ଜଗତସିଂହପୁର,୧୭/୦୨/୨୦୨୬ (ଓଡ଼ିଶା ସମାଚାର)- ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଖଇରଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପ୍ରବାସି ଶ୍ରମିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଏକ ଆଇନ ସଚ଼େତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପ୍ରାଧିକରଣ ସଚ଼ିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହକାରୀ ଶ୍ରମ ଅଧିକାରୀ, ସରପଞ୍ଚ ଉପସ୍ଥିତ ଥିଲେ। ସହକାରୀ ଶ୍ରମ ଅଧିକାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଚ଼ିବ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ପ୍ରତ୍ୟେକ ଶ୍ରମିକ ନିଜ ନାମକୁ ଶ୍ରମ କାର୍ଯ୍ୟାଳୟରେ ପଞ୍ଜିକରଣ କରାଇ ଶ୍ରମ କାର୍ଡ କରାଇବା ନିତାନ୍ତ ଆବଶ୍ୟକ। ଯେକୌଣସି କାର୍ଯ୍ୟରେ ଯୋଗ ଦେବା ଆଗରୁ ସମ୍ପୃକ୍ତ ମାଲିକଙ୍କ ନାମ, ଠିକଣା ଓ ସଂସ୍ଥାର ପଞ୍ଜିକରଣ ବିଷୟରେ ଜାଣି ଚୁକ୍ତିନାମା ସ୍ୱାକ୍ଷର କରାଇବା ଉଚିତ୍।
ଯଦି ଚୁକ୍ତିନାମା ଅନୁଯାଇ ମଜୁରୀ କିମ୍ବା ଅନ୍ୟାନ୍ୟ ସୁବିଧା ସୁଯୋଗ ନମିଳେ ତେବେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଇବା ଆବଶ୍ୟକ। ପ୍ରବାସି ଶ୍ରମିକଙ୍କ ବିଭିନ୍ନ ଆଇନଗତ ସାହାଯ୍ୟ ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧିକରଣ ସହ ଯୋଗାଯୋଗ କରିବାକୁ ସଚ଼ିବ ସଚେତନ କରାଇଥିଲେ। ଶେଷରେ ସରପଞ୍ଚ ଧନ୍ୟବାଦ ଅର୍ପଣ କରିଥିଲେ।
