ଗରଦପୁର,୧୩/୧୨/୨୦୨୩ (ଓଡ଼ିଶା ସମାଚାର)- ଗରଦପୁର ତହସିଲ ଅଧିନସ୍ଥ ତେଣ୍ଡାକୁଡ଼ା ରାଜସ୍ୱ ବିଭାଗ ତଥା ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ଆଳିଜଙ୍ଗା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନୀକାଣ୍ଡ ଘଟିଛି । ଆଳିଜଙ୍ଗା ଗ୍ରାମର ଦୁଇ ବିଧବା ମହିଳାଙ୍କ ଘରେ ନିଆଁଲାଗି ସର୍ବସ୍ୱ ପୋଡ଼ି ପାଉଁଶ ହୋଇଯାଇଛି ।
ଆଳିଜଙ୍ଗା ଗ୍ରାମର ରଂଜିତା ବିଶ୍ୱାଳ, ସ୍ୱାମୀ ସ୍ୱର୍ଗତ ରବିନ୍ଦ୍ର ବିଶ୍ୱାଳ ଓ ସଂଯୁକ୍ତା ବିଶ୍ୱାଳ, ସ୍ୱାମୀ ସ୍ୱର୍ଗତ ଅରୁଣ ବିଶ୍ୱାଳଙ୍କ ଘରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନୀକାଣ୍ଡ ଘଟି ଏହି ଦୁଇ ବିଧବା ମହିଳାଙ୍କ ୪ ବଖରା ଘର ସହ ସର୍ବସ୍ୱ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି । ସବୁଦିନ ପରି ମଙ୍ଗଳବାର ରାତିରେ ଖାଇ ପିଇ ଶୋଇଥିବାବେଳେ ଅଗ୍ନୀକାଣ୍ଡ ଘଟିଥିଲା । ପାଖ ପଡ଼ୋସି ରାତିରେ ପରିସ୍ରା କରିବାକୁ ବାହାରକୁ ଆସିଥିବାବେଳେ ସେମାନଙ୍କ ଘରେ ନିଆଁ ଲାଗିଯାଇଥିବା ଦେଖି ଡ଼ାକ ପକାଇବାରୁ ଲୋକମାନେ ଜମା ହୋଇ ପଡ଼ି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ହେଲେ ସର୍ବସ୍ୱର୍ ଜଳିଯାଇଥିଲା । ଘରେ ଥିବା ଖଟ, ଆଲମିରା, ସମେତ, କଂସା ବାସନ, ଲୁଗାପଟା , ଧାନ ଚାଉଳ , ଖାଦ୍ୟ , ଆସବାବ ପତ୍ର ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଛି ।
କୋରୁଆ ଅଗ୍ନୀଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଘରୁ କିଛି ଜିନିଷ ଉଦ୍ଧାର ହୋଇପାରିନାହିଁ । ତେବେ ଅଗଃୀକାଣ୍ଡରେ ମଣିଷ କିମ୍ବା ଜୀବଜନ୍ତୁ କେହି ମୃତାହତ ହୋଇନାହାନ୍ତି । ଘରପୋଡ଼ି ଖବର ପାଇ ତେଣ୍ଡାକୁଡ଼ା ପଂଚାୟତ ସରପଂଚ ମାନସ କୁମାର ରାଉତ, ସମିତି ସଭ୍ୟ ବାସୁଦେବ ବେହେରା ବୁଧବାର ସକାଳେ ଘରପୋଡ଼ି ଦେଖି ରାଜସ୍ୱ ନିରୀକ୍ଷକଙ୍କୁ ଖବର ଦେଇଥିଲେ । ଖବର ପାଇ ରାଜସ୍ୱ ନିରୀକ୍ଷକ ପହଂଚି କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି । ଦୁଇ ବିଧବା ମହିଳାଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଆଳିଜଙ୍ଗାରେ ଅଗ୍ନୀକାଣ୍ଡ ଘଟି ଦୁଇ ବିଧବା ମହିଳାଙ୍କ ସର୍ବସ୍ୱ ପୋଡ଼ି ପାଉଁଶ, ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି
