ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ରରେ ବିକାଶ ନିମନ୍ତେ  ଗଜପତି ଜିଲ୍ଲାକୁ ପୋଷ୍ୟ ଜିଲ୍ଲା ଭାବରେ ଗ୍ରହଣ କଲେ ମନ୍ତ୍ରୀ

 ଭୁବନେଶ୍ୱର, ୦୯/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମତ୍ସ୍ୟ, ପ୍ରାଣୀସଂପଦ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗଜପତି ଜିଲ୍ଲାକୁ ଆସନ୍ତା ୫ ବର୍ଷ ପାଇଁ ପୋଷ୍ୟ ଜିଲ୍ଲା ଭାବରେ ଗ୍ରହଣ କରିଛନ୍ତି । ଏହି ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ତାଙ୍କ ବିଭାଗ ଓ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି । ଆଜି ପୂର୍ବାହ୍ନରେ ଗଜପତି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସଂପଦ ମେଳା ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ମଲ୍ଲିକ ବିଭିନ୍ନ ହିତାଧିକାରୀ ସରକାରୀ ଯୋଜନାର ସୁଫଳ ପାଇବା ଦିଗରେ ବିଭାଗ ଯନିବାନ ବୋଲି ପ୍ରକାଶ କରିଛନ୍ତି ।

ସ୍ଥାନୀୟ ଗଜପତି ଷ୍ଟାଡିୟମ୍‌ଠାରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ମେଳାରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ଯେ ମାଛଚାଷ, କୁକୁଡ଼ା, ଘୁଷୁରୀ ଓ ଗୋପାଳନ ଭଳି ବିଭିନ୍ନ ଉଦ୍ୟୋଗରେ ସାମିଲ ହୋଇ ଚାଷୀମାନେ ସେମାନଙ୍କ ଅର୍ଥନୈତିକ ବିକାଶକୁ ସୁନିଶ୍ଚିତ କରିପାରିବେ ଏବଂ ଏଥି ପାଇଁ ବ୍ୟାଙ୍କ ତଥା ବିଭାଗ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ । ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ସମେତ ଜିଲ୍ଲାର ବିକାଶ ନିମନ୍ତେ ସେ ସ୍ଥାନୀୟ ଜନପ୍ରତିନିଧି, ଜିଲ୍ଲା ପ୍ରଶାସନ, ସାଧାରଣ ନାଗରିକ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏକଜୁଟ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ମୋହନ ବିଧାୟକ ଦାଶରଥି ଗମାଙ୍ଗ, ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ତୃଣମୂଳସ୍ତରରୁ ସରକାରୀ କାର୍ଯ୍ୟକ୍ରମ ସଂପର୍କିତ ସଚେତନତାକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

ଏହି ମେଳା ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଛି । ଜିଲ୍ଲାର ଶ୍ରେଷ୍ଠ ଚାଷୀ ଭାବେ କୋଟାଦେବ ରାଜୁ, ମୋହନା ବ୍ଲକ୍‌ର ମା’ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ, ଗୁମ୍ମା ବ୍ଲକ୍‌ର ଶେଙ୍କରୀ ଶବର ଓ ମୋହନା ବ୍ଲକ୍‌ ଉଜ୍ଜ୍ୱଳେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପୁରସ୍କୃତ କରାଯାଇଥିଲା । ଉଦ୍ୟାନ, ମୃତ୍ତିକା ସଂରକ୍ଷଣ, ପ୍ରାଣୀସଂପଦ, ମତ୍ସ୍ୟ, ମିଶନ ଶକ୍ତି, କୃଷି ବିଭାଗ ସମେତ ସମନ୍ୱିତ ଆଦିବାସୀ ସଂସ୍ଥା ଓ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ ୨୦ଟି ଊଦ୍ଧ୍ୱର୍ ଷ୍ଟଲ ଖୋଲାଯାଇଛି ।

କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ସ୍ୱାଗତ ଭାଷଣ ଦେଇଥିବାବେଳେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

-0-

ସୂର୍ଯ୍ୟ ମିଶ୍ର,ଲୋକସଂପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *