ଗାଳ୍ପିକ ପବିତ୍ର ପାଣିଗ୍ରାହୀଙ୍କୁ ‘ଜଗଦୀଶ କଥା ସମ୍ମାନ’

ଭୁବନେଶ୍ୱର, ଭୁବନେଶ୍ୱର,୧୮/୦୨/୨୦୨୫ (ଓଡ଼ିଶା ସମାଚାର)- ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍’ ତରଫରୁ ଆୟୋଜିତ ‘ଜଗଦୀଶ ଜୟନ୍ତୀ’ ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ପାଳିତ ହୋଇଯାଇଛି । ଓଡ଼ିଆ କଥାସାହିତ୍ୟର ଜଣେ ଅପ୍ରତିଦ୍ୱନ୍ଦ୍ୱୀ କଥାକାର ଭାବେ ପରିଚିତ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଓ ସମାଲୋଚକ ଗୁରୁଚରଣ ବେହେରା ଏବଂ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଅନୁବାଦକ ତଥା ସମୀକ୍ଷକ ହିମାଂଶୁ ଶେଖର ମହାପାତ୍ର ଯୋଗଦେଇ ଜଗଦୀଶ ମହାନ୍ତିଙ୍କ ସୃଜନକୃତି ଉପରେ ସବିଶେଷ ଆଲୋଚନା କରିଥିଲେ ।

ଏହି ଅବସରରେ ଚଳିତ ବର୍ଷର ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ବିଶିଷ୍ଟ ଗାଳ୍ପିକ ପବିତ୍ର ପାଣିଗ୍ରାହୀଙ୍କୁ ପ୍ରଦାନ କରାଯାଇଥିଲା । ପୁରସ୍କାର ବାବଦରେ ୧୦ ହଜାର ଟଙ୍କା ଓ ସମ୍ମାନ ଫଳକ ପ୍ରଦାନ କରାଯାଇଥିଲା । ସେହିପରି ଯୁବଲେଖକଙ୍କୁ ଉତ୍ସାହିତ କରିବା ଉଦ୍ଧେଶ୍ୟରେ ଦିଆଯାଉଥିବା ‘ଜଗଦୀଶ ଯୁବ ସମ୍ମାନ’ ଏଥର ଗାଳ୍ପିକା ସୁନନ୍ଦା ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା । ତାଙ୍କୁ ମାନପତ୍ର ସହ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।

ଉଭୟ ପୁରସ୍କୃତ ଲେଖକ ସେମାନଙ୍କ ଲେଖକୀୟ ବକ୍ତବ୍ୟରେ ଜଗଦୀଶ ମହାନ୍ତିଙ୍କ ଗଳ୍ପର ପ୍ରଭାବ ଉପରେ ଆଲୋକପାତ କରିଥିଲେ । ଉତ୍ସବରେ ସଭାପତିତ୍ୱ କରିଥିଲେ କଥାକାର ଡକ୍ଟର ସରୋଜିନୀ ସାହୁ । ‘ଟ୍ରଷ୍ଟ୍’ର ସଂପାଦକ ତଥା ଲେଖକ ସରୋଜ ବଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ଉଚ୍ଛ୍ସବ ସଂଚାଳନ କରିଥିଲେ ।ଉତ୍ସବ ପରିଚାଳନାରେ ଅରୁଣ କୁମାର ଦାସ, ପ୍ରିୟାଂଶୁ ପ୍ରିୟଦେବ ପ୍ରମୁଖ ସହଯୋଗ କରିଥିବାବେଳେ ବହୁ ଜଗଦୀଶପ୍ରେମୀ ପାଠକପାଠିକା, ଲେଖକ, ସଂପାଦକ, ପ୍ରକାଶକ ଓ ସାହିତ୍ୟାନୁରାଗୀ ଏଥିରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *