ନିମାପଡା ୦୯/୧୦/୨୦୨୪ (ଓଡ଼ିଶା ସମାଚାର)- ଜଗତ୍ ଜନନୀ ମା ଦୁର୍ଗା ଧରା ପୃଷ୍ଠକୁ ଆଗମନ କରିବେ। ସେଥିପାଇଁ ସବୁଠି ଚାଲିଛି ସାଜସଜ୍ଜା। ପୁର ଠୁ ପଲ୍ଲୀ ପର୍ଯ୍ୟନ୍ତ ଗହଳି। ଦୋକାନ ବଜାରରେ ମଧ୍ୟ ଭିଡ଼ ଦେଖିବାକୁ ମିଳୁଛି। ଏଥିରୁ ବାଦ ପଡିନି ନିମାପଡା। ନିମାପଡା ଜୟଶ୍ରୀ ଛକ ଓ ହାଟ ଛକରେ ଦୁର୍ଗାଙ୍କ ମେଢ଼ ହୋଇଥାଏ। ଏହାକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ ଜମିଥାଏ। ଯାହା ଦ୍ୱାରା ଏବେ ଠାରୁ ନିମାପଡାରେ ଗହଳି ଦେଖିବାକୁ ମିଳୁଛି। ବର୍ତ୍ତମାନ ନିମାପଡା ମୁଖ୍ୟ ରାସ୍ତା ସମ୍ପ୍ରସାରଣ କାମ ଚାଲିଛି। କାକଟପୁର ଓ କୋଣାର୍କକୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଗାଡି ଯାଉଥିବା କାରଣରୁ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳୁଛି। ଡେଲି ପରିବା ବଜାରର ଭିଡ ଓ ବାମନାଳକୁ ମୁଖ୍ୟ ରାସ୍ତା ବଜାର ଦେଇ ଯାଇଥିବା କାରଣରୁ ସନ୍ଧ୍ୟାବେଳେ ଏହି ରାସ୍ତାରେ ମଧ୍ୟ ଭିଡ଼ ଦେଖିବାକୁ ମିଳୁଛି। ସେହି ରାସ୍ତାରେ ମା ଦୁର୍ଗାଙ୍କ ମେଢ଼ ବସୁଥିବା ଯୋଗୁଁ ସେହି ବାଟ ଦେଇ ଅନେକ ଭକ୍ତ ଚାଲି ଚାଲି ଆସିଥାନ୍ତି। ସେଥିପାଇଁ ଏହି ରାସ୍ତାରେ ଅନେକ ଗହଳି ଦେଖିବାକୁ ମିଳେ। ଏଣୁ ଟ୍ରାଫିକ ସମସ୍ୟାକୁ ଆଖି ଆଗରେ ରଖି ନିମାପଡା ଥାନା ଭାରପ୍ରାପ୍ତ ନିରୀକ୍ଷକ ବାମଦେବ ସ୍ୱାଇଁ ସୂଚନା ଦେଇଛନ୍ତି କି ସନ୍ଧ୍ୟା ୫ଟାରୁ ୧୦ ଟା ଯାଏଁ କୌଣସି ଭାରି ଯାନ ନିମାପଡା ଡେଲି ବଜାରରୁ ମେଡିକାଲ ଦେଇ ଆସିପାରିବ ନାହିଁ।ଚାରି ଚକିଆ ଯାନ ଜୟଗୁରୁ ଆଶ୍ରମ ଦେଇ କେନାଲ ବନ୍ଧ ରାସ୍ତାରେ ବଳଙ୍ଗା ଏବଂ ପାଟପୁର ଦେଇ ବାମନାଳ ଯାଇପାରିବ। ଫଳରେ ଟ୍ରାଫିକ ସମସ୍ୟା ଦୂର ହେଇ ପାରିବ।ପାର୍ବଣ ସମୟରେ ଯିଏ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବ ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ମଧ୍ୟ କହିଛନ୍ତି।