ମାହାଙ୍ଗା ୨୪/୧୦/୨୦୨୪ (ଓଡିଶା ସମାଚାର /ଅଭୟ ଜେନା ) -ବାତ୍ୟା “ଦାନା”ର ପ୍ରକୋପରୁ ନିସ୍ତାର ପାଇଁ ଭିଟାମାଟି ଛାଡିଛନ୍ତି ଅନେକ ପରିବାର । ମାହାଙ୍ଗା ବ୍ଲକର ୩୭ ଟି ଗ୍ରାମ ପଞ୍ଚାୟତରେ ବାତ୍ୟା ଆଶ୍ରୟସ୍ଥଳୀ ଖୋଲା ଯାଇଛି । ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ଘନଘନ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି । ଏହି ବ୍ଲକର କୁହୁଣ୍ଡା ପଞ୍ଚାୟତରେ ଦୀର୍ଘ ପଚାଶ ବର୍ଷ ଧରି ସ୍ଥାୟୀ ଭାବେ ବସବାସ କରୁଥିବା ବହୁ ଆଦିବାସୀ ପରିବାରକୁ ଭେଟିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ସ୍ଥାନୀୟ ବିଧାୟକ ଶାରଦା ପ୍ରଧାନ ଗତ ବୁଧବାର ରାତିରେ କୁହୁଣ୍ଡା ଗାଁ’ରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ । କଚ୍ଚା ଘରୁ ସ୍କୁଲ ପରିସରରେ ଥିବା ଛାତ ଘରକୁ ଉଠି ଆସିବାକୁ ବିଧାୟକ ବିପନ୍ନ ଲୋକ ମାନଙ୍କୁ ଆହ୍ୱାନ ଦେଇଥିଲେ । କଟକ ଜିଲ୍ଲାପାଳ ଦାତ୍ତାତ୍ରେୟ ଭାଉ ସାହେବ ସିନ୍ଧେ, ଗ୍ରାମାଞ୍ଚଳ ଏସ୍ ପି, ସ୍ଥାନୀୟ ବିଡ଼ିଓ ସନ୍ତୋଷ କୁମାର ଜେନା , ତହସିଲଦାର ସୁଶାନ୍ତ ମିଶ୍ର ମଧ୍ୟ ଆଦିବାସୀ ବହୁଳ କୁହୁଣ୍ଡା ପଞ୍ଚାୟତକୁ ଆସିବା ପରେ ଆଜି ଖୋଦ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ମାହାଙ୍ଗାରେ ପହଂଚି ଥିଲେ । କୁହୁଣ୍ଡା ପଞ୍ଚାୟତର ଏହି କ୍ୟାମ୍ପରେ ଥିବା ୩ ଟି ଆଦିବାସୀ ବସ୍ତିର ୩ ଶହରୁ ଅଧିକ ଲୋକମାନଙ୍କୁ କଲ୍ୟାଣପୁର ପ୍ରାଥମିକ ସ୍କୁଲକୁ ସ୍ଥାନାନ୍ତର କରାଯାଇଛି । ୩ ଶହରୁ ଉର୍ଦ୍ଧ୍ଵ ପୁରୁଷ ଏବଂ ମହିଳାଙ୍କ ସହିତ ଏକାଧିକ ନବଜାତ ଶିଶୁ ମଧ୍ୟ ଏହି ଆଶ୍ରୟ ସ୍ଥଳୀରେ ଆଶ୍ରେ ନେଇଛନ୍ତି । ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ, ଜଳଖିଆ, ପାଣି, ଔଷଧ ଯୋଗାଇ ଦିଆଯାଇଛି । ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ଗତକାଲି ରାତିରେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ବାତ୍ୟା ଆଶ୍ରୟସ୍ଥଳୀରେ ପହଂଚି ଲୋକଙ୍କୁ ଭେଟିଥିଲେ । ଆଜି ଅଇନମନ୍ତ୍ରୀଙ୍କ ସହିତ ବହୁ ପ୍ରଶାସନିକ ଅଧିକାରୀ କୁହୁଣ୍ଡା ପଞ୍ଚାୟତରେ ପହଂଚିବା ଦେଖିବାକୁ ମିଳିଥିଲା । ଘର ଛାଡି ବିଭିନ୍ନ ନିରାପଦ ସ୍ଥାନରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇଦେବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ମାହାଙ୍ଗା ବ୍ଲକରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଭେଡା ପଞ୍ଚାୟତରେ ଥିବା ଶତାଧିକ ବିପନ୍ନ ଲୋକଙ୍କୁ ମଧ୍ୟ ଭେଟିଛନ୍ତି ଉଭୟ ମନ୍ତ୍ରୀ ଏବଂ ବିଧାୟକ । କଲ୍ୟାଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ଶହଶହ ବିପନ୍ନ ଆଦିବାସୀ ଲୋକଙ୍କ ସହିତ ସମୟ କାଟିଥିଲେ ମନ୍ତ୍ରୀ ଓ ବିଧାୟକ । ସେମାନଙ୍କୁ ସବୁପ୍ରକାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀଙ୍କ ଏହି ଗ୍ରସ୍ତ ସମୟରେ ଉପ ଜିଲ୍ଲାପାଳ ଉମାକାନ୍ତ ରାଜ, ସ୍ଥାନୀୟ ଆଇଆଇସି ତପନ ରାଉତ, ବିଇଓ ଚକ୍ରଧର ବେହେରା, ବିଡ଼ିଓ ସନ୍ତୋଷ ଜେନା, ତହସିଲଦାର ସୁଶାନ୍ତ ମିଶ୍ର,ଯୁବ ସମାଜସେବୀ ଅଖିଳେଶ ମହାନ୍ତି, ସାମାଜିକ କର୍ମୀ ନିରଞ୍ଜନ ମୁଦୁଲି, ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ପ୍ରଧାନ,ସଂଗଠକ ଭକ୍ତ ଚରଣ ସ୍ୱାଇଁ,ପ୍ରଭାତ ଘଡେଇ, ଅଜୟ ସ୍ୱାଇଁ,ସୁଶାନ୍ତ ଦାସ,ସୌଦାମିନୀ ଶରଣ, ବିଦୁଲତା ସିଂ,ନଗେନ ବେହୁରା,ରାଜେଶ ବେହେରା, ଗଣେଶ ବିହାରୀ, ରବୀନ୍ଦ୍ର ପୃଷ୍ଟି, ଅଫସର ତୁଲ୍ଲା, କ୍ଷୀରୋଦ ଦାଶ, ଜଗନ୍ନାଥ ପଣ୍ଡା,ସୁରେନ୍ଦ୍ର ମହାନ୍ତି, ମୃତ୍ୟୁଞ୍ଜୟ ବିଶ୍ୱାଳ,ଉମେଶ ଭଞ୍ଜ, ପ୍ରମୁଖ ଉପସ୍ଥିତ ଥିଲେ ।