କେନ୍ଦ୍ରାପଡ଼ା, ୦୯/୦୭/୨୦୨୫(ଓଡ଼ିଶା ସମାଚାର)- ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ୨୦ ଦଫା ଦାବି ପୂରଣ କରିବା ଦାବିକୁ ନେଇ କେନ୍ଦ୍ରାପଡା ସହରର ତିନିମୁହାଣୀ ଛକରେ ବୁଧବାର ଧର୍ମଘଟ ଓ ରାସ୍ତାରୋକ ହୋଇଥିଲା । ଆନ୍ଦୋଳନକାରୀମାନେ ରାସ୍ତାରୋକ କରିବାରୁ ଗାଡିମୋଟର ଯିବା ଆସିବା କରିବାରେ ଘୋର ସମସ୍ୟା ସୃଷ୍ଟି ହୋଇଥିଲା ।
ଆନ୍ଦୋଳନକାରୀଙ୍କ ମୁଖ୍ୟ ସମସ୍ୟା ଥିଲା ଶ୍ରମିକ ବିରୋଧୀ ୪ଟି ଶ୍ରମକୋର୍ଡ଼କୁ ବାତିଲ କରିବା, ଅଣସଂଗଠିତ ଶ୍ରମିକମାନଙ୍କର ମାସିକ ସର୍ବନିମ୍ନ ମଜୁରୀ ୨୬ ହଜାର କରିବା, କାର୍ଯ୍ୟକ୍ଷେତ୍ରରେ ଠିକାଶ୍ରମିକ, ବହିରାଗତ ଶ୍ରମିକ, ପରିବହନ ଶ୍ରମିକ, ନିର୍ମାଣ ଶ୍ରମିକ, କୃଷି ଶ୍ରମିକ, ଘରୋଇ ଶ୍ରମିକ, ବିଡ଼ି ଶ୍ରମିକଙ୍କ ମାସିକ ପେନସନ୍ ୯ ହଜାର କରିବା, ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା, ୟୁନିୟନ ପଞ୍ଜିକରଣ ପାଇଁ ଆବେଦନ କରିବାର ୪୫ ଦିନ ମଧ୍ୟରେ ପଞ୍ଜିକରଣ ହେବା, ନିତ୍ୟବ୍ୟବହାଯ୍ୟ ଜିନିଷର ଦରବୃଦ୍ଧି ବନ୍ଦ କରିବା, ଗଣ ବଂଟନ ବ୍ୟବସ୍ଥାକୁ ସାର୍ବଜନୀନ କରିବା, ଖାଦ୍ୟ ସାମଗ୍ରୀ, ଔଷଧ, କୃଷି ଯନ୍ତ୍ରପାତି ଉପରୁ ଜିଏସଟି ପ୍ରତ୍ୟାହାର କରିବା, ପେଟ୍ରୋଲ, ଡ଼ିଜେଲ ଉପରୁ ଏକସାଇଜ ଡୁ୍ୟଟି ପ୍ରତ୍ୟାହାର କରିବା ଦାବି ହୋଇଥିଲା ।
ସେହିପରି ଚାଷୀ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ୱାମୀନାଥନ କମିଶନଙ୍କ ସୁପାରିଶ ଅନୁଯାୟୀ ସ୍ଥିର କରିବା, ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ଜାତୀୟ ମୁଦ୍ରାକରଣ ଯୋଜନାକୁ ବାତିଲ କରିବା, ବିଦୁ୍ୟତ (ସଂଶୋଧନ) ବିଲ୍ ୨୦୨୨କୁ ପ୍ରତ୍ୟାହାର କରିବା, ବିଦୁ୍ୟତ କ୍ଷେତ୍ରର ଘରୋଇକରଣ ବନ୍ଦ କରିବା, ସ୍ମାର୍ଟମିଟର ବସାଇବା ବନ୍ଦ କରିବା, କାମ କରିବାର ଅଧିକାରକୁ ସମ୍ବିଧାନର ମୌଳିକ ଅଧିକାର ଅନ୍ତର୍ଭୁକ୍ତ କରିବା, ଧନୀଙ୍କ ଉପରେ ଅଧିକ ଟିକସ ବସାଇବା ଇଦ୍ୟାଦି ଶ୍ରମିକ ସଂଘର ନେତାମାନେ ଦାବି କରିଥିଲେ । ଏହି ଧର୍ମଘଟରେ ଶ୍ରମିକ ସଂଗଠନ ମାନଙ୍କର ମିଳିତ ମଂଚ, ସ୍ୱାଧୀନ ଫେଡେରେସନ ସମୂହ, ସଂଯୁକ୍ତ କୃଷକ ମୋର୍ଚ୍ଚା, କୃଷି, ଶ୍ରମିକ ଏବଂ ମହିଳା, ଯୁବ, ଛାତ୍ର, ଆଦିବାସୀ, ଦଳିତ, ବସ୍ତିବାସିନ୍ଦା ସଂଗଠନ ସମୂହ ସାମିଲ ହୋଇଥିଲେ ।
ଶ୍ରମିକ ସଂଗଠନ ନେତା ଫକୀର ଚରଣ ଖଟୁଆ, ରମଣୀ ରଞ୍ଜନ ରାଉତରାୟ, ଗୟାଧର ଧଳ, ରାଜେଶ ଦାସ, ବସନ୍ତ ସେଠୀ, ବାବାଜୀ ଧଳ, ମହମ୍ମଦ ଆକବର ଅଲ୍ଲୀ, ମାଧବ ଦାସ, ଜଗତଜୀବନ ଦାଶ, ତ୍ରିଲୋଚନ ଦାସ, ମୁକ୍ତାର ଖାଁ, ଅଶୋକ କୁମାର ତ୍ରିପାଠୀ, ଏଲିନା ସାମନ୍ତରାୟ, ଚିନ୍ମୟ ପ୍ରସାଦ ବେହୁରା, ପ୍ରଦୀପ କୁମାର ମହାନ୍ତି, ପ୍ରଫୁଲ୍ଲ ଦାସ, ଅଜୟ ସାମଲ, ଅଜିତ ପରିଡ଼ା, ବିଧୁଭୂଷଣ ମହାପାତ୍ର, ପ୍ରକାଶ ମହାନ୍ତି ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।
