ଲାଲବାଗ ନୂଆପାଟଣା ପୂର୍ତ୍ତ ବିଭାଗ ରାସ୍ତା : ଅଧାରୁ କାର୍ୟ୍ୟ ଛାଡି ଠିକାଦାର ଛୁ

ନିମ୍ନ ମାନର କାର୍ୟ୍ୟ ହୋଇଥିବା ନେଇ ଅଭିଯୋଗ ଆଣିଲେ ଅଞ୍ଚଳବାସୀ
ଦଶରଥପୁର ୧୮/୧୦/୨୦୨୪ (ଓଡ଼ିଶା ସମାଚାର)- ସରକାର ଗମନା ଗମନର ସୁଦୃଢ଼ୀ କରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଜନସାଧାରଣ ଏହାର ସୁଫଳ ପାଇବାରୁ ବଞ୍ଚିତ ହେଉଥିବା ଦେଖିବା ପାଇଁ ମିଳିଛି । ଏପରିକି କେବଳ ଠିକାଦାର ଓ ବିଭାଗୀୟ ଅଧିକାରୀ ମାନେ ମାଲା ମାଲ ହେଉଥିବା ନେଇ ସାଧାରଣରେ ଅଭିଯୋଗ ହେଉଥିବା ବେଳେ ଜନସାଧାରଣ ଯେଉଁ ହିନସ୍ଥାକୁ ସେଇ ହିନସ୍ଥା ହେଉଥିବା ଅଭିଯୋଗ ହୋଇଛି । ଏପରି ଏକ ଘଟଣା ଦେଖିବା ପାଇଁ ମିଳିଛି ଦଶରଥପୁର ବ୍ଲକ ଅଧିନସ୍ଥ ଖାନନଗର, ନିଜାମପୁର, ଦତ୍ତପୁର ତିନୋଟି ପଞ୍ଚାୟତକୁ ସଂଲଗ୍ନ କରୁଥିବା ପୂର୍ତ୍ତ ବିଭାଗ ଅଧିନରେ ନିର୍ମାଣାଧିନ ଲାଲବାଗ- ନୂଆପାଟଣା ଭାୟା କୋତପୁର ସୋଲପାଟ ଦତ୍ତପୁର ରାସ୍ତା ନିର୍ମାଣ କାର୍ୟ୍ୟ କ୍ଷେତ୍ରରେ । ଏହି ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଜୟପ୍ରକାଶ ବିଶ୍ୱାଳ ନାମକ ଏଜେନ୍ସିକୁ କାର୍ୟ୍ୟାଦେଶ ଦିଆ ଯାଇଥିବା ବେଳେ ୪-୧-୨୪ ରୁ ଏହି ରାସ୍ତା କାର୍ୟ୍ୟ ଆରମ୍ଭ ହୋଇ ୩-୭-୨୪ ରିଖ ମଧ୍ୟରେ ରାସ୍ତା ନିର୍ମାଣ କାର୍ୟ୍ୟ ଶେଷ ହେବା ପାଇଁ ବିଭାଗ ପକ୍ଷରୁ ନିର୍ଦେଶ ରହିଥିଲା । ମାତ୍ର ଇତି ମଧ୍ୟରେ ଅବଧି ଶେଷ ହୋଇ ସାରିଥିଲେ ମଧ୍ୟ ବର୍ତମାନ ରାସ୍ତା କାର୍ୟ୍ୟ ଅଧା ପନ୍ତରିୟା ହୋଇ ପଡ଼ିରହିଛି । ସେହିପରି ରାସ୍ତା ନିର୍ମାଣ ପାଇଁ ବିଭାଗ ପକ୍ଷରୁ ୬. ୧୭. ୧୬.୦୮୭.୦୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ରାସ୍ତା ନିର୍ମାଣ ସମୟରେ ନିମ୍ନ ମାନର କାର୍ୟ୍ୟକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ରାସ୍ତା ନିର୍ମାଣ ସମୟରେ କୌଣସି ବିଭାଗୀୟ ଅଧିକାରୀ ଆଦୌ କାର୍ୟ୍ୟ ସ୍ଥଳକୁ ଆସୁନଥିବା ନେଇ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ଯାହା ଫଳରେ ଠିକାଦାର ଜଣକ ନିଜ ଇଚ୍ଛା ମୁତାବକ କାର୍ୟ୍ୟ କରିଥିବା ବେଳେ ବର୍ତ୍ତମାନ ଉକ୍ତ ରାସ୍ତା ଦେଇ ଯାତାୟତ କରିବାରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ନିର୍ମାଣ ସମୟରେ ଠିକାଦାର ଜଣକ କାର୍ୟ୍ୟ ସ୍ଥଳକୁ ନଆସି କାର୍ୟ୍ୟ ଦାୟିତ୍ୱ ସୁପର ଭାଇଜରଙ୍କ ହାତରେ ନ୍ୟସ୍ତ କରି ଠିକାଦାର ଅଚିନ୍ତାରେ ରହିବା ଫଳରେ ବର୍ତ୍ତମାନ ରାସ୍ତାର ଅବସ୍ଥା ଏପରି ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ଵସ୍ତୁ ସାଜିଛି । ରାସ୍ତା କାର୍ୟ୍ୟରେ ନିମ୍ନ ମାନର ଚିପ୍ସ ସାଙ୍ଗକୁ ରାସ୍ତା କଡରେ କେଲୁଆ ମାଟି ପକେଇ ଥିବା ଦେଖିବା ପାଇଁ ମିଳିଛି । ଏପରିକି ବର୍ତ୍ତମାନ ରାସ୍ତାରେ କେବଳ ଡଷ୍ଟ ଓ ଚିପ୍ସ ବିଛା ଯାଇଥିବା ବେଳେ ରାସ୍ତାରୁ ଅଧିକାଂଶ ସ୍ଥାନରୁ ଚିପ୍ସ ଗୁଡିକ ଉଠିଯିବା ଫଳରେ ପ୍ରତିଦିନ ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନେଇ ଜନସାଧାରଣରେ ଅଭିଯୋଗ ହୋଇଛି । ବିଭାଗୀୟ ଅଧିକାରୀ ମାନଙ୍କର ଠିକାଦାର ପ୍ରୀତି ପାଇଁ ଜନସାଧାରଣ ମାନଙ୍କୁ ଏଭଳି ଦୁର୍ଦଶା ଭୋଗିବା ପାଇଁ ପଡୁଛି ବୋଲି ଅଭିଯୋଗ ହୋଇଛି । ସଠିକ ସମୟରେ କାମ ନସରିବା ପାଇଁ ସ୍ଥାନୀୟ ଜନସାଧାରଣ ବିଭାଗୀୟ ଅଧିକାରୀ ମାନଙ୍କୁ ଦାୟୀ କରିବା ସହ ବିଭାଗୀୟ ଅଧିକାରୀ ମାନଙ୍କର ଲାଭଖୋର ମନୋବୃତି ପାଇଁ ଏହି ରାସ୍ତାର ଏପରି ଅବସ୍ଥା ହୋଇଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଭାଗୀୟ କନିଷ୍ଠଯନ୍ତ୍ରୀ ରମେଶ ମହାପାତ୍ରଙ୍କ ସହ ଯୋଗାଯୋଗ କରାଯାଇଥିବା ବେଳେ ସେ ଫୋନ ଉଠାଇ ନଥିଲେ । ଉକ୍ତ ରାସ୍ତା ନିର୍ମାଣ କ୍ଷେତ୍ରରେ ହୋଇଥିବା ଅନିୟମିତତାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହ ଏଥିରେ ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଜନସାଧାରଣ ମାନଙ୍କ ପକ୍ଷରୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *