ଜଗତସିଂହପୁର,୨୮/୧୦/୨୦୨୪ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ରଘୁନାଥପୁର ବ୍ଲକ ଅନ୍ତର୍ଗତ ତରିକୁନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାଧିକରଣ ସଚିବ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଆଲୋଚନା କରିବା ସହ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ,ଆଇନ ସାକ୍ଷରତା କ୍ଲବ ଉଦ୍ଦେଶ୍ୟ ହେଉଛି ଆଇନଗତ ସଚେତନତା ସୃଷ୍ଟି କରିବା, ଆଇନକୁ ମାନିବା, ସଂସ୍କୃତିକୁ ଉତ୍ସାହିତ କରିବା । ଯୁବ ପିଢିଙ୍କ ମଧ୍ୟରେ ଆଇନ ଶାସନର ଦର୍ଶନ ବିସ୍ତାର କରିବା ପାଇଁ ସ୍କୁଲ ଏବଂ କଲେଜରେ ଛାତ୍ର ଆଇନ ସାକ୍ଷରତା କ୍ଲବ୍ ପ୍ରତିଷ୍ଠା କରିବା ନାଲସାର ଏକ ଯୋଜନା । ଛାତ୍ରମାନେ ଆମ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଏକ ଆଇନଗତ ସମ୍ବେଦନଶୀଳ ସମାଜ ସୃଷ୍ଟି କରିବାରେ ସେମାନଙ୍କର ଅଂଶଗ୍ରହଣ ଅପରିହାର୍ଯ୍ୟ । ଛାତ୍ରମାନେ ଆମର ଭବିଷ୍ୟତ, ଛାତ୍ରମାନଙ୍କ ପାଇଁ ଆଇନଗତ ଅଧିକାର ଏବଂ କର୍ତ୍ତବ୍ୟ ବିଷୟରେ ସଚେତନତା ଏକ ଉତ୍ତମ ଭବିଷ୍ୟତ ନିଶ୍ଚିତ କରିବାରେ ସାହାଯ୍ୟ କରିବ । ଏହି ଅବସରରେ ଏସିଡ୍ ଆକ୍ରମଣ ବିଷୟରେ ଏକ ବକ୍ତୃତା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା ଏବଂ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।