ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୁହ ଭଲିବଲ ପ୍ରତିଯୋଗିତାରେ କେନ୍ଦ୍ରାପଡା ଚମ୍ପିଅନ

କେନ୍ଦ୍ରାପଡ଼ା, ୧୭/୧୦/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୁହ ଭଲିବଲ ପ୍ରତିଯୋଗିତାରେ କେନ୍ଦ୍ରାପଡା ଜିଲା ବିଜୟୀ ହୋଇ ଚମ୍ପିୟନ ଆଖ୍ୟା ଅର୍ଜ୍ଜନ କରିଛି ।  ଗଜପତି ଜିଲାର ପାରଳାଖେମୁଣ୍ଡିରେ ଗତ ୬ତାରିଖ ଠାରୁ ୯ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଗଜପତି ଜିଲା ଶିକ୍ଷା ଅଧିକାରୀ ମାୟାଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଯୋଗିତାକୁ ଗଜପତି ଜିଲାପାଳ ବିଜୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର ମିଞ୍ଜ୍ ଓ ସହକାରୀ କ୍ରୀଡା ନିର୍ଦେଶକ ଜ୍ୟୋତି ପ୍ରସାଦ ପରିଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଏହି ପ୍ରତିଯୋଗିତାରେ ବାଳକ ବିଭାଗରେ ରାଜ୍ୟର ୩୦ଟି ଜିଲା ସମେତ ଭୁବନେଶ୍ୱରକୁ ମିଶାଇ ୩୧ଟି ଦଳ ଅଂଶଗ୍ରହଣ କରିଥିଲେ । ସେହିପରି ବାଳିକା ବିଭାଗରେ ମୋଟ ୧୭ଟି ଦଳ ଅଂଶଗ୍ରହଣ କରିଥିଲେ । ବାଳକ ବିଭାଗରେ ୧୭ବର୍ଷରୁ କମ୍ ବର୍ଗରେ କେନ୍ଦ୍ରାପଡା ଓ ଅନୁଗୁଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ କେନ୍ଦ୍ରାପଡା ଅନୁଗୁଳ ଜିଲାକୁ ପରାସ୍ତ କରି ଚମ୍ପିୟନ ହୋଇଥିଲା । ସେହିଭଳି ୧୭ବର୍ଷରୁ କମ୍ ବର୍ଗର ବାଳିକା ବିଭାଗର ଫାଇନାଲ ମ୍ୟାଚ୍ରେ କେନ୍ଦ୍ରାପଡା ଢେଙ୍କାନାଳ ଜିଲାକୁ ହରାଇ ଚମ୍ପିୟନ ହୋଇଥିଲା । ଉଦଯାପନୀ ଉତ୍ସବରେ କେନ୍ଦ୍ରାପଡା ଜିଲାର ବାଳକ ଓ ବାଳିକା ବିଭାଗର ଚମ୍ପିୟନ ଦଳ ଗଜପତି ଆରକ୍ଷୀ ଅଧୀକ୍ଷକ ସ୍ୱାଥୀ ଏସ. କୁମାରଙ୍କ ଠାରୁ ଚମ୍ପିୟନ ଟ୍ରଫି ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡାର ଜିଲା ଶାରିରୀକ ଶିକ୍ଷା ଅଧିକାରୀ ସ୍ମିତା ପ୍ରତିଭା ସାହୁ, ପରିଚାଳକ ସୁଶାନ୍ତ କୁମାର ଦାସ, ଅନ୍ନପୂର୍ଣ୍ଣା ଜେନା, ସୌଦାମିନୀ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ । ଉଭୟ ବାଳକ ଓ ବାଳିକା ଦଳର କୋଚ ଭାବରେ ଉତ୍କଳ ମହାପାତ୍ର ଯୋଗଦେଇ କେନ୍ଦ୍ରାପଡା ଜିଲାକୁ ଚମ୍ପିୟନ କରାଇବାରେ ସହଯୋଗ କରିଥିଲେ । କେନ୍ଦ୍ରାପଡା ଜିଲା ଚମ୍ପିୟନ ହେବା ପରେ ଜିଲାର ଶିକ୍ଷକ,ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି । ଏଥିନିମନ୍ତେ କେନ୍ଦ୍ରାପଡା ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ୍ ସମସ୍ତ ପ୍ରତିଯୋଗୀ, କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି । ଜିଲାର ୯ଟି ବ୍ଲକର ନୋଡାଲ ସମ୍ପାଦକ ଓ କ୍ରୀଡା ଶିକ୍ଷକମାନେ ଉଭୟ ଚମ୍ପିୟନ ଦଳକୁ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସ୍ୱାଗତ କରିବା ସହିତ ଭବିଷ୍ୟତରେ ଏହି ଧାରାକୁ ଆମ ଜିଲାର ପ୍ରତିଯୋଗୀମାନେ ବଜାୟ ରଖିବାକୁ ଆଶାବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *