ତୃତୀୟପକ୍ଷ ଠିକାଦାରଙ୍କ ଜୁଲମକୁ ବିରୋଧ କରି ବନ୍ଧା ହେଲେ ୬ ଏଆରଟେଲ ଟେକନିସିଆନ

କେନ୍ଦ୍ରାପଡ଼ା,୧୬/୦୩/୨୦୨୪ (ଓଡ଼ିଶା ସମାଚାର)-ତୃତୀୟପକ୍ଷ ଠିକାଦାରଙ୍କ ଜୁଲମ ବିରୁଦ୍ଧରେ ଏଆରଟେଲ ଅଧିନରେ ନିଯୁକ୍ତିପ୍ରାକ୍ତ ଟେକନିସିଆନମାନେ ଗତ ୪ତାରିଖରେ କେନ୍ଦ୍ରାପଡା ସଦର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରତିବାଦ କରିଥିଲେ । ଫଳରେ ପ୍ରତାପ ଟେକ୍ନୋକ୍ରାଟ ପ୍ରାଇଭେଟ ଲିମିଟେଡ ନାମକ ଏକ ତୃତୀୟ ପକ୍ଷ ଠିକାଦର ବିକାଶ ଚନ୍ଦ୍ର ନାୟକ ନାମକ ଜନୈକ ଟେକନିସିଆନଙ୍କ ବିରୁଦ୍ଧରେ କେନ୍ଦ୍ରାପଡା ସଦର ଥାନାରେ ଦେଇଥିବା ମିଥ୍ୟା ଅଭିଯୋଗ ଉପରେ ନିଖିଳ ଓଡିଶା ଭାରତୀ ଇନଫ୍ରାଟେଲ କଂଟ୍ରାକଚୁଆଲ ଟେକନିସିଆନସ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରତିବାଦ ଯୋଗୁଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । କିନ୍ତୁ ପ୍ରତାପ ଟେକ୍ନୋକ୍ରାଟ ପ୍ରାଇଭେଟ ଲିମିଟେଡ ପକ୍ଷରୁ ନିକିରାଇ ଥାନାରେ ନହଙ୍ଗସ୍ଥିତ ଏଆରଟେଲ ଟାୱାରରେ ତାର ଓ କେବୁଲ କଟାଯିବା ସହ ନିଆଁ ଲଗେଇ ଦେଇଥିବା ନେଇ ୬ଜଣ ଟେକନିସିଆନଙ୍କ ବିରୁଦ୍ଧରେ ଏକ ଅଭିଯୋଗ ଗତ ୧୪ତାରିଖରେ କରାଯାଇଥିଲା । ନିକିରାଇ ଥାନା ପକ୍ଷରୁ ସେହିଦିନ ଥାନା କେଶ ନମ୍ବର ୭୧/୨୦୨୪ରେ ଆଇପିସିର ୪୩୫,୪୪୭,୪୨୭ ଓ ୩୪ଦଫାରେ ଏବଂ ଭାରତୀୟ ଟେଲିଗ୍ରାଫ ଆଇନର ୨୫ଦଫାରେ ଏକ ମାମଲା ରୁଜୁ କରାଯିବା ସହ ଭଦ୍ରକ ତୁରିବଣିଆର ପ୍ରକାଶ ଚନ୍ଦ୍ର ନାୟକ, ନୟାଗଡର ମାନସ କୁମାର ରାଉତ, ନିକିରାଇର ନିହାରରଞ୍ଜନ ପାତ୍ର, ରାମନଗରର ରତିକାନ୍ତ ସାନ୍ତରା ଓ ଗୁରୁପଦ ସାନ୍ତରା ଏବଂ ସେରପୁରର ଚିନ୍ମୟ କୁମାର ମଲ୍ଲିକଙ୍କୁ ଶୁକ୍ରବାର ଗିରଫ କରି ଥାନାରେ ଅଟକ ରଖିଥିଲା । ଆଜି ସେହି ୬ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥରବା ନିକିରାଇ ଥାନା ଅଧିକାରୀ ଜୋତିର୍ମୟୀ ସେଠୀ ସୂଚନା ଦେଇଛନ୍ତି । ସଂଘ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ବିଭିନ୍ନ ଥାନାରେ ସଂପୃକ୍ତ ସଂସ୍ଥା ପକ୍ଷରୁ ଏଭଳି ମିଥ୍ୟା ଅଭିଯୋଗ କରାଯାଇଥିଲେବି ଆଜି ସୁଦ୍ଧା କୌଣସି ଥାନା ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ବେଳେ ନିକିରାଇ ଥାନା ରାଜ୍ୟର ପ୍ରଥମ ଥାନା ଭାବେ ବିନା ତଦନ୍ତରେ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଘଟଣା ଅନୁଯାୟୀ ଏଆରଟେଲ କମ୍ପାନୀ ଅଧିନରେ ନିଯୁକ୍ତି ପାଇ ପରବର୍ତୀ ସମୟରେ ଇଣ୍ଡସ ଟାୱାର ଲିମିଟେଡ(ପୂର୍ବରୁ ଭାରତୀ ଇନଫ୍ରାଟେଲ ଲିମିଟେଡ) ଅଧିନରେ ଅଧୁନା କାର୍ଯ୍ୟରତ ଟେକନିସିଆନମାନଙ୍କ ସହ କୌଣସି ଆଲୋଚନା ନକରି ସେମାନଙ୍କୁ ପ୍ରତାପ ଟେକ୍ନୋକ୍ରାଟ ପ୍ରାଇଭେଟ ଲିମିଟେଡ ଏବଂ ନରୁଲା ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ ଭଳି ତୃତୀୟ ପକ୍ଷ ଠିକା ସଂସ୍ଥା ଅଧିନରେ ଜୋର ଜବରଦସ୍ତ କାମ କରିବାକୁ ବାଧ୍ୟ କରୁଥିବାରୁ ନିଖିଳ ଓଡିଶା ଭାରତୀ ଇନଫ୍ରାଟେଲ କଂଟ୍ରାକଚୁଆଲ ଟେକନିସିଆନସ ୟୁନିଅନ ପକ୍ଷରୁ ଏଭଳି ବେଆଇନ କାର୍ଯ୍ୟ ବିରୁଦ୍ଧରେ ସାରା ରାଜ୍ୟରେ ପ୍ରତିବାଦ କରାଯାଉଛି । କେନ୍ଦ୍ରାପଡା ଜିଲାର ଦାୟୀତ୍ୱ ଇଣ୍ଡସ ଟାୱାର ଲିମିଟେଡ ପକ୍ଷରୁ ପ୍ରତାପ ଟେକ୍ନୋକ୍ରାଟ ପ୍ରାଇଭେଟ ଲିମିଟେଡକୁ ଦିଆଯାଇଥିବା ସଂପୃକ୍ତ ସଂସ୍ଥା ଦାବି କରି କେନ୍ଦ୍ରାପଡା ଜିଲାର କେତେକ ଏଆରଟେଲ ଟାୱାରର ତାଲା ଜୋର ଜବରଦସ୍ତି ଭାଙ୍ଗି ନୂତନ ତାଲା ପକାଇବା ସହ ସଂପୃକ୍ତ ଅଂଚଳର ଟେକନିସିଆନଙ୍କୁ ଏହି କମ୍ପାନୀରେ ଯୋଗଦାନ କରିବାକୁ ଧମକାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଟେକନିସିଆନମାନେ ଏଭଳି ବେଆଇନ କାର୍ଯ୍ୟର ବିରୋଧ କରିବାରୁ ସେମାନଙ୍କୁ ଜବତ କରିବା ଉଦେଶ୍ୟରେ ପ୍ରତାପ ଟେକ୍ନୋକ୍ରାଟ ପ୍ରାଇଭେଟ ଲିମିଟେଡ ପକ୍ଷରୁ କେନ୍ଦ୍ରାପଡାର ବିଭିନ୍ନ ଥାନାରେ ମିଥ୍ୟା ଅଭିଯୋଗ କରାଯାଇଛି ବୋଲି ସଂଘ ଅଭିଯୋଗ କରିଛି । ଗତ ୪ତାରିଖରେ ସଦରଥାନାରେ ଏଭଳି ମିଥ୍ୟା ଅଭିଯୋଗ ପରେ ଥାନା ପକ୍ଷରୁ ଟେକନିସିଆନ ଶ୍ରୀ ନାୟକଙ୍କୁ ଥାନାକୁ ଡକାଯାଇଥିଲା । କିନ୍ତୁ ନିଖିଳ ଓଡିଶା ଭାରତୀ ଇନଫ୍ରାଟେଲ କଂଟ୍ରାକଚୁଆଲ ଟେକନିସିଆନସ ୟୁନିଅନ ପକ୍ଷରୁ ଏହାର ପ୍ରବଳ ବିରୋଧ କରାଯାଇ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରତିବାଦ କରାଯିବାରେ ଥାନା ସେହି ମିଥ୍ୟା ଅଭିଯୋଗ ଉପରେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା ବୋଲି ସଂଘ କହିଛି । ସେହିଦିନ ୟୁନିଅନ ପକ୍ଷରୁ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ସଂପୃକ୍ତ ତୃତୀୟପକ୍ଷ ଠିକାସଂସ୍ଥା ବିରୁଦ୍ଧରେ ଏକ ୧୧ଦଫା ସମ୍ବଳିତ ଅଭିଯୋଗ ମଧ୍ୟ ପ୍ରଦାନ କରାଯାଇଥିବା ୟୁନିଅନର ସଭାପତି ଡ. ପୂର୍ଣ୍ଣଚନ୍ଦ୍ର ବେହେରା, ସମ୍ପାଦକ ବୁଗୁରୁ ତ୍ରିନାଥ, ଜୋନାଲ ସଭାପତି ବିକାଶ ଚନ୍ଦ୍ର ନାୟକ ପ୍ରମୁଖ ସୂଚନା ଦେଇଥିଲେ । ନିକିରାଇ ଥାନାର ଏଭଳି ବେଆଇନ ଗିରଫ ପ୍ରତିବାଦରେ ସଂଘ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏଆଇଟିୟୁସି ରାଜ୍ୟ କମିଟି ସଭ୍ୟ ଅଶୋକ ସାହୁ, ଶ୍ରମିକନେତା ରମଣୀରଞ୍ଜନ ରାଉତରାୟ, ବିଧୁଭୂଷଣ ମହାପାତ୍ର, ଆଲୋକ ମହାନ୍ତି, ମାନସ ରାଉତ, ସୁବ୍ରତ ଜେନା, କିଶୋର ରାଉତ, ରମେଶ ଚନ୍ଦ୍ର ସାହୁ, ରାକେଶ ଓଝା, ବସନ୍ତ ସାହୁ, ସନ୍ତୋଷ ମହାପାତ୍ର, ଭବାନିଶଙ୍କର ନାୟକ, ଧନଞ୍ଜୟ ବାରିକ, ପ୍ରଦୀପ ରାଉତ, ରାଜୀବ ରାଉତ, ଶ୍ରୀକାନ୍ତ ଜେନା, ଦୀପକ ମହାପାତ୍ର ପ୍ରମୁଖ ଟେକନିସିଆନମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *