କରଞ୍ଜ ଠୁ ଦହିମାଛ ରାସ୍ତା ନିର୍ମାଣରେ ଦୁର୍ନୀତି

ଅର୍ଥ ପଇଠ ପରେବି ତଥ୍ୟ ମିଳିଲାନି,ପୂର୍ତ ଡିଭିଜନ ସମ୍ମୁଖରେ ଧାରଣାରେ ବସିଲେ ଆବେଦନକାରୀ
କେନ୍ଦ୍ରାପଡ଼ା, ୨୪/୧୨/୨୦୨୫(ଓଡ଼ିଶା ସମାଚାର)- ଅର୍ଥ ପଇଠ ପରେବି ସୂଚନା ଅଧିକାର ନିୟମରେ ତଥ୍ୟ ନମିଳିବାରୁ ଆବେଦନକାରୀ ମଙ୍ଗଳବାର କେନ୍ଦ୍ରାପଡା ୨ନମ୍ବର ପୂର୍ତ ଡିଭିଜନ ଅଧୀକ୍ଷଣଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ତାଙ୍କୁ ସମର୍ଥନ ଜଣାଇ ବହୁ ସୂଚନା ଅଧିକାର ଅଭିଯାନର କର୍ମୀ ଓ ସାଧାରଣ ଜନତା ଧାରଣାରେ ସାମିଲ ହୋଇଥିବା ଦେଖାଯାଇଛି । କେନ୍ଦ୍ରାପଡା ଜିଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମର ଅଭିଯୋଗକାରୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ରାପଡା ଜିଲାର ପୂର୍ତ ଡିଭିଜନ -୨ କାର୍ଯ୍ୟାଳୟ ପକ୍ଷରୁ ମହାକାଳପଡ଼ା ପୂର୍ତ ସବଡିଭିଜନ ଅଧିନସ୍ତ କରଞ୍ଜ ଠାରୁ ଦହିମାଛ ଭାୟା ଗୋଖାପଡ଼ା ରାସ୍ତା ଉନ୍ନତି କରଣ ନିମନ୍ତେ ୬୬୭.୭୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପ୍ରାୟ ଦୁଇ କିଲୋମିଟର ବିଶିଷ୍ଟ ରାସ୍ତାର ଉନ୍ନତି କରଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି କରାଯାଇ ନିମ୍ନମାନର କାର୍ଯ୍ୟ କରାଯାଇଛି ।

ଉନ୍ନତି କରଣ କାର୍ଯ୍ୟ ଆଳରେ ଏହି ରାସ୍ତା କାର୍ଯ୍ୟ ଅତି ନିମ୍ନମାନର କରାଯାଇ ଅର୍ଥକୁ ହରିଲୁଟ କରାଯାଇଛି । ତେଣୁୁ ଏହାର ସତ୍ୟାସତ୍ୟ ଜାଣିବା ନିମନ୍ତେ କେନ୍ଦ୍ରାପଡା ପୂର୍ତ ଡିଭିଜନ-୨ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀଙ୍କୁ ସୂଚନା ଅଧିକାର ଆଇନ ଅନୁଯାୟୀ ଗତ ୧୩ ।୮ା୨୦୨୫ ରିଖ ସୂଚନା ନିମନ୍ତେ ଆବେଦନ କରିଥିଲେ ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ । ଏଥିସହିତ ଜନ ସୂଚନା ଅଧିକାରୀଙ୍କ ପତ୍ର ଅନୁଯାୟି ଆବେଦନକାରୀ ସୂଚନା ପ୍ରାପ୍ତି ବାବଦକୁ ପାଂଚ ଶହ ଆଠ ଟଙ୍କା ଦାଖଲ କରିସାରିଥିଲେବିିି ସମ୍ପୂର୍ଣ୍ଣ ତଥ୍ୟ ତାଙ୍କୁ ପ୍ରଦାନ କରାନଯାଇ ଅଧାପନ୍ତରିଆ ଓ ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଛି । ଏହା ସୂଚନା ଅଧିକାର ଆଇନର ଉଲଂଘନ କରୁଥିବା ଆବେଦନକାରୀ ଦୁଷ୍ମନ୍ତ ଅଭିଯୋଗ କରିଛନ୍ତି ।

ତେଣୁ ଆବେଦନକାରୀ ସମ୍ପୂର୍ଣ ସୂଚନା ପ୍ରାପ୍ତି ନିମନ୍ତେ ଆଇନ ଅନୁଯାୟୀ ପୂର୍ତ ଡିଭିଜନ-୨ କାର୍ଯ୍ୟାଳୟର ପ୍ରଥମ ଅପିଲ କର୍ତୃପକ୍ଷଙ୍କ ନିକଟରେ ଗତ ୭ା୧୦ା୨୦୨୫ ରିଖରେ ପ୍ରଥମ ଅପିଲ କରିଥିଲେ । କିନ୍ତୁ ଅଦ୍ୟାବଧି ଏକ ମାସ ପୁରଣ ପରେବି ତାଙ୍କ ଅପିଲ ଦରଖାସ୍ତର ଶୁଣାଣି କରାଯାଇ ନାହିଁ କିମ୍ବା ତାଙ୍କୁ ସମ୍ପୂର୍ଣ ତଥ୍ୟ ପ୍ରଦାନ କରାଯାଇ ନାହିଁ । ଫଳରେ ସେ ସମ୍ପୂର୍ଣ ତଥ୍ୟ ପ୍ରାପ୍ତିରୁ ବଂଚିତ ହୋଇଥିବା ଅଭିଯୋଗ କରିଛନ୍ତି । ଜନସୂଚନା ଅଧିକାରୀଙ୍କ ତଥ୍ୟ ପ୍ରଦାନରେ ବିଳମ୍ବ ଏବଂ ପ୍ରଥମ ଅପିଲ କର୍ତୃପକ୍ଷ ଆବେଦନକୁ ଶୁଣାଣି ନକରିବା ଘଟଣା ଉକ୍ତ କାର୍ଯ୍ୟରେ ହୋଇଥିବା ଦୁର୍ନୀତିକୁ ଚପାଇ ରଖିବା ପାଇଁ ଏକ ପ୍ରୟାସ ବୋଲି ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି ଆବେଦନକାରୀ କହିଛନ୍ତି । ପୂର୍ବରୁ ଦୁଷ୍ମନ୍ତ ଏସମ୍ପର୍କରେ ଲିଖିତ ଭାବରେ ପୂର୍ତ ଡିଭିଜନ ନଂ-୨ର ଅଧୀକ୍ଷଣଯନ୍ତ୍ରୀଙ୍କୁ ଜଣାଇ ଆଜି ଧାରଣାରେ ବସିଥିଲେ ।

ଅଧୀକ୍ଷଣଯନ୍ତ୍ରୀ ଆବେଦନକାରୀ ଦୁଷ୍ମନ୍ତଙ୍କୁ କାର୍ଯ୍ୟାଳୟକୁ ଡକାଇ ଆଲୋଚନା କରିବା ସହ ଏକସପ୍ତାହ ମଧ୍ୟରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । କିନ୍ତୁୁ ଆଗାମୀ ପନ୍ଦର ଦିନ ମଧ୍ୟରେ ତାଙ୍କ ଆବେଦନ ମୁତାବକ ସମସ୍ତ ତଥ୍ୟ ପ୍ରଦାନ ସହିତ ଉକ୍ତ ରାସ୍ତା ଉନ୍ନତି କରଣ କାର୍ଯ୍ୟରେ ହୋଇଥିବା ଦୁର୍ନୀତି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଦୁଷ୍ମନ୍ତ ପୂର୍ତ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଲିଖିତ ଭାବେ ଅଧୀକ୍ଷଣଯନ୍ତ୍ରୀଙ୍କୁ ଜଣାଇଦେଇଛନ୍ତି । ଏହି ଧାରଣାକୁ ସମର୍ଥନ କରି ସୂଚନା ଅଧିକାର ଅଭିଯାନର ଜିଲା ଆବାହକ ପ୍ରତାପ ମହାନ୍ତି, ମାନସ ଆଚାର୍ଯ୍ୟ, ପବିତ୍ର କୁମାର ପାଣି, ରମାକାନ୍ତ ମାହାଳି, ଜନକର ଜେନା, ସମ୍ପଦ ରାଉତ, କେଶବ ଜେନା, ସୁମନ୍ତ ସାହୁ, ରମାକାନ୍ତ ମାଝି, ସୁମନ୍ତ ସେଠୀଙ୍କ ସମେତ ବହୁ ସାମାଜିକ କର୍ମୀ, ସୂଚନା ଅଧିକାର କର୍ମୀ ଓ ବିଭିନ୍ନ ସଂଗଠନର ସଦସ୍ୟମାନେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *