ଶାନ୍ତିସ୍ତୂପ’ ଧଉଳିଗିରି ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ପରାକ୍ରମର ପ୍ରତୀକ ଧଉଳି – ଧର୍ମେନ୍ଦ୍ର ପ୍ରଧାନ

  • ଅଶୋକ ଶିଳାଲେଖ ପ୍ରାଚୀନ କଳିଙ୍ଗର ରାଜନୀତି, ସଂସ୍କୃତି, ଧର୍ମ ଏବଂ ଲିପିର ଇତିହାସ ଜାଣିବା ପାଇଁ ଅମୂଲ୍ୟ ଭଣ୍ଡାର
  • ପାଦଦେଶରେ ଥିବା ମନ୍ଦିର, ଐତିହାସିକ ସ୍ଥଳୀ ଓ ଦର୍ଶନୀୟ ସ୍ଥାନ ପରିଦର୍ଶନ କଲେ
  • ଧଉଳିଗିରି ବୁଲିବାକୁ ଆସିବାକୁ ଥିବା ପର୍ଯ୍ୟଟକ ଓ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ, ଆଖୁରସ ପିଇଲେ
  • ଧଉଳି ପାଦଦେଶରେ ଖ୍ରୀଷ୍ଟପୂର୍ବ ୨୬୧ରେ ମହାନ କଳିଙ୍ଗ ଯୁଦ୍ଧ ସଂଘଠିତ ହୋଇଥିଲା
  • ଆମର ପୂର୍ବଜମାନେ ଏହି ଭୂମିରେ ଅଦମ୍ୟ ସାହସ ଦେଖାଇ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼ିଥିଲେ
  • ପୂର୍ବୋଦୟ” ମିଶନରେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ମାର୍ଗ ଧଉଳି ଓ କଳିଙ୍ଗ ସାମ୍ରାଜ୍ୟର ଐତିହ୍ୟ ଭିତ୍ତିରେ ପ୍ରସ୍ତୁତ ପାଇଁ ଆମେ ସମସ୍ତେ ଚେଷ୍ଟା କରିବା

ଭୁବନେଶ୍ୱର,୨୯/୦୯/୨୦୨୫ (ଓଡ଼ିଶା ସମାଚାର)-  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱର ସ୍ଥିତ ‘ଶାନ୍ତିସ୍ତୂପ’ ଧଉଳିଗିରି ପାଦଦେଶରେ ଭ୍ରମଣ କରିବା ସହ ଅଶୋକ ଶିଳାଲେଖର ଐତିହ୍ୟ ଓ ଇତିହାସ ପୃଷ୍ଠଭୂମି ଉପରେ ଏଏସଆଇ ଅଧିକାରୀଙ୍କ ଠାରୁ ଅବଗତ ହୋଇଛନ୍ତି ।

ଶ୍ରୀ ପ୍ରଧାନ ପ୍ରଥମେ ଧଉଳିଗିରି ପାଦଦେଶରେ ଥିବା ମନ୍ଦିର, ଐତିହାସିକ ସ୍ଥଳୀ ଓ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିଥିଲେ । ଧଉଳିଗିରି ବୁଲିବାକୁ ଆସି ଥିବା ପର୍ଯ୍ୟଟକ ଓ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ । ସେଠାରେ ଆଖୁ ରସ ପିଇବା ସହ ଦୋକାନୀଙ୍କ ସହ ମଧ୍ୟ କଥା ହୋଇଥିଲେ । ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ପରାକ୍ରମର ପ୍ରତୀକ ଧଉଳି । ଏଠାରେ କିଛି ସମୟ ବିତାଇ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବ ଅନୁଭବ କରୁଛି । ଏହି ପବିତ୍ର ପାଦଦେଶରେ ହିଁ ଖ୍ରୀଷ୍ଟପୂର୍ବ ୨୬୧ରେ ମହାନ କଳିଙ୍ଗ ଯୁଦ୍ଧ ସଂଘଠିତ ହୋଇଥିଲା । ଆମର ପୂର୍ବଜମାନେ ଏହି ଭୂମିରେ ଅଦମ୍ୟ ସାହସ ଦେଖାଇ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼ିଥିଲେ । ଏହି ଭୂମିର ମହତ୍ତ୍ୱ ଓ ଐତିହ୍ୟ ଅତୁଳନୀୟ ।

ସେହିପରି ଧଉଳିଗିରି ପାଦଦେଶରେ ଥିବା ଅଶୋକ ଶିଳାଲେଖରେ କଳିଙ୍ଗ ସାମ୍ରାଜ୍ୟର ବିସ୍ତାର, କଳିଙ୍ଗ ଯୁଦ୍ଧର ଘଟଣାବଳୀ, ସମ୍ରାଟ ଅଶୋକଙ୍କ ବୌଦ୍ଧ ଧର୍ମ ଗ୍ରହଣ, ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତ୍ତନ ହେବା ଉପରେ ଲିପିବଦ୍ଧ ହୋଇଛି ।ପ୍ରାଚୀନ କଳିଙ୍ଗର ରାଜନୀତି, ସଂସ୍କୃତି, ଧର୍ମ ଏବଂ ଲିପିର ଇତିହାସ ଜାଣିବା ପାଇଁ ଏହି ଶିଳାଲେଖ ଅମୂଲ୍ୟ ଭଣ୍ଡାର ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ପୂର୍ବୋଦୟ” ମିଶନରେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ମାର୍ଗ ଧଉଳି ଓ କଳିଙ୍ଗ ସାମ୍ରାଜ୍ୟର ଐତିହ୍ୟ ଭିତ୍ତିରେ ପ୍ରସ୍ତୁତ ପାଇଁ ଆମେ ସମସ୍ତେ ଚେଷ୍ଟା କରିବା । ଭାରତକୁ ସ୍ୱଦେଶୀ ଅର୍ଥନୀତି ସହ ଯୋଡିବା, ପରିବେଶକୁ ସ୍ୱଚ୍ଛ ରଖିବା ଏବଂ ଆର୍ଥିକ ଅଭିବୃଦ୍ଧିକୁ ଗତି ଦେବା ପାଇଁ ସାମୂହିକ ଉଦ୍ୟମ କଲେ ହିଁ  ବିକଶିତ ଓଡ଼ିଶା ଓ ବିକଶିତ ଭାରତର ଲକ୍ଷ୍ୟ ସାକାର ହେବ ।

Leave a Reply

Your email address will not be published. Required fields are marked *