ଭୁବନେଶ୍ୱରରେ ତୃତୀୟ ପରିଚୟ ଜାତୀୟ ସାହିତ୍ୟ ଉତ୍ସବ-୨୦୨୪ ଉଦଘାଟିତ

ଭୁବନେଶ୍ୱର,୦୯/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଥିବା ସଭାଗୃହରେ ତୃତୀୟ ପରିଚୟ ଜାତୀୟ ସାହିତ୍ୟ ଉତ୍ସବ-୨୦୨୪ ଉଦଘାଟିତ ହୋଇଯାଇଛି l ପ୍ରୟାସ ଅନୁଷ୍ଠାନ ଆନୁକୂଲ୍ୟରେ ଜାତୀୟ ପରିଚୟ ସାହିତ୍ୟ ମହୋତ୍ସବ  ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ତିନିଦିନ ପାଳିତ ହେବବୋଲି ପ୍ରୟାସ ଅନୁଷ୍ଠାନର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଓ ପରିଚୟ ଫାଉଣ୍ଡେସନ ର ପ୍ରତିଷ୍ଠାତା ସଭାପତି ଡ଼. ରୋଜାଲିନ ପାଟଶାଣୀ ମିଶ୍ର ସୂଚନା ଦେଇଛନ୍ତି l ଉଦଘାଟନି ଉତ୍ସବକୁ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ପୂର୍ବାହ୍ନ ୧୧ ଘଟିକା ସମୟରେ ଉଦଘାଟନ କରିଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦକ୍ଷିଣ କୋରିଆ ଓ ଭିଏତନାମ କଳାକାର ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ  ଅତ୍ୟନ୍ତ ଚିତାକର୍ଷକ ଥିଲା l ଏହା ଦ୍ୱାରା ଭାରତ, ଦକ୍ଷିଣ କୋରିଆ ଓ ଭିଏତନାମ ମଧ୍ୟରେ ସାହିତ୍ୟ ଓ ସାଂସ୍କୃତିକ ଭାବର ଆଦାନ ପ୍ରଦାନ ର ସୁଯୋଗ ସୃଷ୍ଟି ହୋଇପାରିଛି  l  ଉତ୍ସବ ଉଦଘାଟନ ପରେ ପରେ ଆଞ୍ଚଳିକ ଲେଖକଙ୍କର ସମସ୍ୟା ସମ୍ବନ୍ଧରେ ବିଶିଷ୍ଟ ସାହିତ୍ୟିକ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶ୍ରୀ ପ୍ରଫୁଲ୍ଲ କୁମାର ମହାନ୍ତି ଙ୍କ ପୌରାହିତ୍ୟରେ ଆଲୋଚିତ ହୋଇଥିଲା l ଉତ୍ସବରେ  ବିଶିଷ୍ଟ ଭାଷାବିତ୍ତ ଦେବୀପ୍ରସନ୍ନ ପଟ୍ଟନାୟକ, କବି ଶ୍ରୀ ରାଜେନ୍ଦ୍ର କିଶୋର ପଣ୍ଡା,  ବିଶିଷ୍ଟ କବି ଡ଼. ଫନୀ ମହାନ୍ତି, ଶ୍ରୀ ଯାମିନୀକାନ୍ତ ଦାସ ତଥା ରାଜ୍ୟ ତଥା ଦେଶର ସ୍ୱୀକୃତିପ୍ରାପ୍ତ ଭାରତୀୟ ଭାଷାରୁ  ୨୩ ଗୋଟି ଭାଷାର କବି, କେଖକ, ଗାଳ୍ପିକ, ଅନୁବାଦକ ଓ ସମାଲୋଚକମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି l ଉତ୍ସବରେ ପରିଚୟ ପତ୍ରିକାର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ ହେବା ସହ ବିଭିନ୍ନ ଅନୁବାଦ ପୁସ୍ତକର ପାଠକାର୍ପଣ  ହେବା ସହ ଲେଖକ / ଲେଖିକା ମାନେ ନିଜ ନିଜର ମାତୃଭାଷାରେ କବିତା ପାଠ କରିବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

Leave a Reply

Your email address will not be published. Required fields are marked *