ନିଖୋଜ ୭ ବର୍ଷୀୟା ଶିଶୁକନ୍ୟା ଖୋର୍ଦ୍ଧାରୁ ଉଦ୍ଧାର, ଜଣେ ଅଭିଯୁକ୍ତ ଗିରଫ

କଟକ,୦୧/୦୯/୨୦୨୬ (ଓଡ଼ିଶା ସମାଚାର / ଦେବାଶିଷ ରଥ)- କଟକ ରେଳ ଷ୍ଟେସନରୁ ନିଖୋଜ ହୋଇଥିବା ଜଣେ ୭ ବର୍ଷୀୟା ଶିଶୁକନ୍ୟାକୁ କମିଶନରେଟ୍ ପୁଲିସର ତ୍ୱରିତ ଓ ସମନ୍ୱିତ ଅଭିଯାନ ଫଳରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ରାଜୁ ଓରଫ ରାଜକିଶୋର ରାଉତରାୟ (୫୨)ଙ୍କୁ ପୁଲିସ ଗିରଫ କରିଛି।

ପୁଲିସ ସୂଚନା ଅନୁଯାୟୀ, ଗତ ୨୯ ଅଗଷ୍ଟ ୨୦୨୬ ଅପରାହ୍ନ ପ୍ରାୟ ୨ଟା ୩୦ ସମୟରେ ଅଭିଯୋଗକାରୀ ଜଣକ ଅନୁଗୁଳରୁ ତାଙ୍କ ୭ ବର୍ଷୀୟା ନାତୁଣୀଙ୍କ ସହ କଟକ ରେଳ ଷ୍ଟେସନରେ ପହଞ୍ଚିଥିଲେ। ଖାଦ୍ୟ ଆଣିବା ପାଇଁ ସେ ଶିଶୁଟିକୁ ଏକ ସ୍ଥାନରେ ରଖି ଯାଇଥିଲେ। ଫେରିବା ପରେ ଶିଶୁଟିକୁ ସେଠାରେ ନପାଇ ତୁରନ୍ତ ପୁଲିସରେ ଅଭିଯୋଗ କରିଥିଲେ।
ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ଏସିପି ଓ ଇନ୍ସପେକ୍ଟରମାନଙ୍କ ନେତୃତ୍ୱରେ ୧୦ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଶିଶୁଟିକୁ ଖୋଜିବା ସହ ଅଭିଯୁକ୍ତକୁ ଧରିବା ପାଇଁ ଅଭିଯାନ ଆରମ୍ଭ କରାଯାଇଥିଲା।
ତଦନ୍ତ ସମୟରେ ଡଗ୍ ସ୍କ୍ୱାଡ୍‌କୁ ନିୟୋଜିତ କରାଯିବା ସହ କଟକ, କାଠଯୋଡ଼ି, ବାଲିକୁଦା, ବାରଙ୍ଗ ଓ ଭୁବନେଶ୍ୱର ରେଳ ଷ୍ଟେସନ ସମେତ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା। ଏହା ସହିତ ଯାଜପୁର ଓ ଭଦ୍ରକ ଜିଲ୍ଲା ଅଧୀନରେ ଥିବା ବିଭିନ୍ନ ରେଳ ଷ୍ଟେସନର ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଇ ଅଭିଯୁକ୍ତର ଗତିବିଧି ଓ ଯାତ୍ରାପଥ ଚିହ୍ନଟ କରାଯାଇଥିଲା।

ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ତଥ୍ୟକୁ ନିରନ୍ତର ବିଶ୍ଳେଷଣ କରି ପୁଲିସ ଅଭିଯୁକ୍ତର ଗତିବିଧିର ଏକ ଟ୍ରେଲ୍ ପ୍ରସ୍ତୁତ କରିଥିଲା। ବାଲିକୁଦା ରେଳ ଷ୍ଟେସନରେ ଧରାପଡ଼ିଲା ଅଭିଯୁକ୍ତ । ପଚରାଉଚରା ସମୟରେ ଅଭିଯୁକ୍ତ ଶିଶୁଟିକୁ ନେଇଥିବା ସ୍ୱୀକାର କରିବା ସହ ତାକୁ ଖୋର୍ଦ୍ଧା ଦିଗକୁ ନେଇଥିବା କହିଥିଲା। ଏହାପରେ ପୁଲିସ ଆରପିଏଫ୍ ସହ ଯୋଗାଯୋଗ କରିଥିଲା। ଗିରଫ ଅଭିଯୁକ୍ତ ରାଜୁ ଓରଫ ରାଜକିଶୋର ରାଉତରାୟ (୫୨), ପିତା- ସ୍ୱର୍ଗତ ଭିକାରୀ ରାଉତରାୟ, ଗ୍ରାମ- ହାଡ଼ିସାହି, ଥୋରିଆସାହି, ଥାନା- ମଙ୍ଗଳାବାଗ, କଟକ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *