– ପ୍ରତିଷ୍ଠା ହେବ ବାଳଗୋପାଳଙ୍କ ବିଗ୍ରହ
ମାହାଙ୍ଗା, ୧୪/୦୧/୨୦୨୬ ( ଓଡିଶା ସମାଚାର/ ଅଭୟ ଜେନା ): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମଉଦା ଗ୍ରାମସ୍ଥିତ ଶ୍ରୀଶ୍ରୀ ଅନନ୍ତଗୋପାଳ ଆଶ୍ରମ (ଛୁଆବାବା ମଠ)ରେ ଆସନ୍ତା ୧୯ ତାରିଖରୁ ତିନି ଦିନ ବ୍ୟାପୀ ଦ୍ୱିତୀୟ ବାର୍ଷିକ ବିଶ୍ୱଶାନ୍ତି ମହଯଜ୍ଞ ଓ ବାଳଗୋପାଳଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ୧୭ ତାରିଖ ଶନିବାର ଅଙ୍କୁରୋପଣ, ୧୮ ତାରିଖ ରବିବାର କଳସଯାତ୍ରା ଓ ଯଜ୍ଞାଧିବାସ ସହ ସନ୍ଧ୍ୟାରେ ଶ୍ରୀକର ପାତ୍ର ଓ ସାନୁ ମଲ୍ଲିକ ଭଜନ ପରିବେଷଣ କରିବେ। ସେହିପରି ୧୯ ତାରିଖରୁ ଯଜ୍ଞ ଆରମ୍ଭ ହେବ।
ସୋମବାର ସୂର୍ଯ୍ୟପୂଜା, ଗୋପୂଜା, ଦେବାଦେବୀ ପୂଜା, କଳସପୂଜା, ଅଗ୍ନିସ୍ଥାପନ, ସନ୍ଧ୍ୟା ଆଳତି ସହିତ ସନ୍ଧ୍ୟାରେ ପ୍ରବଚକ ବାବା ଶ୍ରୀଦିବାକର ଦାସ ମହାରାଜ ପ୍ରବଚନ ପ୍ରଦାନ କରିବେ। ୨୦ ତାରିଖ ମଙ୍ଗଳବାର ଯଜ୍ଞର ବିବିଧି କାର୍ଯ୍ୟକ୍ରମ ସହିତ ମଧ୍ୟାହ୍ନରେ ସାଧୁ ସମ୍ମେଳନୀ ଅନୁଷ୍ଠିତ। ଏଥିରେ ରାଜ୍ୟର ବିଭିନ୍ନ କୋଣରୁ ବିଭିନ୍ନ ସଂପ୍ରଦାୟ ଓ ମତବାଦର ସାଧୁସନ୍ଥ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ବିଶିଷ୍ଠ କଥାବାଚକ ଶରଣାବିନ୍ଦ ପ୍ରବଚନ ପ୍ରଦାନ କରିବେ। ୨୧ ତାରିଖ ବୁଧବାର ଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ। ଏହି ଦିନ ବାଳଗୋପାଳଙ୍କ ବିଗ୍ରହ ପ୍ରତିଷ୍ଠା କରାଯିବ।
ଏଥିରେ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପୂଜକ ମହାନାୟକ ରାମଚନ୍ଦ୍ର ବଡପଣ୍ଡା ସାମନ୍ତ ଯୋଗଦେଇ ବିଗ୍ରହ ପ୍ରତିଷ୍ଠା କରିବେ। ସନ୍ଧ୍ୟାରେ ମା’ ତାରିଣୀ ଭଜନ ସନ୍ଧ୍ୟା ପକ୍ଷରୁ ଭକ୍ତିଗୀତ ପରିବେଷଣ କରାଯିବ। ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ମାନସୀ ମହାପାତ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଦୀର୍ଘ ବର୍ଷରୁ ମଉଦା ଗ୍ରାମରେ ଛୁଆବାବା ଶ୍ରୀଶ୍ରୀ କମଳାକାନ୍ତ ଦାସ ମହାରାଜାଙ୍କୁ ଆଶ୍ରମ ଗଢ଼ିଉଠିଥିବା ବେଳେ ଗତବର୍ଷ ଏଠାରେ ଏକ ବିଶାଳ ମନ୍ଦିର ନିର୍ମାଣ କରାଯାଇଛି। ସେହି ମନ୍ଦିରର ପ୍ରତିଷ୍ଠା ଉତ୍ସବ ସହ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଆଧ୍ୟାତ୍ମିକ ପ୍ରେମୀ ଯୋଗଦେବାକୁ ମଠାଧୀଶ ବାବା ଶ୍ରୀଶ୍ରୀ କମଳାକାନ୍ତ ଦାସ ମହାରାଜ (ଛୁଆବାବା) ଏବଂ ମଉଦା ଗ୍ରାମବାସୀ ଅନୁରୋଧ କରିଛନ୍ତି।
