କେଶ ତୈଳ, ସାମ୍ପୁ, ଟୁଥପେଷ୍ଟ, ଡେଂଟାଲ ଫ୍ଲସ ୫%କୁ ଖସିଲା
ସିଗାରେଟ୍, ତମାଖୁ ଜାତ ପଦାର୍ଥ ୪୦%କୁ ବୃଦ୍ଧି
ନୂଆଦିଲ୍ଲୀ, ଭୁବନେଶ୍ୱର,୦୩/୦୯/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ବୁଧବାର ଜିଏସଟି ପରିଷଦ ୪ଟି ପ୍ରଚଳିତ ସ୍ଲାବ୍ ରୁ ୨ଟିକୁ ହ୍ରାସ କରିଛି । ପରୋକ୍ଷ ଟିକସ ବ୍ୟବସ୍ଥାକୁ ସରଳୀକରଣ କରାଯାଇଛି । ଭାରତୀୟ ମଧ୍ୟବିତ ବର୍ଗରୁ ଦୀର୍ଘଦିନ ଧରି ଏ ସଂକ୍ରାନ୍ତରେ ଦାବି ରହିଥିଲା । ପରିଷଦ ୧୨ ପ୍ରତିଶତ ଓ ୨୮ ପ୍ରତିଶତ ହାରରେ ଥିବା ଜିଏସଟି ସ୍ଲାବ କୁ ଉଚ୍ଛେଦ କରିଛନ୍ତି । କେବଳ ୨ଟି ସ୍ଲାବ୍ ଯଥା: ୫ ପ୍ରତିଶତ ଓ ୧୮ ପ୍ରତିଶତ ସ୍ଲାବ୍ ରହିଛି । ଏହାଫଳରେ ମଧ୍ୟବିତ ବର୍ଗଙ୍କ ଘରୋଇ ବଜେଟ୍ ସରଳ ହେବା ସହିତ ସେଥିରେ ପରିବର୍ତନ ଆସିପାରିବ ।
ଜିଏସଟି ପରିଷଦ ଟିକସ ହାର ଟିଭିର ଏକ ବ୍ୟାପକ ଶୃଙ୍ଖଳ ଡିସ୍ପ୍ଲେ ଡିଭାଇସ, ଏଲଇଡି ଟିଭି, ମନିଟର, ପ୍ରୋଜେକ୍ଟର, ସେଟଅପ୍ ବକ୍ସ ପ୍ରଭୃତିରେ ୨୮ ପ୍ରତିଶତରୁ ଟିକସ ୧୮ ପ୍ରତିଶତକୁ ହ୍ରାସ କରିଛନ୍ତି । ଅଣବୈଦୁ୍ୟତିକ କଣ୍ଢେଇ, ୩ ଚକିଆ ସାଇକେଲ, ସ୍କୁଟର, ପେଡାଲ କାର୍ ଓ ସେଗୁଡ଼ିକର ପାର୍ଟ୍ସ ଉପରୁ ପରିଷଦ ଟିକସ ୧୨ ପ୍ରତିଶତରୁ ୫ ପ୍ରତିଶତକୁ କମାଇଛନ୍ତି ।
ସେହିଭଳି ଟିକସ ହାର ପୂର୍ଣ୍ଣ ସଂଯୋଜିତ ଆମ୍ବୁଲାନ୍ସ, ୩ ଚକିଆ ଗାଡ଼ି, ମୋଟର ଭେଇକିଲ୍ ଉପରେ ଥିବା ୨୮ ପ୍ରତିଶତ ଟିକସ ହାରକୁ ୧୮ ପ୍ରତିଶତକୁ ହ୍ରାସ କରିଛନ୍ତି । କେଶ ତୈଳ, ସାମ୍ପୁ, ଟୁଥପେଷ୍ଟ, ଡେଂଟାଲ ଫ୍ଲସ ଉପରେ ଥିବା ଟିକସ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ଖସିଛି । ଅପରପକ୍ଷେ ସିଗାର, ଚିରୁଟ୍, ସିଗାରେଟ୍, ତମାଖୁଜାତ ପଦାର୍ଥ ଉପରେ ୨୮ ପ୍ରତିଶତ ଟିକସରୁ ୪୦ ପ୍ରତିଶତକୁ ବୃଦ୍ଧି କରାଯାଇଛି ।
ଚିନି, ସୁଇଟନର ଓ ବିଭିନ୍ନ ବାସ୍ନାଯୁକ୍ତ ପାନୀୟ ଭଳି ସାମଗ୍ରୀରେ ଟିକସ ୨୮ ପ୍ରତିଶତରୁ ସିଧା ୪୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ନମକିନ୍, ଭୁଜିଆ, ମିକ୍ସଚର ଭଳି ପ୍ୟାକେଟେଡ୍ ସ୍ନାକ୍ସ ଉପରେ ଟିକସ ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିଛି । ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଓ ଜୀବନବୀମାରେ ଜିଏସଟି ଲାଗିବ ନାହିଁ । ୨୨ ସେପ୍ଟେମ୍ବରରୁ ନୂଆ ଜିଏସଟି ଲାଗୁ ହେବ ।
