କିଟ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ଙ୍କ ଶ୍ରୀବଳଦେବଜୀଉ ଦର୍ଶନ

କେନ୍ଦ୍ରାପଡ଼ା, ୧୨/୦୧/୨୦୨୫ (ଓଡ଼ିଶା ସମାଚାର)-  କିଟ୍ ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ରବିବାର ସକାଳେ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଛନ୍ତି । ସେବାୟତଙ୍କ ପକ୍ଷରୁ ଶ୍ରୀଜୀଉଙ୍କ ମନ୍ଦିର ପରିସରରେ ଡ. ସାମନ୍ତଙ୍କୁ ସ୍ୱାଗତ କରାଯାଇଥିଲା । ଡ. ସାମନ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ବେଢ଼ା ପରିକ୍ରମା କରି ମହାଲକ୍ଷ୍ମୀ ମନ୍ଦିରରେ ମା’ଲକ୍ଷ୍ମୀଙ୍କୁ  ଦର୍ଶନ କରିଥିଲେ । ସେବାୟତଙ୍କ ପକ୍ଷରୁ ଜ୍ୟୋତି ରଞ୍ଜନ ପତ୍ରୀ, ରବୀନ୍ଦ୍ର ସୁଆର, ସୋମନାଥ ପତ୍ରୀ, ଭଗବାନ ସୁଆର, ମହେଶ୍ୱର ପତ୍ରୀ, ପ୍ରମୋଦ କର, ବିଶ୍ୱଜିତ୍ ପତ୍ରୀ ପ୍ରମୁଖ ଡକ୍ଟର ସାମନ୍ତଙ୍କୁ ଶ୍ରୀଜୀଉଙ୍କ ପାଟବସ୍ତ୍ର ଓ ଫଟୋଚିତ୍ର ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ । ଏଥିସହିତ ଶ୍ରୀଜୀଉଙ୍କ ମନ୍ଦିରର ବିଭିନ୍ନ ସମସ୍ୟା ଏବଂ ବିକାଶ ପାଇଁ ସେବାୟତମାନେ ଡ. ସାମନ୍ତଙ୍କ ସହ ଆଲୋଚନା କରିଥିଲେ । ଡ. ସାମନ୍ତ ଶ୍ରୀଜୀଉଙ୍କ ମନ୍ଦିର ଭିତିଭୂମିର ବିକାଶ ପାଇଁ ଆବଶ୍ୟକ ସହଯୋଗ ପ୍ରଦାନ କରିବେ ବୋଲି ସେବାୟତମାନଙ୍କୁ ପ୍ରତିଶୃତି ଦେଇଥିଲେ । ଏତଦ୍ ବ୍ୟତିତ ଶ୍ରୀଜୀଉଙ୍କ ଆଶିର୍ବାଦ ମିଳିଲେ କେନ୍ଦ୍ରାପଡାରେ କିମ୍ସ ପକ୍ଷରୁ ଏକଶହ ଶଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନା ପ୍ରତିଷ୍ଠା କରାଯିବ ବୋଲି ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କ ପ୍ରଶ୍ନର ଉତର ଦେଇ କହିଥିଲେ ।

Leave a Reply

Your email address will not be published. Required fields are marked *