ନୂଆଦିଲ୍ଲୀ/ ଭୁବନେଶ୍ୱର, ୧୯/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଥିବା ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ମେଳାରେ ‘ଓଡ଼ିଶା ମଣ୍ଡପ’ ଦେଶ ବିଦେଶର ଦର୍ଶକଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି। ଓଡ଼ିଶା ମଣ୍ଡପର ରାଜ୍ୟର ଅନନ୍ୟ କଳାକୃତି, ସଂସ୍କୃତି ଓ ବିଭିନ୍ନ ଉତ୍ପାଦକୁ ସମସ୍ତେ ପ୍ରଶଂସା କରୁଛନ୍ତି ।
ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ଅବସ୍ଥାପିତ ଝାଡ଼ଖଣ୍ଡର ଆବାସିକ କମିଶନର ଶ୍ରୀ ଅରବା ରାଜକମଲ ଓଡ଼ିଶା ମଣ୍ଡପ ପରିଦର୍ଶନ କରିଥିଲେ । ଏଠାରେ ପ୍ରଦର୍ଶିତ ଓଡ଼ିଶାର ବିଭିନ୍ନ ଗ୍ରାମୀଣ ଉତ୍ପାଦ, ଏସଏଚଜି ସଦସ୍ୟାଙ୍କ ହାତ ତିଆରି ସାମଗ୍ରୀ,ମାଣ୍ଡିଆ ଓ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବୁଲି ଦେଖିବା ସହ ଏହାକୁ ପ୍ରଶଂସା କରିଥିଲେ।
‘‘ଓଡ଼ିଶା ମଣ୍ଡପ ବେଶ୍ ଆକର୍ଷଣୀୟ ହୋଇଛି। ପୂର୍ବ ବର୍ଷଠାରୁ ଏହା ଆହୁରି ସୁନ୍ଦର ହୋଇପାରିଛି। ଓଡ଼ିଶାର ନିଜସ୍ୱ କଳା, ସଂସ୍କୃତି, ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତକଳା ସାମଗ୍ରୀ ଏଠାରେ ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରୁ ଆସିଥିବା ଜିଆଇ ମାନ୍ୟତାପ୍ରାପ୍ତ ସାମଗ୍ରୀ ଦିଲ୍ଲୀର ଗ୍ରାହକମାନଙ୍କୁ ଆକର୍ଷିତ କରୁଛି। ଏଠାରେ ଯେଭଳି ଭାବେ ବିଭିନ୍ନ ଗ୍ରାମୀଣ ଓ ଜନଜାତି ଅଞ୍ଚଳରୁ ଆସିଥିବା ଉତ୍ପାଦର ମାର୍କେଟିଂ କରାଯାଉଛି ସେଥିରୁ ତାହା ଶିଖିବାର କଥା,’’ କହିଥିଲେ ଅରବା ରାଜକମଲ । ଏତଦବ୍ୟତୀତ ଓଡିଶା ମଣ୍ଡପରେ ଅଧିକାରୀ ମାନଙ୍କ ପକ୍ଷରୁ ପ୍ରଦତ୍ତ ଆତିଥେୟତାକୁ ମଧ୍ୟ ଶ୍ରୀ ରାଜକମଲ ଭୂୟସୀ ପ୍ରଶଂସା କରିଥିଲେ ।
ଏଥିସହ ଆଇଟିପିଓ ଅଧିକାରୀ ମାନେ ମଧ୍ୟ ଓଡିଶା ମଣ୍ଡପ ବୁଲି ଦେଖିବା ସହ ରାଜ୍ୟର କଳାକୃତି ଓ ବିଭିନ୍ନ ଉତ୍ପାଦ ଦେଖି ଖୁସିବ୍ୟକ୍ତ କରିଥିଲେ । ଅଧିକାରୀ ଭାବେ ଶ୍ରୀ ରାଜକୁମାର ଠାକୁର, ମହାପ୍ରବନ୍ଧକ, ଅର୍ଥ ବିଭାଗ, ଶ୍ରୀ ବ୍ରିଜଲାଲ ମହାପ୍ରବନ୍ଧକ, ଡିଜାଇନ ଏଣ୍ଡ ଡିସପ୍ଲେ, ଶ୍ରୀ ଏସ ଆର ସାହୁ ମହାପ୍ରବନ୍ଧକ, ଆଇନ, ଲକ୍ଷ୍ମୀ କୁମାରୀ ମହାପ୍ରବନ୍ଧକ, ଯାନ୍ତ୍ରିକ ବିଭାଗ ପ୍ରମୁଖ ଓଡିଶା ମଣ୍ଡପ ପରିଦର୍ଶନ କରିଥିଲେ ।
ଚଳିତବର୍ଷ ‘ବିକଶିତ ଭାରତ, ବିକଶିତ ଓଡ଼ିଶା’ ବିଷୟବସ୍ତୁକୁ ନେଇ ‘ଓଡ଼ିଶା ମଣ୍ଡପ’ର ଡିଜାଇନ କରାଯାଇଛି । ଏଠାରେ ରାଜ୍ୟର ପ୍ରାଚୀନ କୀର୍ତ୍ତିରାଜି ସହ ଭାରତର ଆଧୁନିକ ବିଜ୍ଞାନ ଓ କାରିଗରିର ଯାତ୍ରା ପ୍ରତିଫଳିତ ହେଉଛି। ଏହାର ପ୍ରବେଶ ପଥରେ ନିର୍ମିତ ଓଡ଼ିଶାର ମନ୍ଦିର ଭାସ୍କର୍ଯ୍ୟର ମୁଖଶାଳା ମୁକ୍ତେଶ୍ୱର ତୋରଣ ଦର୍ଶକମାନଙ୍କୁ ଆକର୍ଷିତ କରୁଛି । ସେହିପରି କୋଣାର୍କ ମନ୍ଦିରର ପ୍ରତିରୂପ ଓ ରତ୍ନଗିରିର ବୌଦ୍ଧ କୀର୍ତ୍ତିରାଜି ସହ ଅତ୍ୟାଧୁନିକ ବୁଲେଟ୍ ଟ୍ରେନ ଓ ଶିଳ୍ପ ପ୍ରଗତିର ଚିତ୍ର ପାଭିଲିୟନକୁ ଆସୁଥିବା ଦର୍ଶକମାନଙ୍କୁ ଆକୃଷ୍ଟ କରୁଛି ।