ହୃଦଘାତରେ ସାମ୍ବାଦିକଙ୍କ ଭ୍ରାତୃ ବିୟୋଗ

ଭୁବନେଶ୍ୱର,୧୯/୬/୨୦୨୪ (ଓଡ଼ିଶା ସମାଚାର)-  ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ କୁମାର ମହାନ୍ତିଙ୍କ ସାନଭାଇ ପ୍ରମୋଦ କୁମାର ମହାନ୍ତିଙ୍କ ହୃଦଘାତରେ ମୃତୁ୍ୟ ହୋଇଯାଇଛି । ମୃତୁ୍ୟବେଳକୁ ତାଙ୍କୁ ମାତ୍ର ୫୧ ବର୍ଷ ବୟସ ହୋଇଥିଲା । ମୃତୁ୍ୟ ସମୟରେ ତାଙ୍କ ନିକଟରେ ତାଙ୍କର ପତ୍ନୀ ଶର୍ମିଳା ଦାସ, ଭାଇ ପ୍ରଦିପ୍ତ କୁମାର ମହାନ୍ତି, ଭାଉଜ କଳ୍ପନା ମହାନ୍ତି, ଜୟନ୍ତୀ ମହାନ୍ତି, ପୁତୁରା ସୁଧାଂଶ ଶେଖର ମହାନ୍ତି, ଶାଳକ ଅଶୋକ କୁମାର ଦାସ ଏବଂ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ସ୍ୱର୍ଗତ ମହାନ୍ତି ଦୀର୍ଘଦିନ ଧରି ରାଜ୍ୟ ସଂଗ୍ରହାଳୟରେ ଗ୍ୟାଲେରୀ ଆଟେଣ୍ଡାଂଟ ଭାବେ କାର୍ଯ୍ୟ କରୁଥିଲେ । ମହାମାରୀ କୋଭିଡ଼ର ପ୍ରଥମ ଲହରରେ ସେ ଆକ୍ରାନ୍ତ ହୋଇଥିଲେ । ଯାହାଫଳରେ ପକ୍ଷାଘାତ ରୋଗର ଶିକାର ହେବାରୁ ତାଙ୍କର ଡାହାଣ ହାତ ଓ ଗୋଡ଼ ଅଚଳ ହୋଇଯାଇଥିଲା । ସେ କାମ କରିବାକୁ ଅକ୍ଷମ ହୋଇପଡ଼ିବା କାରଣରୁ ତାଙ୍କର ସହଧର୍ମିଣୀ ଶର୍ମିଳା ଦାସ ରାଜ୍ୟ ସଂଗ୍ରହାଳୟରେ ଗ୍ୟାଲେରୀ ଆଟେଣ୍ଡାଂଟ ଭାବେ କାର୍ଯ୍ୟ କରୁଥିଲେ । ଗତ ୧୮ ତାରିଖ ମଙ୍ଗଳବାର ମଧ୍ୟାହ୍ନ ୧୨ ଘଟିକାରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । କ୍ୟାପିଟାଲ ହସ୍ପିଟାଲରେ ଜରୁରୀ ସେବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ତାଙ୍କୁ ଆଇସିୟୁରେ ଭର୍ତି କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଏହି ସମୟରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ମହାନ୍ତିଙ୍କର ଉତମ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ତାଙ୍କର ବଡ଼ଭାଇ ସାମ୍ବାଦିକ ପ୍ରଦୁ୍ୟମ୍ନ କୁମାର ମହାନ୍ତି ଅନୁରୋଧ ପୂର୍ବକ ଦୃଷ୍ଟି ଆକର୍ଷଣ କରିବା ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷଙ୍କୁ ନିର୍ଦ୍ଧେଶ ଦେଇଥିଲେ । ତେବେ ଏହି ନିର୍ଦ୍ଧେଶର ଅନୁପାଳନ କ୍ଷେତ୍ରରେ ବିଳମ୍ବ ଯୋଗୁଁ ଶ୍ରୀ ମହାନ୍ତିଙ୍କର ହୃଦଘାତରେ ମୃତୁ୍ୟ ହୋଇଯାଇଥିଲା । ମୃତୁ୍ୟ ପରେ ତାଙ୍କ ପାର୍ଥôବ ଶରୀରକୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ସେଠାରେ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ପୁତୁରା ଆଦିତ୍ୟ ମହାନ୍ତି ମୁଖାଗ୍ନି ଦେଇଥିଲେ । ଶ୍ରୀ ମହାନ୍ତିଙ୍କ ଅକାଳ ବିୟୋଗ ପରେ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଧେଶକ ଦିଲ୍ଲୀପ କୁମାର ରାଉତରାଏ ଅନ୍ତିମ ସଂସ୍କାର ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *