ ରେ ମହିଳା ମାନଙ୍କ ଯୌନ ଉତ୍ପୀଡ଼ନ ର ନିରୋଧ ପାଇଁ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ ମହିଳା ମାନଙ୍କ ସ୍ୱାଭିମାନ ର ରକ୍ଷା କରିବା ପ୍ରତ୍ୟେକ ଙ୍କ ର ସାମାଜିକ କର୍ତ୍ତବ୍ୟ ବୋଲି କହିଥିଲେ।ମହିଳା ମାନଙ୍କ ଯୌନ ଉତ୍ପୀଡ଼ନ ର ନିରୋଧ ପାଇଁ କର୍ମ କ୍ଷେତ୍ର ରେ ନାରୀ ଯୌନ ନିର୍ୟାତନା (ନିବାରଣ,ନିଷେଧ ଓ ପ୍ରତିକାର)ଅଧିନିୟମ ୨୦୧୩ ଅନୁଯାୟୀ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ସ୍ଥାନୀୟ ଅଭିଯୋଗ କମିଟି ଏବଂ ୧୦ ବା ତଦୂର୍ଦ୍ଧ୍ବ କର୍ମଚାରୀ ଥିବା ପ୍ରତ୍ୟେକ କାର୍ୟ୍ୟାଳୟ ରେ ଗୋଟିଏ ଲେଖାଏଁ ଅନ୍ତରୀଣ ଅଭିଯୋଗ କମିଟି ଗଠନ କରାଯିବ ବୋଲି ସେ କହିଥିଲେ। ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଏ ନେଇ ନିର୍ଦ୍ଦେଶ ଦେଇଥିଲେ ।ଜିଲ୍ଲା ଆଇନ ସେବା ପ୍ରାଧୀକରଣ ର ଅଧ୍ୟକ୍ଷା ଶ୍ରୀମତୀ ସୁନନ୍ଦା ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଆଇନ ର ଇତିହାସ ସମ୍ପର୍କରେ କହିଥିଲେ। କର୍ମ କ୍ଷେତ୍ରରେ କୌଣସି ମହିଳା ଙ୍କୁ ଅସଦାଚରଣ କେବେ ବି ଗ୍ରହଣୀୟ ନୁହଁ ଏବଂ ଏଥିପାଇଁ ଆଇନ ଅନୁଯାୟୀ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଦୀପ କୁମାର କେରକେଟା କର୍ମସ୍ଥଳୀ ରେ ମହିଳା ମାନଙ୍କୁ କିପରି ବ୍ୟବହାର କରିବା ଉଚିତ ଏବଂ ଏଥିରେ ବ୍ୟାଘାତ ଘଟିଲେ ତାହାକୁ ସୁରକ୍ଷା ଦେବା ପାଇଁ ପୋଲିସ ର ଦାୟିତ୍ଵ ସମ୍ପର୍କରେ ଅବଗତ କରାଇଥିଲେ। ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ପ୍ରମୋଦ କୁମାର ବାରିକ ଏ ନେଇ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ପରେ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ରେ ରିସୋର୍ସ ପର୍ସନ ଭାବେ ଯୋଗଦେଇ ବରିଷ୍ଠ ଆଇନଜୀବୀ ଶ୍ରୀ ଧୀରେନ୍ଦ୍ର ନାଥ ଆଚାର୍ୟ୍ୟ ୨୦୧୩ ର ଏହି ଆଇନ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ସ୍ଥାନୀୟ ଅଭିଯୋଗ କମିଟି ଗଠନ କରାଯିବ ଯେଉଁଥିରେ ଜିଲ୍ଲାପାଳ ଜିଲ୍ଲା ଅଧିକାରୀ ରହିବେ। ସେହିପରି ୧୦ ବା ତା ଠାରୁ ଅଧିକ ସଦସ୍ୟ ଥିବା ପ୍ରତ୍ୟେକ କାର୍ୟ୍ୟାଳୟ ରେ ଏକ ଅନ୍ତରୀଣ ଅଭିଯୋଗ କମିଟି ଗଠନ କରାଯିବା ଆଇନ ଅନୁଯାୟୀ ବାଧ୍ୟତାମୂଳକ ଅଟେ। ଆଇ ସି ସି ନ ଥିଲେ ଆଇନ ଅନୁସାରେ ଜୋରିମାନା ଲାଗିପାରେ। ଆଇ ସି ସି ରେ କାର୍ୟ୍ୟାଳୟ ର ବରିଷ୍ଠ ମହିଳା ସଦସ୍ୟ ଅଧ୍ୟକ୍ଷ ରହିବେ ଓ ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ୫୦ ପ୍ରତିଶତ ମହିଳା ରହିବେ, ଏହାଛଡ଼ା ଜଣେ ସ୍ବେଚ୍ଛାସେବୀ ରହିବେ ।ପ୍ରତ୍ୟେକ ସଦସ୍ୟ ଙ୍କ ର କାର୍ୟ୍ୟକାଳ ୩ ବର୍ଷ ରହିବ।ସର୍ବନିମ୍ନ ୪ ଜଣ ସଦସ୍ୟ ଙ୍କୁ ନେଇ ଏହି କମିଟି ଗଠିତ ହେବ ବୋଲି ଶ୍ରୀ ଆଚାର୍ୟ୍ୟ ସୂଚନା ଦେଇଥିଲେ। ଲୋକାଲ କମ୍ପ୍ଲେନ୍ କମିଟି ରେ ଜଣେ ପୀଡିତା ଘଟଣା ର ୩ ମାସ ମଧ୍ୟରେ ଅଭିଯୋଗ କରିପାରିବେ ଏବଂ ୬ ମାସ ମଧ୍ୟରେ ତାହାର ଶୁଣାଣୀ କରି ନ୍ୟାୟ ପ୍ରଦାନ କରାଯିବ। ଅଭିଯୋଗ ର କୌଣସି ପ୍ରଭାବ ପୀଡ଼ିତା ଙ୍କ କାର୍ୟ୍ୟ ଉପରେ ପଡିବ ନାହିଁ। ମାମଲା ର ଅନୁସନ୍ଧାନ ସମୟରେ ମହିଳା ଙ୍କୁ କୌଣସି ପ୍ରକାର ର ମାନସିକ ନିର୍ୟାତନା ବା ତାଙ୍କର ପୂର୍ବ କାର୍ୟ୍ୟ କଳାପ କୁ ଅନ୍ତର୍ଭୁକ୍ତ କରାଯିବ ନାହିଁ।ଏହି ଆଇନର ଧାରା ୧୧,୧୨ ଓ ୧୩ ଅନୁଯାୟୀ ଅଭିଯୁକ୍ତ କୌଣସି ପ୍ରକାର ଆର୍ଥିକ ପ୍ରରୋଚନା କଲେ ଦଣ୍ଡ ବିଧାନ କରାଯିବ। ଏହିପରି ଭାବେ ଅତ୍ୟନ୍ତ ବିସ୍ତୃତ ଭାବରେ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ର ଏହି ଆଇନ ବିଷୟରେ ଶ୍ରୀ ଆଚାର୍ୟ୍ୟ ଆଲୋଚନା କରିଥିଲେ । ପରିଶେଷରେ ସମସ୍ତେ ସତର୍କ, ସଜାଗ ରହିଲେ ଏହି ପରିସ୍ଥିତି ଉପୁଜିବ ନାହିଁ ବୋଲି ସେ କହିଥିଲେ।ଏହି ପ୍ରଶିକ୍ଷଣ ଶିବିରରେ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଅଂଶୁପା ସାହୁ ସଭା କାର୍ୟ୍ୟ ପରିଚାଳନା କରିଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନମିତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଲୋକାଲ କମ୍ପ୍ଲେନ୍ କମିଟି ର ଅଧ୍ୟକ୍ଷା ସୁଶ୍ରୀ ସୁଷମା ପ୍ରଧାନ, ପୌର ପରିଷଦ ର ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର କର୍ଣ୍ଣ, ଜିଲ୍ଲାର ସମସ୍ତ ବି ଡି ଓ, ତହସିଲଦାର, ସମସ୍ତ ବିଭାଗୀୟ ଅଧିକାରୀ,କର୍ମଚାରୀ,ସହରର ବରିଷ୍ଠ ବୁଦ୍ଧିଜୀବୀ,ଆଇନଜୀବୀ ଉପସ୍ଥିତ ଥିଲେ।
-୦-