ସିଦ୍ଧଳ ରଥଯାତ୍ରା ନିମନ୍ତେ  ପ୍ରସ୍ତୁତି ବୈଠକ

ଜଗତସିଂହପୁର, ୨୨/୦୪/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ବିଜେ ସିଦ୍ଧଳଠାରେ ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କହିଲେ,  ଦେବୋତ୍ତର କମିଶନର ଙ୍କ ନିର୍ଦ୍ଦେଶ କ୍ରମେ ସିଦ୍ଧଳ ମନ୍ଦିର ର ରକ୍ଷଣାବେକ୍ଷଣ ଓ  ଦାୟିତ୍ଵ ନିମନ୍ତେ ଉପ ଜିଲ୍ଲାପାଳ ଙ୍କୁ ଟ୍ରଷ୍ଟୀ ସହ ସରକାରୀ ଅଧିକାରୀ ଙ୍କ ସମେତ ଅନ୍ୟ 8 ଜଣ ମନ୍ଦିର କର୍ତ୍ତୁପକ୍ଷ ଙ୍କୁ ମିଶାଇ ଏକ ୧୧ ଜଣିଆ କମିଟି ଗଠନ କରାଯାଇଛି। ଚଳିତ ବର୍ଷ ରଥଯାତ୍ରା ଶାନ୍ତି ଶୃଙ୍ଖଳା ଏବଂ ଉତ୍ସାହ ର ସହ ପାଳନ କରାଯିବ।

ସମସ୍ତ ବିଭାଗୀୟ ଅଧିକାରୀ ନିଜ ନିଜ କାର୍ଯ୍ୟର ତଦାରଖ ନିମନ୍ତେ ରଥଯାତ୍ରା ର ସ୍ଥାନ କୁ ଯାଇ ସେଠାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପୂର୍ବକ  ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ସମ୍ପାଦନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ରଥଯାତ୍ରା ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଯେପରି ସମ୍ପୂର୍ଣ୍ଣ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ମନ୍ଦିର ପରିଚାଳନା କମିଟି ଓ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବେ। ମନ୍ଦିର ପୁଷ୍କରିଣୀ ର ସୌନ୍ଦର୍ଯ୍ୟ କରଣ ନିମନ୍ତେ ପ୍ରସ୍ତାବ ରଖାଯାଇଥିଲା ଓ ଜିଲ୍ଲାପାଳ ଏଥିପାଇଁ ଉପ ଜିଲ୍ଲାପାଳ ଓ ବିଡିଓ ଙ୍କୁ ଦାୟିତ୍ଵ ଦେଇଥିଲେ। ବୈଠକରେ ରଥ ନିର୍ମାଣ, ସିଦ୍ଧଳ ରୁ ପୁରୋହିତପୁର,ସିଦ୍ଧଳ ଛେଳିଆଗଡ଼, ସିଦ୍ଧଳ ରୁ ଢ଼ିଅସାହି ରାସ୍ତା ମରାମତି, ବଡଦାଣ୍ଡର ଉଭୟ ପାର୍ଶ୍ଵରେ ଆଲୋକ ବ୍ୟବସ୍ଥା , ଗୁଣ୍ଡିଚା ମନ୍ଦିର ନିକଟ କେନାଲ ଉପରେ ସ୍ଲାବ ମରାମତି ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀ, ଜଳସେଚନ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ପାନୀୟ ଜଳ ଯୋଗାଣ,ନଳକୂପ ମରାମତି, ବଡ଼ଦାଣ୍ଡ ନିକଟରେ ଡ୍ରେନ ସଫେଇ,ଅଳିଆ ଆବର୍ଜ୍ଜନା ଓ ଚତୁଃପାର୍ଶ୍ଵ ପରିଷ୍କାର ପରିଚ୍ଛନ୍ନତା, ସାତଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ,ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ଆଇନ୍ ଶୃ୍ଖଳା ଓ ଅଗ୍ନିଶମ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସତ୍ୟବ୍ରତ ଦାଶ, ଡି ଏସ୍ ପି ପ୍ରଭାତ କୁମାର ସେଠୀ, ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ ଗୃହ ନିର୍ମାଣ,ଅତିରିକ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ, ଅତିରିକ୍ତ ତହସିଲଦାର,ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ,  ବଳଦେବଜିଉ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଉପ  ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ। ବଳଦେବଜୀଉ ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀ , ଜ୍ୟୋତି ରଞ୍ଜନ ପରିଡ଼ା,  ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ସୁର ପ୍ରସାଦ ନାୟକ,  ଶରତ କୁମାର ଷଢଙ୍ଗୀ ,ମୁଦୁପୁର,ସରପଞ୍ଚ ,  ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ଶେଷରେ ଉପ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *