ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ସମାପନ ହେଲା ଓଡ଼ିଶା ପର୍ବର ୭ମ ସଂସ୍କରଣ

ଓଡ଼ିଶାର ସାଂସ୍କୃତିକ ବିବିଧତା ଭାରତୀୟ ସଂସ୍କୃତିକୁ ଜୀବନ୍ତ କରୁଛି: ମୋଦୀ

ନୂଆଦିଲ୍ଲୀ/ ଭୁବନେଶ୍ୱର,୨୪/୧୧/୨୦୨୪ (ଓଡ଼ିଶା ସମାଚାର)- ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଓଡ଼ିଶା ପର୍ବର ୭ମ ସଂସ୍କରଣର ଭବ୍ୟ ସମାପନ ଉତ୍ସବ ଦିଲ୍ଲୀର ସାଂସ୍କୃତିକ କାନ୍ଭାସରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଯାଇଛି । ଓଡ଼ିଶାର କାଳଜୟୀ ଐତିହ୍ୟ, କଳା, କାରୁକାର୍ଯ୍ୟ ସମ୍ପନ୍ନ ହସ୍ତଶିଳ୍ପକୁ ସମର୍ପିତ ଏହି ୩ ଦିନିଆ ମହୋତ୍ସବ ନିଜର ଚିତାକର୍ଷକ ପ୍ରଦର୍ଶନୀ, ଭାବପୂର୍ଣ୍ଣ ସଙ୍ଗୀତ ଏବଂ ହୃଦୟସ୍ପର୍ଶୀ କାହାଣୀରେ ଦିଲ୍ଲୀ ଦର୍ଶକଙ୍କ ମନ ଛୁଇଁଥିଲା । ଓଡ଼ିଶାର ସମ୍ବଲପୁରୀ ଶାଢୀ ହେଉ କିମ୍ବା ଧାନରେ ପ୍ରସ୍ତ୍ୁତ ପ୍ୟାଡିକ୍ରାଫ୍ଟ ଅଥବା ପଟ୍ଟଚିତ୍ର, ଢୋକରା ଶିଳ୍ପ ଦିଲ୍ଲୀ ଏନସିଆର୍ ସ୍ଥିତ ଓଡ଼ିଆ ଲୋକଙ୍କୁ ଆତ୍ମୀୟତାର ଅନୁଭବ ଆଣି ଦେଇଥିଲା ବେଳେ ଓଡ଼ିଆ ପିଠା-ମିଠା, ଆମିଷ-ନିରାମିଷ ବ୍ୟଞ୍ଜନ, ଚଟପଟା ଷ୍ଟ୍ରିଟ୍ଫୁଡ ମହୋତ୍ସବକୁ ଆସିଥିବା ଅଣଓଡ଼ିଆ ଦିଲ୍ଲୀବାସୀ ମଧ୍ୟ ବେଶ୍ ମଜା ଉଠାଇଥିଲେ । ସାରସତ୍ୱ ସମାରୋହର ସାହିତ୍ୟ ଚର୍ଚ୍ଚା, ୟୁଟ୍ୟୁବ୍ ଇନ୍ଫ୍ଲୁଏନ୍ସରଙ୍କ ଆଲୋଚନାମୟ ଅଧିବେଶନ, ପୁସ୍ତକ ମେଳା ମଧ୍ୟ ଯୁବପିଢୀଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲା ।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ, ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର କେନ୍ଦ୍ର ରେଳ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ ଉଦଯାପନୀ ଉତ୍ସବରେ ଯୋଗଦେଇ ମଂଚର ଗରିମା ବୃଦ୍ଧି କରିଥିଲେ ।
ଉଦଯାପନୀ ସନ୍ଧ୍ୟାରେ ଓଡ଼ିଶାର ସମ୍ବଲପୁରୀ ରଙ୍ଗବତୀ, ପାଇକ, ଗୋଟିପୁଅ ନୃତ୍ୟର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅତିଥିମାନଙ୍କୁ ସ୍ୱାଗତ କରିଥିଲା । ପ୍ରାରମ୍ଭରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ଯେ, “ଓଡ଼ିଆ ଭାଷା ବିଶ୍ୱର ଏପରି ଏକ ଭାଷା ଯାହାର ଇତିହାସ ଅତି ପୁରୁଣା । ଓଡ଼ିଆ ଭାଷା ମହାପ୍ରଭୁଙ୍କ ଭାଷା । ଆମେ ଓଡ଼ିଆ ବୋଲି ଗର୍ବ କରିବା । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଯୋଜନାରେ ଆଜି ଓଡ଼ିଶା ବିକାଶ ପଥରେ ଅଗ୍ରଗତି କରୁଛି । ରେଳ, ଟେଲିକମ୍ ତଥା ସେମିକଣ୍ଡକ୍ଟର କ୍ଷେତ୍ରରେ ରାଜ୍ୟ ଆଜି ଆଗରେ ରହିଛି ।”
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ସନ୍ଥ କବି ଭୀମ ଭୋଇ, ଉତ୍କଳମଣି ଗୋପବନ୍ଧୁ ଦାଶ, ଆଧୁନିକ ଓଡ଼ିଶାର ନିର୍ମାତା ହରେକୃଷ୍ଣ ମହତାବଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗରିବଙ୍କ ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି । ଅନୁରୂପ ଭାବେ ଆମେ ମଧ୍ୟ ଏହି ମନୋଭାବକୁ ଆଦର୍ଶର ମାନଦଣ୍ଡ କରି ଦେଶର ଉନ୍ନତି ଜାରି ରଖିବୁ । ଏଣୁ ସମସ୍ତେ ଏକତ୍ର ହୋଇ ଶ୍ରେଷ୍ଠ ଭାରତର ପରିକଳ୍ପନା କରି ଓଡ଼ିଶାକୁ ନବଜାଗରଣ ଶୀର୍ଷରେ ପହଂଚାଇବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଥିଲେ ।
ଉଦଯାପନୀ ସନ୍ଧ୍ୟାରେ ଆଂଚଳିକ ଅନ୍ଦାଜ ‘ଜୟ ଜଗନ୍ନାଥ ଓ ଜୁହାର’ ସମ୍ବୋଧନ କରି ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଓଡ଼ିଆ ସଂସ୍କୃତିର ମହାକୁମ୍ଭକୁ ଆସି ନିଜର ଖୁସି ବ୍ୟକ୍ତ କରିଥିଲେ । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପୁଣ୍ୟତିଥିର ଶତାବ୍ଦୀ ପାଳନ କରୁଛି ଓଡ଼ିଶା । ଓଡ଼ିଆ ସାଂସ୍କୃତିକ ବିବିଧତା ଭାରତର ସଂସ୍କୃତିକୁ ଜୀବନ୍ତ କରିଛି । ଓଡ଼ିଶାର ପବିତ୍ର ଧର୍ମଗ୍ରନ୍ଥ ସନ୍ଥକବି ଭୀମ ଭୋଇଙ୍କ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ ଉକ୍ତିର ଉଦାହରଣ ଦେଇ, ‘ସ୍ୱାଭିମାନର ମାଟି- ଓଡ଼ିଶା ମାଟି’ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି ବୋଲି କହିଥିଲେ । ଆଧୁନିକ ଓଡ଼ିଶା ନିର୍ମାଣରେ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଭୂମିକା ଅବର୍ଣ୍ଣନୀୟ । ଓଡ଼ିଶାର ନାରୀଶକ୍ତି ଓ ସାମର୍ଥ୍ୟର ମାଟି । ନାରୀଶକ୍ତିର ବିକାଶ ଘଟିଲେ ଓଡ଼ିଶାର ବିକାଶ ହେବ । ମହାନଦୀ କୂଳରେ ପ୍ରତିବର୍ଷ ଆୟୋଜିତ ବାଲିଯାତ୍ରା ଓଡ଼ିଶାର ସାମୁଦ୍ରିକ ସାମର୍ଥ୍ୟର କାହାଣୀ ବର୍ଣ୍ଣନା କରୁଥିବା ବେଳେ ଧାମରା, ଗୋପାଳପୁର, ଅସ୍ତରଙ୍ଗ ଭଳି ସକ୍ରିୟ ବନ୍ଦର ଆବାହମାନ କାଳରୁ ସାମୁଦ୍ରିକ ବ୍ୟାପାରକୁ ସମୃଦ୍ଧ କରିଆସିଛନ୍ତି । ଇସ୍ପାତ, ଆଲୁମିନିୟମ, ପ୍ରାକୃତିକ ଖଣିଜ ଦ୍ରବ୍ୟ ରାଜ୍ୟ ଅର୍ଥନୀତି ତଥା ସମୃଦ୍ଧିର ନୂତନ ଦ୍ୱାର ଖୋଲିବ । ସେମି-କଣ୍ଡକ୍ଟର ଏବଂ ଲଘୁ ଉଦ୍ୟୋଗର ଉତ୍ପାଦ ଓଡ଼ିଶାକୁ ବିଶ୍ୱ ବଜାରରେ ପରିଚିତ କରାଇବା ସେଙ୍ଗ ସେଙ୍ଗ କୃଷକମାନେ ମଧ୍ୟ ଉପକୃତ ହେବେ । ୨୦୩୬ ରେ ଓଡ଼ିଶା ସ୍ୱତନ୍ତ୍ରତାର ୧୦୦ ବର୍ଷ ପାଳନ କରିବକୁ ଯାଉଥିବା ବେଳେ ଏହାକୁ ଏକ ସମୃଦ୍ଧ ଓ ସଶକ୍ତ ରାଜ୍ୟରେ ପରିଣତ କରିବା ଆମର ଲକ୍ଷ୍ୟ । ପୂର୍ବୋଦୟ ବିକାଶ ଅଭିଯାନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହେବା ସହ ଦେଶର ଗ୍ରୋଥ୍ ଇଞ୍ଜିନ୍ ଭାବେ ମୁଖ୍ୟ ଭୂମିକା ଗ୍ରହଣ କରିବ । ସି-ଫୁଡ୍ ଯୋଗାଣରେ ରାଜ୍ୟ ଅଗ୍ରଣୀ ଥିବା ବେଳେ ଓଡ଼ିଶା ଖୁବ ଶୀଘ୍ର ଗ୍ଲୋବାଲ ବ୍ରାଣ୍ଡରେ ପରିଚିତ ହେବ ।
ଅନୁକୂଳ ପରିବେଶ ଏବଂ ପ୍ରଚୁର ଖଣି ଓ ମାନବ ସମ୍ବଳ ଯୋଗୁ ଓଡ଼ିଶା ବର୍ତମାନ ନିବେଶକମାନଙ୍କ ପ୍ରଥମ ପସନ୍ଦ ହୋଇପାରିଛି । ଏଥିପାଇଁ ନୂତନ ସରକାର ଗଠନର ୧୦୦ ଦିନ ମଧ୍ୟରେ ୪୫ ହଜାର କୋଟିର ବିଶାଳ ନିବେଶ ଅନୁମୋଦ ହୋଇଛି । ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଓ ସୁପରିକଳ୍ପିତ ଯୋଜନା କୁଶଳୀ ଯୁବଗୋଷ୍ଠୀ ଓ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଓଡ଼ିଶାର ସାମର୍ଥ୍ୟର ପ୍ରକୃତ ଉପଯୋଗ କରିଥିବାରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଥିଲେ । ଓଡ଼ିଶା ପର୍ବର ଏହି ସମାରୋହ ଆଗାମୀ ବର୍ଷଗୁଡ଼ିକରେ କେବଳ ଦେଶ ନୁହେଁ ଦେଶ ବାହାରେ ମଧ୍ୟ ଆୟୋଜନ ହେବା ସହ ପ୍ରଭାବୀ ମଂଚ ସାଜିବ ବୋଲି ମୋଦୀ ଆଶା ବ୍ୟକ୍ତ କରିଛନ୍ତି । ବିଦ୍ୟାଳୟ ତଥା ମହାବିଦ୍ୟାଳୟ ସ୍ତରରେ ଏପରି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି ଯୁବପିଢୀଙ୍କୁ ପରମ୍ପରା ସହ ଯୋଡ଼ିବା ପାଇଁ ସେ ପରାମର୍ଶ ଦେଇଥିଲେ । ବାସ୍ତୁ ଓ ବିଜ୍ଞାନମଣ୍ଡିତ ପ୍ରାଚୀନ କାଳରେ ନିର୍ମିତ କୋଣାର୍କ, ଲିଙ୍ଗରାଜ ଓ ମୁକ୍ତେଶ୍ୱର ଭଳି ମନ୍ଦିରର ଗଠନ ଶୈଳୀ ଓଡ଼ିଶାର ଆଧୁନିକ ବୈଜ୍ଞାନିକ ପରିକଳ୍ପନା ଲୋକଙ୍କୁ ଏବେ ମଧ୍ୟ ଆକର୍ଷିତ ଓ ଆଚମ୍ବିତ କରୁଛି । ବର୍ତମାନର ଯୁବଗୋଷ୍ଠୀ ଐତିହ୍ୟ ଓ ପରମ୍ପରାକୁ ଭୁଲିବାକୁ ବସିଥିବା ବେଳେ ଓଡ଼ିଆ ସମୁଦାୟ ଏହାକୁ ବଞ୍ଚାଇ ରଖିବା ପାଇଁ ସର୍ବଦା ତପôର ଥିବାରୁ ରାଜ୍ୟବାସୀଙ୍କ ଏହି ପ୍ରୟାସକୁ ମୋଦୀ ପ୍ରଂଶସା କରିଥିଲେ ।
ଏହି ମହୋତ୍ସବ ପରମ୍ପରା ଏବଂ ଆଧୁନିକତାର ଏକ ସମନ୍ୱିତ ମିଶ୍ରଣ ଥିଲା । ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ସାରସ୍ୱତ ସମାରୋହ, ‘ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ଗାଥା’ା ଆଲୋଚନାରେ ଭାରତର ସ୍ୱାଧୀନତା ଆନ୍ଦୋଳନରେ ରାଜ୍ୟର ଅଣଦେଖା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆଲୋକପାତ କରିଥିଲା । ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦଙ୍କ ଦ୍ୱାରା ପରିଚାଳିତ ଏହି ଅଧିବେଶନରେ ପ୍ରଫେସର ବ୍ୟୋମକେଶ ତ୍ରିପାଠୀ, ଡଃ ବିଭୂଦତ ପ୍ରମୋଦ କୁମାର ମିଶ୍ର, ଡଃ ଚନ୍ଦ୍ରଶେଖର ହୋତାଙ୍କୁ ନେଇ ଏକ ପ୍ୟାନେଲ ଗଠନ କରାଯାଇଥିଲା । ଆଲୋଚନାରେ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନ ବିଷୟରେ ମିଳିତ ଭାବରେ ଅନୁଧ୍ୟାନ କରି ଏହାର ବଳିଦାନ ଏବଂ ସ୍ଥିରତାର ଗଭୀର କାହାଣୀକୁ ପ୍ରେରଣା ଭାବେ ଉପସ୍ଥାପିତ କରିଥିଲେ ।
ଓଡ଼ିଶା ପର୍ବ ୨୦୨୪ ମଧ୍ୟ ଏକ ଅଭିନବ ଏବଂ ଉଦ୍ୟୋଗର ଉତ୍ସବ ଥିଲା । ଏଠାରେ ୩୫ଟି ଷ୍ଟାଟର୍୍ଅପ୍ ସେମାନଙ୍କର ସୃଜନସମ୍ପନ୍ନ ଚିନ୍ତାଧାରା ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶାର ଯୁବବର୍ଗଙ୍କ ଅଦମ୍ୟ ଭାବନା ପ୍ରତିଫଳିତ ହୋଇଥିଲା ଏବଂ ପରମ୍ପରାକୁ ଆଧୁନିକତା ବିଚାର ସହ ସଂଯୋଗ ସ୍ଥାପନା କରିବାର କ୍ଷମତାକୁ ମଧ୍ୟ ଦର୍ଶାଇଥିଲା । ଏହି ଉଦ୍ୟୋଗଗୁଡ଼ିକ କିପରି ବିଭିନ୍ନ କ୍ଷେତ୍ରରେ ନିଜକୁ ବ୍ୟାପକ କରି ରାଜ୍ୟରେ ଏକ ପ୍ରଗତିଶୀଳ ଉଦ୍ୟୋଗର ଧାରା ସୃଷ୍ଟି କରିଛନ୍ତି ତାହା ପ୍ରଦର୍ଶନ କରିଥିଲେ ।
ଅନ୍ତିମ ଦିବସର ସନ୍ଧ୍ୟା ଓଡ଼ିଶାର ସୃଜନଶୀଳ ଆତ୍ମା ପାଇଁ ଏକ ପ୍ରମାଣ ଥିଲା । ଏହି ଉତ୍ସବ କଳା, ନୃତ୍ୟ, ସଙ୍ଗୀତ ଏବଂ ଭାବପ୍ରବଣତାର ଏକ ସମ୍ମିଶ୍ରଶ ଭାବେ ପ୍ରଦର୍ଶନ କରାଯାଇଥିଲା । ଓଡ଼ିଶାର ବୁଣାକାରମାନଙ୍କୁ ସମର୍ପିତ ପଦ୍ମଶୀ ଗୁରୁ ଇଲିଆନା ସିତାରିଷ୍ଟ ଏବଂ ତାଙ୍କ ଗ୍ରୁପ ଦ୍ୱାରା ପ୍ରସ୍ତୁତ ‘ସୂତା ଅନୁରାଗ’ ମାଧ୍ୟମରେ ଦିଲ୍ଲୀ ଦର୍ଶକ ଓଡ଼ିଶାର ଆତ୍ମା ସହ ପରିଚିତ ହୋଇ ପାରିଥିଲେ । ମାର୍ସଲ ଆର୍ଟ ଏବଂ ପାରମ୍ପରିକ ଲୋକନୃତ୍ୟ ‘ସୋଲ୍ ଇନ୍ ମୋସନ’, ‘କଳା ଓ କଳାକାର’ଅନୁଷ୍ଠାନ, କଟକ ପକ୍ଷରୁ ପ୍ରାଚୀନ ଲୋକନୃତ୍ୟ ‘ଜୀବନ ଧାରା’ ଦର୍ଶକ ହୋଇଥିଲେ ବିମୋହିତ ।
ବଦ୍ଜବାନୀ ଛଉ ନୃତ୍ୟ ପ୍ରତିଷ୍ଠାନ ପକ୍ଷରୁ ‘ପ୍ରକୃତି ପ୍ରବାହ’ ଦର୍ଶକଙ୍କ ହାର୍ଟବିଟ୍ କୁ ତ୍ୱରାନ୍ୱିତ କରିଥିବା ବେଳେ ‘ମୋକ୍ଷ’ ଦ୍ୱାରା ‘ଅଭିବ୍ୟକ୍ତି’ ନୃତ୍ୟ ମାନବ ଧିଶକ୍ତି ପରିବେଷଣ ଦର୍ଶକଙ୍କୁ ମଂଚ ନିକଟକୁ ଆକର୍ଷିତ କରିଥିଲା । ପାଇକ ଫୁ୍ୟଜନ୍ ‘କଳା ଶକ୍ତି’ ଓଡ଼ିଶାର ସମରଭ୍ୟାସ ଭିଡ଼ ମଧ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଅନ୍ତିମ ଚରଣରେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ସ୍ୱୟଂ ପାଢୀ ଏବଂ ବିଷ୍ଣୁମୋହନ କବିଙ୍କ ପରିବେଷଣ ‘ସ୍ୱରାଞ୍ଜଳି’, ଓଡ଼ିଶାର ସଙ୍ଗୀତ ଐତିହ୍ୟକୁ ଦର୍ଶକଙ୍କୁ କରିଥିଲା ମନ୍ତ୍ରମୁଗ୍ଧ । ଓଡ଼ିଶା ପର୍ବ କେବଳ ଏକ ଆୟୋଜନ ନୁହେଁ-ଏହା ଏକ ଭାବଧାରା ଯାହା ପିଢୀ ପରେ ପିଢୀକୁ ପରମ୍ପରା ଏବଂ ସ୍ୱପ୍ନ ସହିତ ଯୋଡ଼ି ରଖିଛି । ଏହା ଏକ ଏପରି ମଂଚ ଯେଉଁଠାରେ ଅତୀତର କଳା, ଭବିଷ୍ୟତରେ ମଧ୍ୟ ଦେଖିବାକୁ ମିଳିବ ।
-୦-

Leave a Reply

Your email address will not be published. Required fields are marked *