ଧଉଳି, ଲିଙ୍ଗରାଜ ଓ ଅନନ୍ତ ବାସୁଦେବ ମନ୍ଦିର ବୁଲିଲେ ଗୋଆର ପ୍ରତିନିଧି ମଣ୍ଡଳୀ

ଉତ୍କଳିକା ଓ ବୟନିକାରୁ କିଣିଲେ ଓଡ଼ିଆ କଳାକୃତି ଓ ପାଟବସ୍ତ୍ର

ଭୁବନେଶ୍ୱର,୧୧/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗୋଆ ରାଜ୍ୟ ସରକାରଙ୍କ ପକ୍ଷରୁ ପାଞ୍ଚଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରତିନିଧି ମଣ୍ଡଳୀ ତଥା ଗୋଆର ଗଣମାଧ୍ୟମ ପ୍ରତିନିଧିମାନେ ଆଜି ଶାନ୍ତିସ୍ତୁପ ଧଉଳି, ପ୍ରସିଦ୍ଧ ଶୈବପୀଠ ଲିଙ୍ଗରାଜ ମନ୍ଦିର ସହ ନିକଟରେ ଥିବା ଓଡ଼ିଆ ସ୍ଥାପତ୍ୟର ଅନନ୍ୟ ନିଦର୍ଶନ ଅନନ୍ତ ବାସୁଦେବ ମନ୍ଦିର ଓ ବିନ୍ଦୁସାଗର ବୁଲି ଦେଖିଛନ୍ତି । ଦଶମ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିରର ନିର୍ମାଣଶୈଳୀ ଓ ପ୍ରସ୍ତରରେ ଖୋଦିତ ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପ୍ରତିନିଧି ମଣ୍ଡଳୀ ଅଭିଭୂତ ହୋଇଥିଲେ । ସେମାନେ ଅନନ୍ତ ବାସୁଦେବ ମନ୍ଦିରରେ ପ୍ରସାଦ ସେବନ କରିବା ସହ ଓଡ଼ିଆ ଖାଦ୍ୟ ପରମ୍ପରାର ଭୂୟସୀ ପ୍ରଶଂସା କରିଥିଲେ । ଏଠାରେ ସେମାନେ ଅନ୍ନ, ଡାଲି, ଖେଚୁଡ଼ି, ପଲଉ, ଶାଗ, ବେସର, ଡାଲମା, ଦହିପାଚେଡ଼ି, ଖଜୁରୀ ଖଟା, ପୋଟଳ ରସା, ବୁଟ ତରକାରି, ଖିରୀ ଆଦି ସେବନ କରିଥିଲେ ।

ସନ୍ଧ୍ୟାରେ ପ୍ରତିନିଧି ମଣ୍ଡଳୀ ୟୁନିଟ୍‌-୨ସ୍ଥିତ ମାର୍କେଟ ବିଲ୍‌ଡିଂସ୍ଥିତ ଉତ୍କଳିକା ଓ ବୟନିକା ବସ୍ତ୍ରାଳୟ ଯାଇ ସେଠାରୁ ବିଭିନ୍ନ ତାରକସୀ ଗହଣା, ହସ୍ତଶିଳ୍ପ, ପାଟଶାଢ଼ି ଏବଂ ଖଦିବସ୍ତ୍ର ଆଦି କିଣିଥିଲେ । ଉତ୍କଳୀୟ ପରମ୍ପରା ଓ ସଂସ୍କୃତି ବେଶ୍‌ ମନଲୋଭା ହୋଇଥିବାରୁ ସେମାନେ ପୁଣିଥରେ ଏଠାକୁ ବୁଲିବାକୁ ଆସିବେ ବୋଲି ଇଚ୍ଛାପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *