ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଶୁଭାରମ୍ଭ ଓ ଶପଥପାଠ କାର୍ଯ୍ୟକ୍ରମ।

ଯାଜପୁର,୨୮/୧୦/୨୦୨୪ (ଓଡ଼ିଶା ସମାଚାର)-ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି। ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଆଭାସୀ ମାଧ୍ୟମରେ ହୋଇଯାଇଅଛି। ଦୁର୍ନୀତି ରୂପକ ରୋଗକୁ ମଧୁମେହ ସହ ତୁଳନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହାର ପ୍ରଭାବ ପ୍ରଥମେ ଜଣା ନପଡ଼ିଲେ ମଧ୍ୟ ଏହା ଭିତରେ ଭିତରେ ରାଜ୍ୟର ଭିତ୍ତିଭୂମିକୁ ଦୁର୍ବଳ କରିଥାଏ। ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ଏହି କାର୍ଯ୍ୟକ୍ରମ ସହିତ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇ ଓସୱାନ ପ୍ଲାଟଫର୍ମରେ ଦାନଗଦି ବ୍ଲକରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଏସ.ପି. ଶ୍ରୀ ୟଶପ୍ରତାପ ଶ୍ରୀମାଲ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ, ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗ ନଗର ଶ୍ରୀ ସପନ କୁମାର ନନ୍ଦ, ଉପ ଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ, ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଶପଥ ପାଠ କରିଥିଲେ। ସେହିପରି ଜିଲ୍ଲାସ୍ତରରେ ଓସୱାନ ଭିସି କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଭିଜିଲାନ୍ସ ଇନ୍ସପେକ୍ଟର ସୁଲୋଚନା ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ସ୍ତରୀୟ ଅଧିକାରୀ, ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, କର୍ମଚାରୀ ମାନେ ଏହି ଶପଥ ପାଠ ଉତ୍ସବରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲାର ସମସ୍ତ ବ୍ଲକରେ ଓସୱାନ ପ୍ଲାଟଫର୍ମରେ ଓ ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟ ମାନଙ୍କରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ସପ୍ତାହ ପାଳନ ଉପଲକ୍ଷେ ବ୍ଲକ୍ ଓ ଜିଲ୍ଲାସ୍ତରରେ ଓଡ଼ିଆ ଭାଷାରେ “ସତ୍ୟ ନିଷ୍ଠା ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ମୁଲଭିତ୍ତି” ବିଷୟରେ ଉଚ୍ଚ ବିଦ୍ୟାଳୟ ସ୍ତରରେ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ସଚେତନତା ଉଦ୍ଦେଶ୍ୟରେ ନଭେମ୍ବର ୧ ତାରିଖ ରେ ଶୋଭାଯାତ୍ରା ଓ ନଭେମ୍ବର ୨ ତାରିଖରେ ସାଧାରଣ ସଭା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ। ଦେଶର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ପ୍ରଗତିରେ ପ୍ରତିବନ୍ଧକ ସାଜିଥିବା ଦୁର୍ନୀତିର ମୂଳୋତ୍ପାଟନ, ନିଜର ଆଚରଣରେ ସଚ୍ଚୋଟତା ଓ ଆଇନର ଶାସନକୁ ଅନୁପାଳନ କରି ସମସ୍ତ ଦାୟିତ୍ବକୁ ସାଧୁତା ଓ ସ୍ବଚ୍ଛତା ର ସହ ସମ୍ପାଦନା କରିବା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀ ଶପଥ ପାଠ କରିଥିଲେ। ଏହି ଦୁର୍ନୀତି ନିବାରଣ ସପ୍ତାହ ଅକ୍ଟୋବର ୨୮ ରୁ ଆରମ୍ଭ ହୋଇ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ।

Leave a Reply

Your email address will not be published. Required fields are marked *