୮୫ତମ କର୍ମଚାରୀ ରାଜ୍ୟ ବୀମା ଆଞ୍ଚଳିକ ବୋର୍ଡ ବୈଠକ

ରାଜ୍ୟର ଗରିବ ଶ୍ରମିକମାନଙ୍କ ହିତସାଧନ ଦିଗରେ  କର୍ମଚାରୀ ରାଜ୍ୟ ବୀମା ଯୋଜନା ନିଗମ ବ୍ରତୀ ହେଉ :ଶ୍ରମ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ

 ଭୁବନେଶ୍ୱର, ୧୮/୧୦/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆମ ସରକାର ଲୋକଙ୍କ ସରକାର, ଗରିବ ଶ୍ରମଜୀବୀଙ୍କ ସରକାର । ଶ୍ରମିକ କଲ୍ୟାଣ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ମାଣ ଶ୍ରମିକଙ୍କ ପାଇଁ ଦୁର୍ଘଟଣାଜନିତ ମୃତୁ୍ୟ ସହାୟତା ୪ ଲକ୍ଷରୁ ୬ ଲକ୍ଷ ଟଙ୍କା ଏବଂ ପ୍ରାକୃତିକ ମୃତୁ୍ୟ ସହାୟତା ୨ ଲକ୍ଷରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି ଘୋଷଣା କରିଛନ୍ତି । ପୂର୍ବରୁ କ୍ୟାବିନେଟ ବୈଠକରେ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କା, ଅର୍ଦ୍ଧ-କୁଶଳୀ ଶ୍ରମିକଙ୍କ ମଜୁରୀ ୩୯୨ ଟଙ୍କାରୁ ୫୦୦ ଟଙ୍କା, କୁଶଳୀ ଶ୍ରମିକଙ୍କ ମଜୁରୀ ୪୪୨ ଟଙ୍କାରୁ ୫୫୦ ଟଙ୍କା ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରୀ ୫୦୨ ଟଙ୍କାରୁ ୬୦୦ ଟଙ୍କାକୁ ଅନୁମୋଦନ କରାଯାଇଛି ।

          କର୍ମଚାରୀ ରାଜ୍ୟ ବୀମା ଯୋଜନା ନିଗମର ୮୫ତମ ବୋର୍ଡ ବୈଠକରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଯୋଜନା ମନ୍ତ୍ରୀ ତଥା ନିଗମର ଅଧ୍ୟକ୍ଷ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଅଧ୍ୟକ୍ଷତା କରି କହିଲେ ଯେ, କର୍ମଚାରୀ ରାଜ୍ୟ ବୀମା ଯୋଜନାର ସଫଳତା ନିଗମ ମାଧ୍ୟମରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ସମନ୍ୱିତ କାର୍ଯ୍ୟ ଉପରେ ନିର୍ଭର କରେ । ଏହି ଯୋଜନା ବୌଦ୍ଧ ଜିଲ୍ଲାକୁ ଛାଡି ରାଜ୍ୟର ୨୯ଟି ଜିଲ୍ଲାରେ କାର୍ଯ୍ୟକାରୀ ହୋଇସାରିଛି ଏବଂ ବୌଦ୍ଧ ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବା ପାଇଁ ପ୍ରସ୍ତାବ ପଠାଯାଇଛି । ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ କାର୍ଯ୍ୟ କରୁଥିବା ଗରିବ ଶ୍ରମିକମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ଆବଶ୍ୟକ । ଆମେ ସେମାନଙ୍କୁ ନଗଦ ସୁବିଧା ଯେପରିକି ମୃତୁ୍ୟକାଳୀନ ପେନ୍‌ସନ୍‌ (DB), ଆକସ୍ମିକ ଦୁର୍ଘଟଣା ପେନ୍‌ସନ୍‌ (PDB), ମାତୃତ୍ୱ ସୁବିଧା, ଅସୁସ୍ଥତା ସୁବିଧା ଇତ୍ୟାଦି ସୁରୁଖୁରୁରେ ପ୍ରଦାନ କରିବା ଜରୁରୀ ।

          ପ୍ରାଥମିକ ଚିକିତ୍ସା, ପରବର୍ତ୍ତୀ ଚିକିତ୍ସା, ସୁପର ସ୍ପେସିଆଲିଟି ଚିକିତ୍ସା ପ୍ରତ୍ୟେକ ଶ୍ରମିକଙ୍କର ମୁଖ୍ୟ ଆବଶ୍ୟକତା । ନିର୍ଦ୍ଦେଶାଳୟ ଦ୍ୱାରା ପରିଚାଳିତ ESI ଡିସପେନସାରି, ESI ହସ୍ପିଟାଲ, ESI ମଡେଲ ହସ୍ପିଟାଲ୍‌, ରାଉରକେଲା ଏବଂ ESIC ହସ୍ପିଟାଲ୍‌, ଅନୁଗୁଳରେ ଉପଯୁକ୍ତ ଚିକିତ୍ସା, ଔଷଧ ଯୋଗାଣ, ଡିସପେନସାରି ଏବଂ ହସ୍ପିଟାଲରେ ସ୍ୱଚ୍ଛତା ରକ୍ଷା ଆମର ଲକ୍ଷ୍ୟ । କେନ୍ଦ୍ର ଶ୍ରମ ମନ୍ତ୍ରୀ ଡ. ମାନସୁଖ ମାଣ୍ଡଭିଆଙ୍କ ଦ୍ୱାରା ଘୋଷିତ ସୁପର ସ୍ପେସିଆଲିଟି ଚିକିତ୍ସା ପାଇବାରେ ବର୍ତ୍ତମାନ ଆମ ପାଇଁ କୌଣସି ଅସୁବିଧା ହେବ ନାହିଁ । ବର୍ତ୍ତମାନ ESIC ହିତାଧିକାରୀମାନେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY) ସହିତ ESIC ର ସମ୍ମିଶ୍ରଣ କାର୍ଯ୍ୟକ୍ରମ ଅଧୀନରେ ଚିକିତ୍ସା ସେବା ପାଇବେ । କେନ୍ଦ୍ର ଶ୍ରମ ମନ୍ତ୍ରୀ ଡକଫର ମାଣ୍ଡଭିଆ ଅକେଫାବର ୮ ତାରିଖରେ ଅନୁଷ୍ଠିତ ନିଗମର ୧୯୪ ତମ ବୈଠକରେ ଦେଶର ବିଭିନ୍ନ ରାଜ୍ୟରେ ୧୦ଟି ନୂତନ ESIC ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ଦେଇଛନ୍ତି । ଭୁବନେଶ୍ୱରର ଅନ୍ଧାରୁଆ ଠାରେ ପୂର୍ବରୁ ପ୍ରଦତ୍ତ ୨୫ ଏକର ଜମିରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅନୁମୋଦନ ପ୍ରଦାନ କରିବାକୁ ଭାରତ ସରକାରଙ୍କୁ ଏକ ପ୍ରସ୍ତାବ ପଠାଯିବ, ଯାହାକୁ ନିଗମର ପରବର୍ତ୍ତୀ ବୈଠକରେ ମଞ୍ଜୁରୀ ମିଳିବ ବୋଲି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଯୋଜନା ମନ୍ତ୍ରୀ ତଥା ନିଗମର ଅଧ୍ୟକ୍ଷ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଆଶାବ୍ୟକ୍ତ କରିଥିଲେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଶ୍ରମ ଆୟୁକ୍ତ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ, ଇଏସ୍‌ଆଇ ଯୋଜନାର ନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ପଣ୍ଡା, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ଅତିରିକ୍ତ ସଚିବ ଶ୍ରୀ ରାଜେଶ ଅଗ୍ରୱାଲ, ଓଡ଼ିଶା ପାୱାର ଜେନେରେସନ କର୍ପୋରେସନର ସାଧାରଣ ପରିଚାଳକ(ମାନବ ସମ୍ବଳ) ଶ୍ରୀ ରାଜେନ୍ଦ୍ର କୁମାର ସେନାପତି, ନାଲ୍‌କୋର ନିର୍ଦ୍ଦେଶକ(ମାନବ ସମ୍ବଳ) ଶ୍ରୀ ରାଧାଶ୍ୟାମ ମହାପାତ୍ର, ରାଉରକେଲା ଷ୍ଟିଲପ୍ଲାଣ୍ଟର ସାଧାରଣ ପରିଚାଳକ(ପର୍ସନେଲ) ଶ୍ରୀ ଜ୍ଞାନରଞ୍ଜନ ଦାଶ, ମଡେଲ ହସ୍‌ପିଟାଲ ରାଉରକେଲାର ଡ. ଜୟନ୍ତୀ ବେହେରା, ଇଏସ୍‌ଆଇସି ହସ୍‌ପିଟାଲ ଅନୁଗୁଳର ଡ. ପରିମଳ ମାଝୀ, ଇଏସ୍‌ଆଇ ହସ୍‌ପିଟାଲ ଭୁବନେଶ୍ୱରର ଡ. ଶ୍ରୀକାନ୍ତ ଦେବତା, ଉପ କେନ୍ଦ୍ରୀୟ ଶ୍ରମ ଆୟୁକ୍ତ ଶ୍ରୀ ଏସ୍‌. ସମ୍ପତ୍‌କୁମାର, ପାରାଦ୍ୱୀପ ଫସ୍‌ଫେଟ୍ସ ଲିମିଟେଡ୍‌ର ସାଧାରଣ ପରିଚାଳକ(ମାନବ ସମ୍ବଳ) ଶ୍ରୀ ଜଗନ୍ନାଥ ଖୁଣ୍ଟିଆ, ସିଟୁର ସାଧାରଣ ସମ୍ପାଦକ ଶ୍ରୀ ବିଷ୍ଣୁଚରଣ ମହାନ୍ତି, ଆଇଏନ୍‌ଟିୟୁସିର ଉପସଭାପତି ଶ୍ରୀ ମଦନମୋହନ ଧଳ, ବିଏମ୍‌ଜିର ଉପସଭାପତି ଶ୍ରୀ ଏ. ଶ୍ରୀନିବାସ ରାଓ, ଏଚ୍‌ଏମ୍‌ଜିର ସମ୍ପାଦକ ଶ୍ରୀ ବ୍ରଜକିଙ୍କର ନାୟକ ପ୍ରମୁଖ ଯୋଗଦେଇ କର୍ମଚାରୀ ରାଜ୍ୟବୀମା ନିଗମ ଓ ଇଏସ୍‌ଆଇ ହସ୍‌ପିଟାଲ ଏବଂ ଡିସ୍‌ପେନ୍‌ସରିଗୁଡିକରେ ପରିଲକ୍ଷିତ ବିଭିନ୍ନ ସମସ୍ୟା ଓ ସେଗୁଡ଼ିକର ସମାଧାନ ସମ୍ବନ୍ଧରେ ସୁଚିନ୍ତିତ ପରାମର୍ଶ ଦେଇଥିଲେ । 

    ଏହି ଆଞ୍ଚଳିକ ବୋର୍ଡ ବୈଠକରେ ରାଉରକେଲା ମଡେଲ ଇଏସ୍‌ଆଇ ହସ୍‌ପିଟାଲକୁ ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଷ୍ଟ ହସ୍‌ପିଟାଲକୁ ଉନ୍ନୀତ କରିବା, ଚନ୍ଦ୍ରଶେଖରପୁର ହସ୍‌ପିଟାଲକୁ ୨୦୦ ଶଯ୍ୟା ବିଶିଷ୍ଟ କରିବା, ଇଏସ୍‌ଆଇସି ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ୧୨ଟି ନୂତନ ଡିସ୍‌ପେନସରିରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସହ ପର୍ଯ୍ୟାପ୍ତ ପରିମାଣର ଔଷଧ ଯୋଗାଣ, ନାଲ୍‌କୋ, ଏନ୍‌ଟିପିସି, ଟିଟିପିଏସ୍‌ ତାଲଚେର ଆଦିରେ କାର୍ଯ୍ୟରତ ଶ୍ରମିକମାନଙ୍କ ଚିକିତ୍ସା ପାଇଁ ଅନୁଗୁଳ ହସ୍‌ପିଟାଲକୁ ଅଧିକ ଉନ୍ନତ କରିବା, ବାଲେଶ୍ୱର, ରାଜଗାଙ୍ଗପୁର, ଦାମନଯୋଡ଼ି, ରାୟଗଡ଼ା, ଖୋର୍ଦ୍ଦା, ଯାଜପୁରରୋଡ ଓ ବ୍ରହ୍ମପୁରସ୍ଥିତ ଇଏସ୍‌ଆଇ ହସ୍‌ପିଟାଲରେ ପର୍ଯ୍ୟାପ୍ତ ଡାକ୍ତର, ପାରାମେଡିକାଲ ଷ୍ଟାଫ୍‌, ଆଧୁନିକ ଚିକିତ୍ସା ଉପକରଣ ଦ୍ୱାରା ରୋଗୀ ସେବାକୁ ସୁସଂହତ କରିବା, ଟାଟା ପାୱାର ଲିମିଟେଡ୍‌, ବେସରକାରୀ ସୁରକ୍ଷା ଏଜେନ୍‌ସିରେ କାର୍ଯ୍ୟରତ ସୁରକ୍ଷାକର୍ମୀ ଓ ବିଦୁ୍ୟତ୍‌ ଶ୍ରମଜୀବୀମାନଙ୍କୁ ଇଏସ୍‌ଆଇ ଅନ୍ତର୍ଭୁକ୍ତ କରିବା, ପରିବହନ ଶ୍ରମିକ, ଆଶାକର୍ମୀ, ଅଙ୍ଗନୱାଡ଼ି ଦିଦି, ମଧ୍ୟାହ୍ନ ଭୋଜନ ଶ୍ରମିକମାନଙ୍କୁ ଇଏସ୍‌ଆଇରେ ସାମିଲ କରିବା, ହିତାଧିକାରୀଙ୍କ ବାର୍ଷିକ ସ୍ୱାସ୍ଥ୍ୟ ତନଖି ନିୟମିତ ଢଙ୍ଗରେ କରିବା, ଶ୍ରମିକମାନଙ୍କ ସର୍ବାଧିକ ମାସିକ ମଜୁରୀ ସୀମାକୁ ୨୧ ହଜାର ଟଙ୍କାରୁ ୩୫ ହଜାର ଟଙ୍କାକୁ ବୃଦ୍ଧି କରିବା, ଖଣିଖାଦାନରେ କାମ କରୁଥିବା ଲୋକଙ୍କୁ ଇଏସ୍‌ଆଇ ପରିସରଭୁକ୍ତ କରିବା, ଚନ୍ଦ୍ରଶେଖରପୁରସ୍ଥିତ ହସ୍‌ପିଟାଲରେ ଆଇସିୟୁ, ଫିଜିଓଥେରାପିର ବ୍ୟବସ୍ଥା, ଏମ୍‌ଆର୍‌ଆଇ ଓ ସିଟିସ୍କାନ ଏବଂ ଅନ୍ୟ ଅତ୍ୟାଧୁନିକ ଚିକିତ୍ସା ଉପକରଣ କିଣାଯିବା, ବଣାଇ, ରାଜାମୁଣ୍ଡା ଓ ଦାମନଯୋଡ଼ିଠାରେ ଇଏସ୍‌ଆଇ ଡିସ୍‌ପେନ୍‌ସରି ପ୍ରତିଷ୍ଠା କରାଯିବା, ଜଳାତଙ୍କ ଇଞ୍ଜେକ୍‌ସନ ସମସ୍ତ ଇଏସ୍‌ଆଇ ହସ୍‌ପିଟାଲରେ ସହଜଲବ୍ଧ ହେବା, ଅଣସଂଗଠିତ କ୍ଷେତ୍ର ଯଥା- ସପିଂ ମଲ୍‌, ହୋଟେଲ, ପେଟ୍ରୋଲ ପମ୍ପ୍‌, ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ, ବୈଷୟିକ ଓ ଅଣ-ବୈଷୟିକ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଲୋକମାନଙ୍କୁ ଇଏସ୍‌ଆଇ ସୁବିଧା ମିଳିବା, ହିତାଧିକାରୀମାନେ ପ୍ରଦାନ କରୁଥିବା ଔଷଧ ବିଲ୍‌କୁ ଶୀଘ୍ର ଭରଣା କରିବା ଏବଂ ଖୁଣ୍ଟୁଣୀ(ଆଠଗଡ଼) ଡିସ୍‌ପେନ୍‌ସରି ନିକଟରେ ଆରତୀ ଷ୍ଟିଲ୍‌, ଟାଟାଷ୍ଟିଲ୍‌ ମାଇନିଂ, ଜେ.କେ. ଲକ୍ଷ୍ମୀ, ସୁପି୍ରମ୍‌ ଇଣ୍ଡଷ୍ଟ୍ରିଜ୍‌, ଶ୍ରୀ ସିମେଣ୍ଟ ଓ ଅଲ୍‌ଟ୍ରାଟେକ୍‌ ସିମେଣ୍ଟ କାରଖାନା ରହିଥିବାରୁ ଏହାକୁ ଅଧିକ ସଂଖ୍ୟକ ଡାକ୍ତର, ଫାର୍ମାସିଷ୍ଟ, ଆମ୍ବୁଲାନ୍ସ ଓ ପର୍ଯ୍ୟାପ୍ତ ଔଷଧରେ ପରିପୂର୍ଣ୍ଣ କରିବା ନେଇ ବିଶଦ ଆଲୋଚନା କରାଯାଇଥିଲା ।

ମାନସ ରଞ୍ଜନ ଖୁଣ୍ଟିଆ, ସୂଚନା ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *