ଆଜି ଜନ୍ମମାଟି ରେପାଳିତ ହେଉଛି  ଗଣକବି ବୈଷ୍ଣବ ପାଣି ଙ୍କର ୧୪୨ ତମ ଜୟନ୍ତୀ

ମାହାଙ୍ଗା, ୧୭/୧୦/୨୦୨୪(ଓଡିଶା ସମାଚାର/ ଅଭୟ ଜେନା )-ଗୀତିନାଟ୍ୟ ଜଗତ ର  ମୁକୁଟ ବିହୀନ  ସମ୍ରାଟ,ଗଣ ହୃଦୟର କବି,  ପ୍ରଥିତଯଶା ସାରସ୍ୱତ ସାଧକ ଥିଲେ ଗଣକବି ବୈଷ୍ଣବ ପାଣି ।   ଶହେବର୍ଷ ତଳେ ଲୋକେ ରାତି ରାତି ଅନିଦ୍ରା ହୋଇ ତାଙ୍କର ନାଟକ ଦେଖୁଥିଲେ । କଟକ ଜିଲ୍ଲା ମାହାଙ୍ଗା ଥାନାର ଏକ ଅଖ୍ୟାତ ପଲ୍ଲୀ ଗାଁ’ କୋଠପଦାକୁ ଓଡ଼ିଆ ନାଟ୍ୟ କଳାର ତୀର୍ଥଭୂମିରେ ପରିଣତ କରିଥିବା  ଯାତ୍ରାବାଲା  ହେଉଛନ୍ତି କ୍ରାନ୍ତିଦ୍ରଷ୍ଟା ସାରସ୍ୱତ ସାଧକ ଗଣକବି ବୈଷ୍ଣବ ପାଣି ।  ମାତ୍ର ପଞ୍ଚମ ଶ୍ରେଣୀପର୍ୟ୍ୟନ୍ତ ପାଠ ପଢ଼ି  ରଘୁନାଥ ଜୀୟୁ ମଠରେ ଗାଈ ଜଗୁଆଳି ଭାବରେ ଚାକିରୀ ଓ ତା’ ସହିତ ଠାକୁରଙ୍କ ପାଇଁ ଫୁଲତୋଳା ଓ ଫୁଲଗୁନ୍ଥା କାମ । କୋଠପଦା ମାଇନର ସ୍କୁଲରେ ରୋଷେଇୟା ଦାୟୀତ୍ୱ ମଧ୍ୟ ମିଳିଥିଲା ବୈଷ୍ଣବଙ୍କୁ ।  ୧୯୦୩ ମସିହାରେ ସେ ସୃଷ୍ଟି କଲେ ପ୍ରଥମ ଗୀତିନାଟ୍ୟ ମେଘନାଦ ବଧ । ଯେଉଁ କାଳଜୟୀ ସ୍ରଷ୍ଟା ୧୮୮୨ କୁମାର ପୂର୍ଣ୍ଣିମାରେ ଜନ୍ମହୋଇ ୧୯୫୬ ବୈଶାଖ ଅମାବାସ୍ୟାରେ ଚିରନିଦ୍ରାରେ ଶୋଇଗଲେ । ସେହି  ମହାନ ସାଧକ ଏ ଜାତିକୁ ଦେଇଯାଇଛନ୍ତି ଅଜସ୍ର ଗୌରବଜ୍ୱଳ ସାରସ୍ୱତ ସଂଭାର । ତା’ଙ୍କ ନିର୍ଦ୍ଦେଶିତ ଯାତ୍ରା, ତା’ଙ୍କ ବିରଚିତ ଗୀତିନାଟ୍ୟ, ତା’ଙ୍କ  ନାଟକ, ତା’ଙ୍କ ଭଜନ, ଜଣାଣ, ଛାନ୍ଦ, ଚମ୍ପୁ, ଆତ୍ମଜୀବନୀ ଓ କାହାଣୀ, ସବୁ ଯେମିତି ଓଡ଼ିଆ ବାଣୀ ଭଣ୍ଡାର ପାଇଁ ମହାର୍ଘ୍ୟ ସମ୍ପତ୍ତି ଭାବେ ପରିଗଣିତ । ପାଣିସାହିତ୍ୟକୁ ନେଇ ଅନେକ ଗବେଷଣା ହୋଇଛି । ମାତ୍ର ଗବେଷକ ମାନଙ୍କ ପାଇଁ ପାଠାଗାର ଟିଏ ନାହିଁ  । ତେବେ ଦୁଃଖ ଦୁର୍ଦ୍ଦିନ ଭିତରେ ଜୀବନ ବିତେଇଥିବା ଏହି ଯଶସ୍ବୀ ସ୍ରଷ୍ଟାଙ୍କୁ ତାଙ୍କ ଜନ୍ମମାଟି ଆଜିବି ଝୁରୁଛି, ପୂଜ୍ୟ ପୂଜା ଜାରିରଖିଛି ।  ଜନ୍ମମାଟି କୋଠପଦାରେ ଅଣନାତି ଚନ୍ଦ୍ରଭାନୁ ଆଚାର୍ୟ୍ୟ ଗଣକବି ଙ୍କ ଦ୍ଵାରା ବ୍ୟବହୃତ ନିତ୍ୟ ବ୍ୟବହାର ସାମଗ୍ରୀ ଓ ବହିକୁ ପ୍ରଦର୍ଶିତ  କରିଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି । ତାଙ୍କର ସ୍ମୃତିରେ ଏକ ସଂଗ୍ରହାଳୟ ସ୍ଥାପନ ପାଇଁ ବାରମ୍ବାର ଦାବି କରିଆସୁଛନ୍ତି । ଜୟନ୍ତୀ ଓ ସ୍ମୃତି ସଭା କରିଦେଲେ  ଚଳିବ ନାହିଁ, ପରନ୍ତୁ ସ୍ମୃତି ପାଇଁ ସ୍ଥାୟୀ ବ୍ୟବସ୍ଥା କରିବା ଆବଶ୍ୟକ ଓ ତାଙ୍କଦ୍ୱାରା ଲିଖିତ ବହି ଓ ନିତ୍ୟ ବ୍ୟବହାରଯ୍ୟ ସାମଗ୍ରୀ ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି କେବଳ ପୁର୍ଣିମା ପଡିଲେ ରାଜନେତା ଙ୍କ ବଡ ବଡ଼ ପ୍ରତିଶୃତି ମିଳେ ଓ ଜନ୍ମ ଜୟନ୍ତୀ ସରିଗଲେ ଭୁଲିଯାଆନ୍ତି ବୋଲି ଅଣନାତି ଚନ୍ଦ୍ରଭାନୁ କ୍ଷୋଭ ର ସହ ପ୍ରକାଶ କରିଛନ୍ତି । ତାଙ୍କ ଜନ୍ମ ମାଟିରେ ଥିବା ପ୍ରତିମୂର୍ତ୍ତି ରେ ବହୁ ବିଶିଷ୍ଟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରଥିଲେ । ମାହାଙ୍ଗା ବିକାଶ ପରିଷଦ ପକ୍ଷରୁ ଚଉଦ ଦିନ ବ୍ୟାପୀ ହେବାକୁ ଥିବା ସାରସ୍ୱତ ସମାରୋହ କୁ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ଓ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେ ଆଜି ଉଦଘାଟନ କରିଥିବା ବେଳେ ଅଖିଳେଶ ପଦ ମହାନ୍ତି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ  ।

Leave a Reply

Your email address will not be published. Required fields are marked *