ଏସିଆନ୍‌ ମହିଳା ହକି ଚାମ୍ପିୟାନସିପ୍ ରେ ଭାରତୀୟ ମହିଳା ହକି ଟିମ୍ କୁ ମିଳିଲା ସ୍ବର୍ଣ୍ଣ ପଦକ

ଭାରତୀୟ ମହିଳା ହକି ଟିମ୍ ର ଏହି ଐତିହାସିକ ବିଜୟ ପରେ ଟିମ୍ କୁ ଶୁଭେଚ୍ଛା ଜଣାଇଲେ ଓଡ଼ିଶାର କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର, ୨୦/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିହାରର ରାଜଗିର ଠାରେ ଅନୁଷ୍ଠିତ ହୋଇଥିବା ଏସିଆନ୍‌ ମହିଳା ହକି ଚାମ୍ପିୟାନସିପ୍ ରେ ଭାରତୀୟ ମହିଳା ହକି ଟିମ୍ ଆଜି ସ୍ବର୍ଣ୍ଣ ପଦକ ହାସଲ କରିଛି। ଆଜି ଅନୁଷ୍ଠିତ ହୋଇଥିବା ଫାଇନାଲ ମ୍ୟାଚରେ ଭାରତୀୟ ମହିଳା ହକି ଟିମ୍ ୧-୦ ଗୋଲ ରେ ଚୀନ୍‌ ର ମହିଳା ହକି ଟିମ୍ କୁ ପରାସ୍ତ କରି ଏହି ଐତିହାସିକ ବିଜୟ ହାସଲ କରିଛି।

ଆଜି କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପାରାଦ୍ୱୀପ ପୋର୍ଟ ଅଡ଼ିଟୋରିୟମ୍ ଠାରେ କ୍ରୀଡ଼ା ଓ ଯୁବସେବା ବିଭାଗର ବରିଷ୍ଠ ଅଧିକାରୀ ଓ ଜଗତସିଂହପୁର ଜିଲ୍ଲା ପ୍ରଶାସନିକ ଅଧିକାରୀମାନଙ୍କ ସହ ଏସିଆନ୍‌ ମହିଳା ହକି ଚାମ୍ପିୟାନସିପ୍ ର ଫାଇନାଲ ମ୍ୟାଚକୁ ଦେଖିଥିଲେ। ମ୍ୟାଚରେ ଭାରତୀୟ ମହିଳା ହକି ଟିମ୍ ର ବିଜୟ ପରେ କ୍ରୀଡ଼ାମନ୍ତ୍ରୀ ଆଭାସୀ ମାଧ୍ୟମରେ ଭାରତୀୟ ମହିଳା ହକି ଟିମ୍ ର ହେଡ଼ କୋଚ ହରେନ୍ଦ୍ର ସିଂ, କ୍ୟାପଟେନ୍‌ ସଲୀମା ଟେଟେ ଓ ଭାରତୀୟ ମହିଳା ହକି ଟିମ୍ ର ସର୍ବକନିଷ୍ଠ ତଥା ଓଡ଼ିଶାର ହକି କ୍ରୀଡ଼ାବିତ୍ ସୁନେଲିତା ଟପ୍ପୋଙ୍କ ସହ କଥା ହୋଇ ଟିମ୍ ର ଏହି ଐତିହାସିକ ବିଜୟ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଭାରତୀୟ ମହିଳା ହକି ଟିମ୍ ର ଏହି ଐତିହାସିକ ବିଜୟ ପରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ଭାରତୀୟ ମହିଳା ହକି ଟିମ୍ ଏସିଆନ୍ ମହିଳା ହକି ଚମ୍ପିୟାନସିପ୍ ରେ ସ୍ବର୍ଣ୍ଣ ପଦକ ହାସଲ କରିବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ମହିଳା ହକି ଟିମ୍ ର ଏହି ବିଜୟ ଟିମ୍ ର ସମସ୍ତ ଖେଳାଳୀ ମାନଙ୍କର କଠିନ ପରିଶ୍ରମ ଓ ହକି ପ୍ରତି ରହିଥିବା ପ୍ରତିଶ୍ରୁତିବଦ୍ଧତାର ପ୍ରତିଫଳନ। ଟିମ୍  ସମସ୍ତ ଖେଳାଳୀ ଭାରତର ଲକ୍ଷ ଲକ୍ଷ ଯୁବ କ୍ରୀଡାବିତ୍ ଓ ବିଶେଷ ଭାବରେ ମହିଳା କ୍ରୀଡ଼ାବିତ୍ ମାନଙ୍କ ପାଇଁ ପ୍ରେରଣାର ଉତ୍ସ। ଆଗକୁ ମଧ୍ୟ ଭାରତୀୟ ମହିଳା ହକି ଟିମ୍ ର ଏହି ସ୍ୱର୍ଣ୍ଣିମ ବିଜୟ ଯାତ୍ରା ବଜାୟ ରହିବ ବୋଲି ମୁଁ ଆଶା କରୁଛି।

ଓଡ଼ିଶା ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‌ ର ପୃଷ୍ଠପୋଷକତା ଭାବରେ ଗର୍ବିତ ଓ ହକିର ବିକାଶ ପାଇଁ ଆମେ ସଦାସର୍ବଦା ଚେଷ୍ଟିତ। ଆଗାମୀ ଦିନରେ ମଧ୍ୟ କ୍ରୀଡାବିତ୍ ମାନଙ୍କର ବିକାଶ ପାଇଁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରାଯିବ ବୋଲି କ୍ରୀଡାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।

-0-

ଅମ୍ଳାନ ଦାସ, ଲୋକସମ୍ପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *