ବଳିଦାନ ଦିବସରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭାରତବର୍ଷର ଦଶା ଓ ଦିଶା ପରିବର୍ତ୍ତନର ମହାନାୟକ ଥିଲେ ଶ୍ୟାମାପ୍ରସାଦ: ବାଚସ୍ପତି ଶ୍ରୀମତୀ ପାଢ଼ୀ

 # କଳିକତା ବିଶ୍ୱବିଦ୍ୟାଳୟର ସର୍ବକନିଷ୍ଠ କୁଳପତି ଥିଲେ

# ଶିଳ୍ପନୀତି ଓ ଗ୍ରାମାଞ୍ଚଳ ଅର୍ଥନୀତିର ଥିଲେ ଉଦ୍‌ଗାତା

# ଦୂରଦୃଷ୍ଟିସଂପନ୍ନ ପ୍ରତିବଦ୍ଧ ରାଜନେତା ଥିଲେ

ଭୁବନେଶ୍ୱର, ୨୩/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜଣେ ଶିକ୍ଷାବିତ୍‌, ସଂସ୍କୃତି ଗବେଷକ, ଦୂରଦୃଷ୍ଟିସଂପନ୍ନ ପ୍ରତିବଦ୍ଧ ରାଜନେତା ଭାବରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଭାରତ ଇତିହାସରେ ଅବିସ୍ମରଣୀୟ ବ୍ୟକ୍ତିତ୍ୱ ଭାବରେ ଆଦୃତ ହେଉଥିବେ ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମତବ୍ୟକ୍ତ କରିଛନ୍ତି । ଆଜି ପୂର୍ବାହ୍ନରେ ଜୟଦେବ ଭବନରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଉପଲକ୍ଷେ ଆୟୋଜିତ ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ପାଢ଼ୀ ଭାରତବର୍ଷର ଦଶା ଓ ଦିଶା ପରିବର୍ତ୍ତନର ମହାନାୟକ ଭାବରେ ଶ୍ୟାମାପ୍ରସାଦଙ୍କୁ ଅଭିହିତ କରିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନ୍‌ର ମିଳିତଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ ଶ୍ୟାମାପ୍ରସାଦ ଇତିହାସ, ସଂସ୍କୃତି ଓ ପୁରାତତ୍ତ୍ୱ ଉପରେ ଗଭୀର ନିଷ୍ଠା ରଖିଥିଲେ ଓ କଲିକତା ବିଶ୍ୱବିଦ୍ୟାଳୟର ସର୍ବକନିଷ୍ଠ କୁଳପତି ଭାବରେ ଆସୀନ ହୋଇଥିଲେ । ମାଟି ଓ ଭାଷା ପ୍ରତି ତାଙ୍କର ମମତ୍ୱବୋଧ ହେତୁ ସେ ପଶ୍ଚିମ ବଙ୍ଗ ରାଜ୍ୟ ପ୍ରତିଷ୍ଠାର ଜନକ ଭାବରେ ପରିଚିତ ହୋଇଛନ୍ତି । ମହାତ୍ମା ଗାନ୍ଧୀଙ୍କ ଭାଷାରେ ମଦନ ମୋହନ ମାଲବ୍ୟଙ୍କ ପରେ ହିନ୍ଦୁମାନଙ୍କର ନେତୃତ୍ୱ ନେବାରେ ଶ୍ୟାମାପ୍ରସାଦ ଥିଲେ ଅଗ୍ରଗଣ୍ୟ । ୧୯୨୯ରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଶ୍ୟାମାପ୍ରସାଦ କେନ୍ଦ୍ରରେ ମନ୍ତ୍ରୀ ଥିବାବେଳେ ଜାତୀୟ ଶିଳ୍ପନୀତିର କର୍ଣ୍ଣଧାର ଥିଲେ । ଶ୍ରମ ଓ ପୁଞ୍ଜି ମଧ୍ୟରେ ଲାଭାଂଶର ସମବଣ୍ଟନ, ଗ୍ରାମାଞ୍ଚଳର ଅର୍ଥନୀତି ଓ ଭିତ୍ତିଭୂମିର ଦୃଢ଼ୀକରଣ କ୍ରମେ ସହର ଓ ଗ୍ରାମ ମଧ୍ୟରେ ଦୂରତ୍ୱ ହ୍ରାସ ନିମନ୍ତେ ସେ ଆନ୍ତରିକ ଉଦ୍ୟମ କରିଥିଲେ ବୋଲି ଶ୍ରୀମତୀ ପାଢ଼ୀ ଉଲ୍ଲେଖ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ ଶ୍ୟାମାପ୍ରସାଦଙ୍କୁ ସାଂସ୍କୃତିକ ରାଷ୍ଟ୍ରବାଦ ଓ ଜାତୀୟତାର ଉଦ୍‌ଘୋଷକ ଭାବରେ ବର୍ଣ୍ଣନା କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଲେ ଯେ କାଶ୍ମୀର ପରିପ୍ରେକ୍ଷୀରେ ଦେଶରେ ଦୁଇଟ ବିଧାନ ଚଳିବ ନାହିଁ ବୋଲି ଘୋଷଣା କରି ଶ୍ୟାମାପ୍ରସାଦ ଦେଶର ଏକତା ଓ ସାର୍ବଭୌମତ୍ୱ ପାଇଁ ବିଶାଳ ଅଭିଯାନ ଆରମ୍ଭ କରିଥିଲେ । ଦେଶର ଅନିଷ୍ଟ କରୁଥିବା ନୀତିର ବିରୋଧ କରି ସେ ରାଜନୈତିକ ଦୃଷ୍ଟିରୁ ଆକ୍ରୋଶର ଶିକାର ହୋଇମଧ୍ୟ ନିଜ ରାଜନୈତିକ ଆଦର୍ଶରେ ଅଟଳ ଥିଲେ ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ଗବେଷକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଐତିହାସିକ ଘଟଣାକ୍ରମର ବିସ୍ତୃତ ବିବରଣୀ ଦେଇ କହିଲେ ଯେ ୧୯୪୭ରେ ବଙ୍ଗ ବିଭାଜନ ଦୃଷ୍ଟିରୁ ଧର୍ମମତ ଆଧାରରେ ପଶ୍ଚିମବଙ୍ଗ ପ୍ରଦେଶର ଗଠନରେ ଶ୍ୟାମାପ୍ରସାଦଙ୍କ ଅବଦାନ ଅତୁଳନୀୟ । ନେହେରୁଙ୍କ ସରକାରରେ ଶ୍ୟାମାପ୍ରସାଦ ବିରୋଧୀ ଦଳଗୁଡ଼ିକର ଅଘୋଷିତ ନେତା ଥିଲେ । ରୋଚକ ତଥ୍ୟ ଦେଇ ପ୍ରଫେସର ମଲ୍ଲିକ କହିଲେ ଯେ ଉତ୍କଳଗୌରବ ମଧୁସୂଦନ ଶ୍ୟାମାପ୍ରସାଦଙ୍କ ପିତା ସାର୍‌ ଆଶୁତୋଷ ମୁଖାର୍ଜୀଙ୍କ ଗୃହଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ୧୯୪୮ରେ ମଧୁବାବୁଙ୍କ ଜନ୍ମ ଶତବାର୍ଷିକୀ ପାଳନ ସମୟରେ ତତ୍‌କାଳୀନ କେନ୍ଦ୍ରମନ୍ତ୍ରୀ ଶ୍ୟାମାପ୍ରସାଦ ମଧୁବାବୁଙ୍କ ସ୍ମୃତିରେ ‘ମାଇଁ ଇମ୍ପ୍ରେସନ୍‌’ ଶୀର୍ଷକ ଆଲେଖ ଲେଖିଥିଲେ ଏବଂ ସେହି ଆଲେଖ ସେତେବେଳେ ‘ଉତ୍କଳ ପ୍ରସଙ୍ଗ’ ପତି୍ରକାରେ ପ୍ରକାଶିତ ହୋଇଥିଲା ।

କାର୍ଯ୍ୟକ୍ରମରେ ପୌରୋହତ୍ୟ କରି ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ସ୍ୱାଗତ ଭାଷଣ କ୍ରମେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବ୍ୟକ୍ତିତ୍ୱ ଓ ରାଷ୍ଟ୍ର ନିର୍ମାଣରେ ତାଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ । ଅତିଥିମାନେ ପ୍ରାରମ୍ଭରେ ଶ୍ୟାମାପ୍ରସାଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ତନୟା ଦାସଗୋସ୍ୱାମୀଙ୍କ ନେତୃତ୍ୱରେ ‘ଶାଶ୍ୱତୀ ସାମାଜିକ ସାଂସ୍କୃତିକ’ କେନ୍ଦ୍ରର ଶିଳ୍ପୀମାନେ ଶ୍ୟାମାପ୍ରସାଦଙ୍କ ଜୀବନୀ ଆଧାରିତ ସ୍ୱାଗତ ଗୀତିକା ପରିବେଷଣ କରିଥିବାବେଳେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନ୍‌ ର ସଭାପତି ଶ୍ରୀ ଭୂବନାନନ୍ଦ ତି୍ରପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗର ଉପନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରରେ ଏକାଧିକ ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକ, କବି -ଲେଖକ -ସାହିତ୍ୟିକ -ଶିକ୍ଷାବିତ ଓ ସଂଗଠକ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *