ଗଞ୍ଜାମ ଜିଲ୍ଲାରେ ପ୍ରସ୍ତୁତି କାର୍ଯ୍ୟ ତଦାରଖ କଲେ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା

ଭୁବନେଶ୍ୱର,୨୪/୧୦/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ଦାୟିତ୍ୱରେ ଥିବା ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଆଜି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଛନ୍ତି । ସେ ଗୋପାଳପୁରର ମାର୍କଣ୍ଡି, ଚିକିଟିର ରାମୟପାଟଣା, ଖଲ୍ଲିକୋଟର ସୁବଳିଆ, ଛତ୍ରପୁରର ପୋଡମ୍‌ପେଟା ଆଦି ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳୀ ଦେଖିଥିଲେ । ସେଠାରେ ଲୋକମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ଖାଦ୍ୟପେୟ ଓ ଅନ୍ୟାନ୍ୟ ସୁବିଧାଗୁଡ଼ଇକ ସଂପର୍କରେ ମନ୍ତ୍ରୀ ତଦାରଖ କରିଥିଲେ । ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ପ୍ରସ୍ତୁତି କାର୍ଯ୍ୟ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି ଏବଂ ସମୁଦ୍ରକୂଳବର୍ତ୍ତୀ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିରାପଦ ଭାବରେ ସ୍ଥାନାନ୍ତରିତ କରାଯାଇଛି । ୧୧ଟି ସ୍ଥାନରେ ସରକାରୀ ଅଧିକାରୀଙ୍କୁ ମୁତୟନ କରାଯାଇଛି । ସରକାରଙ୍କ ପକ୍ଷରୁ ଜିରୋ କାଜୁଆଲିଟି ଲକ୍ଷ୍ୟ ରଖାଯାଇଥିବାବେଳେ ସତର୍କତା ଅବଲମ୍ବନ କରିବା ସହିତ ବାତ୍ୟା ନେଇ କୌଣସି ପ୍ରକାରେ ଭୟଭୀତ ନହେବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଗତକାଲି ମନ୍ତ୍ରୀ ଶ୍ରୀ ଜେନା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ପ୍ରସ୍ତୁତି କାର୍ଯ୍ୟ ନେଇ ବିସ୍ତୃତ ଆଲୋଚନା କରିଛନ୍ତି । ଆଜି ବିଭିନ୍ନ ଅଞ୍ଚଳ ବୁଲି ତଦାରଖ କରିବା ସମୟରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସହିତ ଖଲ୍ଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ମଧ୍ୟ ଉପସ୍ଥିତ ଥିଲେ ।

-0-

ସୂର୍ଯ୍ୟ ମିଶ୍ର, ଲୋକସଂପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *