କେନ୍ଦ୍ରାପଡ଼ା, ୮/୭/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜୀଉମାନେ ପହଣ୍ଡି ହୋଇ ବ୍ରହ୍ମତାଳଧୋଜ ରଥରେ ଆସିନ ହୋଇଥିଲେବି ସୂର୍ଯ୍ୟାସ୍ତ ହୋଇଯିବାରୁ ରଥ ଆଉ ଟଣା ହୋଇପାରିନଥିଲା । ଆଜି ରଥ ଟଣା ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ରଥ ଟାଣି ନ ପାରି ଭକ୍ତମାନେ ନିରାଶରେ ଘରକୁ ଫେରିଥିବା ଦେଖାଯାଇଥିଲା । ଅପରାହ୍ନ ୫ଟା ୩୦ରେ ରଥ ଟଣା ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସମୟ ନିର୍ଘଂଟ କରାଯାଇଥିଲା । ସେଥିପାଇଁ ପ୍ରଶାସନ ଅଧିକାରୀମାନେ ଯୋରଦାର ଉଦ୍ୟମ ମଧ୍ୟ କରିଥିଲେ । ଜିଲାପାଳ ସୂର୍ଯ୍ୟବଂଶୀ ମୟୂରବିକାଶ, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କ ସମେତ ଶ୍ରୀବଳଦେବଜୀଉ ଦେବୋତର ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ ତଥା ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କ ସମେତ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ରଥଯାତ୍ରା ବର୍ଷର ଜାନିଯାତ ଗୁଡିକ ମଧ୍ୟରେ ଶ୍ରେଷ୍ଠ ପର୍ବ । ଏହି ପର୍ବକୁ ସେବାୟତମାନେ ଦାୟିତ୍ୱର ସହ ସମାପନ କରିଥାନ୍ତି । କେତେକ ସେବାୟତ ପ୍ରଶାସନକୁ ଦୋଷ ଦେଇଛନ୍ତି । ସେମାନେ କହିଛନ୍ତି ପ୍ରଶାସନର କାର୍ଯ୍ୟ ଥିଲା ୬ ପାଳିଆ(ରଥ ଯାତ୍ରାରେ ଆଜି ଯେଉଁ ସେବାୟତମାନଙ୍କର ସେବା ଥିଲା)ଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା । କିନ୍ତୁ ତାହା କରିବାରେ ପ୍ରଶାସନ ବିଫଳ ହୋଇଛି । ରଥ ଟାଣିବା ପାଇଁ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ରଥ ଦାଣ୍ଡରେ ପହଂଚିଥିଲେ । କାହିଁକି ବିଭ୍ରାଟ ହେଲା ସେ ସଂକ୍ରାନ୍ତରେ ପ୍ରଶାସନର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କୁ ପଚାରିବାରୁ ସେ କହିଲେ ତିଥି ଅନୁଯାୟୀ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଗୋଟିଏ ଦିନରେ ପଡିଥିବାରୁ ନୀତିକାନ୍ତି ସେହି ଅନୁଯାୟୀ ନିର୍ଦ୍ଧାରିତ କରାଯାଇଥିଲା । ଶ୍ରୀ ଜୀଉଙ୍କ ନେତ୍ରଦାନ, ନବଯୌବନ ଦର୍ଶନ ଓ ଜୟମଙ୍ଗଳା ଆଳତୀ ଭୋର ୪ଟା, ଭୋର ୫ଟାରେ ନୀତି ସ୍ନାନ, ଭୋର ୬ଟାରେ ନ୍ୟାସ ଓ ହୋମ, ୮ଟା ୩୦ରେ ବଲ୍ଲଭ ମଣୋହୀ, ୯ଟାରେ ମଙ୍ଗଳାର୍ପଣ, ୧୦ଟାରେ ଖେଚୁଡି ଧୂପ, ୧୧ଟାରେ ଦ୍ୱିପହର ଧୂପ ଓ ୧୧ଟା ୩୦ରେ ନେତ ବନ୍ଧା ନୀତି କରାଯିବା ପାଇଁ ନୀତି ନିର୍ଦ୍ଧାରଣ ହୋଇଥିଲା । କିନ୍ତୁ ଦ୍ୱିପହର ଧୂପ ପୂର୍ବରୁ ଅର୍ଥାତ ୧୧ଟା ବେଳେ ନୀତି ବିଳମ୍ବ ହେଲା । ଏହାର କାରଣ ହେଉଛି ନୀତି ନଥିବା ଜଣେ ସେବାୟତ ଠାକୁରଙ୍କ ଉପରକୁ ୩ଟି ତୁଳସୀ ମାଳ ଫିଙ୍ଗିଥିଲେ । ଏହାଦ୍ୱାରା ନୀତି ମାରା ହେବାରୁ ଶ୍ରୀଜୀଉଙ୍କୁ ମହାସ୍ନାନ କରାଯାଇଥିଲା । ଏଥିପାଇଁ ବିଭିନ୍ନ ନୀତିରେ ବଳମ୍ବ ଘଟିଥିଲା । ଫଳରେ ଠିକ ସମୟରେ ଶ୍ରୀଜୀଉମାନେ ରଥାରୁଢ ହୋଇ ପାରିନଥିଲେ । ସବୁ କାର୍ଯ୍ୟ ସରିଲା ବେଳକୁ ସାଢେ ୬ଟା ରେ ସୂର୍ଯ୍ୟାସ୍ତ ହୋଇଗଲା । ସୂର୍ଯ୍ୟାସ୍ତ ପରେ ରଥ ଟଣା ହୁଏ ନାହିଁ । ତେଣୁ ରଥ ଟଣା ହେଲା ନାହିଁ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ପତ୍ରୀ କହିଛନ୍ତି ।