ଷଷ୍ଠ ଜିଲା ପରିଷଦର ପଂଚମ ସାଧାରଣ ବୈଠକ

କେନ୍ଦ୍ରାପଡ଼ା, ୨୧/୧୧/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଷଷ୍ଠ ଜିଲା ପରିଷଦର ପଂଚମ ସାଧାରଣ ବୈଠକ ବୁଧବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ଗଣମାଧ୍ୟମରେ ଜିଲାପାଳଙ୍କ ମନ୍ତବ୍ୟକୁ ପ୍ରତିବାଦ କରି ୨୭ନମ୍ବର ଜିଲା ପରିଷଦ ଜୋନର ସଭ୍ୟା ପ୍ରବୀଣା ଦାସ ପ୍ରଶ୍ନ ଉଠାଇଥିବା ବେଳେ ଅନ୍ୟ ସଦସ୍ୟ/ସଦସ୍ୟା ଓ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷାମାନେ ଏହାର ଦୃଢ ପ୍ରତିବାଦ କରିଥିଲେ । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମଧ୍ୟ ଜିଲାପାଳଙ୍କ ଗଚ୍ଚମାଧ୍ୟମରେ ଏଭଳି ମନ୍ତବ୍ୟକୁ ନାପସନ୍ଦ କରିଥିଲେ । ଏହାପରେ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ ତାଙ୍କ ମନ୍ତବ୍ୟକୁ କଦର୍ଥ କରାଯାଇଥିବାର ସ୍ପଷ୍ଟିକରଣ ଦେଇ ସେଥିନିମନ୍ତେ ଦୁଃଖ ପ୍ରକାଶ କରିଥିଲେ । ଅନ୍ୟଜଣେ ଜିଲା ପରିଷଦ ସଦସ୍ୟ ସଂସ୍କୃତି ଭବନରେ ହେବାକୁ ଥିବା ସମବାୟ ବିଭାଗର ଉତ୍ସବ ପାଇଁ ଛପା ଯାଇଥିବା ନିମନ୍ତ୍ରଣ ପତ୍ରରେ ଜିଲାର ବିଧାୟକମାନଙ୍କ ନାମ ପ୍ରୋଟୋକଲ ଅନୁଯାୟୀ ରଖାଯାଇନଥିବାରୁ ଏବଂ ବିଭିନ୍ନ ଗଚ୍ଚମାଧ୍ୟମରେ ଏସମ୍ପର୍କିତ ଖବର ପ୍ରକାଶ ପାଇଥିବା ନେଇ ପ୍ରଶ୍ନ କରିଥିଲେ । ଆଳି ବିଧାୟକ ପ୍ରତାପକେଶରୀ ଦେବ ମଧ୍ୟ ଏଭଳି ଥରେ ନୁହେଁ ବାରମ୍ବର କରାଯାଉଥିବାରୁ ତା’ର ନିନ୍ଦା କରିଥିଲେ । କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ମଧ୍ୟ ଏଭଳି ଘଟଣାର ଦୃଢ ନିନ୍ଦା କରିଥିଲେ । ଏହାକୁ ନେଇ ଗୃହରେ ହୋହାଲ୍ଲା ସୃଷ୍ଟି ହୋଇଥିଲା । ଜିଲାପାଳ ଭବିଷ୍ୟତରେ ଏଭଳି ଆଉ ହେବ ନାହିଁ ବୋଲି କହିବା ପରେ ଗୃହ ଥମ୍ ପଡିଥିଲା । ଜିଲାପାଳ ଗୃହରେ ଦାନା ବାତ୍ୟାରେ ଜିଲାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସରକାରଙ୍କୁ ପଠାଯାଇଥିବା ରିପୋର୍ଟ ଉପସ୍ଥାପନା କରିବା ସହ ଜିଲାକୁ ମିଳିଥିବା ଘରଭଙ୍ଗା ସହାୟତା ସମ୍ପର୍କରେ ସୂଚନା ଦେଇଥିଲେ । ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ନିଲୁ ମହାପାତ୍ର ସୂଚନା ଦେଇଥିଲେ ଯେ ପଂଚାୟତିରାଜ ବିଭାଗରୁ ଆସିଥିବା ପତ୍ର ଅନୁଯାୟୀ ବାତ୍ୟାପ୍ରଭାବିତ ଅଂଚଳର ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ୭କୋଟି ୪ଲକ୍ଷ ଟଙ୍କା, ଅଙ୍ଗନୱାଡିକେନ୍ଦ୍ର ଗୃହ ନିର୍ମାଣ ଓ ମରାମତି ପାଇଁ ୩କୋଟି ୬୬ଲକ୍ଷ ଟଙ୍କା ଏବଂ ରାସ୍ତା ପୁନଃନିର୍ମାଣ ପାଇଁ ୨୦କୋଟି ଟଙ୍କା ଜିଲ୍ଲାକୁ ମଞ୍ଜୁରି ମିଳିଛି । ଏହାପରେ ଯୋଗାଣ ବିଭାଗର ରାସନକାର୍ଡ ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ଅଦ୍ୟାବଧି ଜିଲାରେ ୮୨ପ୍ରତିଶତ ଅର୍ଥାତ ରାସନକାର୍ଡ ଥିବା ୨ଲକ୍ଷ ୧୨ହଜାର ହିତାଧିକାରୀଙ୍କ ଇ.କେୱାଇସି ସମ୍ପନ୍ନ କରାଯାଇଥିବା ସିଏସଓ ତଥ୍ୟ ପ୍ରଦାନ କରିଥିଲେ । ସମସ୍ତ ରାସନ କାର୍ଡଧାରୀମାନଙ୍କ ଇ.କେୱାଇସି କାର୍ଯ୍ୟ ଶେଷ ହେବା ପରେ ନୂତନ ଆବେଦନ ଗୁଡିକ ସମ୍ପର୍କରେ ବିଚାର କରାଯିବ । ବିଭାଗ ପକ୍ଷରୁ ନୂତନ ଡିଲର ନିଯୁକ୍ତି କରାଗଲେ ସ୍ୱୟଂ ସହାୟିକା ଗୋଷ୍ଠି, ସମବାୟ ସଂସ୍ଥା ଓ ପଂଚାୟତିରାଜ ଅନୁଷ୍ଠାନକୁ ଏଥିପାଇଁ ଲାଇସେନ୍ସ ପ୍ରଦାନ କରାଯାଇପାରିବ ଆଉ ବ୍ୟକ୍ତଗତ ଲୋକଙ୍କୁ ଏଥିନିମନ୍ତେ ଲାଇସେନ୍ସ ଦିଆଯାଇପାରିବ ନାହିଁ ବୋଲି ସିଏସଓ କହିଥିଲେ । ୮ନମ୍ବର ଜୋନ ଜିଲା ପରିଷଦ ସଦସ୍ୟ ରଶ୍ମୀରଞ୍ଜନ ରାଉତ ୫୩ନମ୍ବର ଜାତୀୟ ରାଜପଥୁ ୮ଲେନ ବିଶିଷ୍ଟ କରାଯାଉଥିବା ବେଳେ ସେହି ରାସ୍ତାର ଦୁଇ ପାଶ୍ୱର୍ରେ ଥିବା ନାଳକୁ ପୋତି ଦିଆଯାଉଥିବାରୁ ଜଳ ନିଷ୍କାସନ ହୋଇପାରିବ ନାହିଁ । ଫଳରେ ଉଭୟ ପାଶ୍ୱର୍ରେ ଥିବା ୨ଶହ ଏକର ଜମି ଚଳିତ ବର୍ଷ ଚାଷ କରାନଯାଇ ପଡିଆ ରହିଥିବା କହିବା ସହ ଏଥିନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଥିଲେ । ଏସମ୍ପର୍କରେ ସମସ୍ତ ବିଧାୟକ ମତାମତ ପ୍ରଦାନ କରିବା ପରେ ଜିଲାପାଳ ଜାତୀୟ ରାଜପଥର ରାଜ୍ୟ କର୍ତୃପକ୍ଷଙ୍କ ସହ ଏନେଇ ଏକ ବୈଠକ ଡକାଇବାକୁ ଡ୍ରେନେଜ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ । କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷାଙ୍କୁ ଅବଜ୍ଞା କରି ପକଳ୍ପ ଜିଲାପାଳଙ୍କୁ ପଠାଇଥିବାରୁ ତାହା ଅତ୍ୟନ୍ତ କ୍ଷୋଭର ବିଷୟ ଏବଂ ଏଭଳି କାର୍ଯ୍ୟକୁ ଭବିଷ୍ୟତରେ ଆଉ ବରଦାସ୍ତ କରାଯିବନି ବୋଲି କହିଥିଲେ । ଏସମ୍ପର୍କରେ କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା ମୁଖ୍ୟ ଶାସନ ସଚିବ ଏବଂ ପଂଚାୟତିରାଜ ବିଭାଗ ସଚିବକୁ ଜଣାଇଥିବା କହିଥିଲେ । ଜିଲାପାଳ ସେହି ପ୍ରକଳ୍ପର ପ୍ରସ୍ତାବ ଗୁଡିକୁ ତାଙ୍କୁ ପ୍ରଦାନ କରିବା ପରେ ସେ ସରକାରଙ୍କ ପଂଚାୟତିରାଜ ବିଭାଗକୁ ସେସବୁ ପ୍ରକଳ୍ପ ଗୁଡିକୁ ପଠାଇଦେବେ ବୋଲି କହିଥିଲେ । ଗୋବରୀ ନଦୀ ସମେତ ଅନ୍ୟାନ୍ୟ ନଦୀ, କେନାଲ ଓ ନାଳ ଗୁଡିକରୁ ଦଳ ସଫା କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସିଡିଓ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ସମସ୍ତ ଜିଲା ପରିଷଦ ସଭ୍ୟ/ସଭ୍ୟା, ବ୍ଲକ ଗୁଡିକର ଅଧ୍ୟକ୍ଷ/ାଅଧ୍ୟକ୍ଷା ଓ ବିଭିନ୍ନ ଲାଇନ ଡିପାର୍ଟମେଂଟର ଯନ୍ତ୍ରୀ ଓ ଜିଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *