ଜେନାପୁରରେ ଅନୁଷ୍ଠିତ ହେଲା ଜୁନିୟର ରକ୍ଷକ କାର୍ଯ୍ୟକ୍ରମ

ଯାଜପୁର ,୦୮/୬/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର )-ଯାଜପୁର ଜିଲ୍ଲା ଜେନାପୁରରେ ଅନୁଷ୍ଠିତ ହୋଇଛି ପରିବହନ ବିଭାଗର ଜୁନିୟର ରକ୍ଷକ କାର୍ଯ୍ୟକ୍ରମ । ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଦୁଇଟି ପର୍ଯ୍ୟାୟରେ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ଆସିଥିବା ୪୦୮ ଜଣ  ଏନସିସି କ୍ୟାଡେଟ ସଡ଼କ ସୁରକ୍ଷା ଓ ଦୁର୍ଘଟଣା ଗ୍ରସ୍ତଙ୍କୁ ସାହାଯ୍ୟ ସମ୍ପର୍କରେ ପ୍ରଶିକ୍ଷଣ ନେଇଥିଲେ । କାର୍ଯ୍ୟକ୍ରମକୁ ଏନସିସି ଲେଫ୍ଟନାଣ୍ଟ କର୍ଣ୍ଣେଲ ଶାନ୍ତନୁ ଦେ ଓ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଅଧିକାରୀ ସମ୍ବିତ କୁମାର ଉଦ୍ଘାଟନ କରିଥିଲେ । ମାଷ୍ଟର ଟ୍ରେନର ଦୀପକ ଚୌଧୁରୀ, ବିଶ୍ଵନାଥ ସେଠୀ, ଲକ୍ଷ୍ମୀନାରାୟଣ ବିଶ୍ଵାଳ ପ୍ରଶିକ୍ଷଣ ଦେଇଥିଲେ । ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାରେ ଗୋଲ୍ଡେନ ଆଓ୍ୱାର ବା ଦୁର୍ଘଟଣା ଘଟିବାର ପରବର୍ତ୍ତୀ ଏକ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ । ଏହି ସମୟ ମଧ୍ୟରେ କିଭଳି ପ୍ରାଥମିକ ଚିକିତ୍ସା ପ୍ରଦାନ କରିହେବ ଓ ତୁରନ୍ତ ହସ୍ପିଟାଲ ପହଞ୍ଚାଯାଇପାରିବ ସେ ଦିଗରେ ପ୍ରଶିକ୍ଷଣ ଦିଆଯାଇଥିଲା ।  ଏହାସହ ଜୁନିୟର ରକ୍ଷକମାନେ ସଡ଼କ ସୁରକ୍ଷାର ବ୍ରାଣ୍ଡ୍ ଆମ୍ବାସଡର ସାଜିବେ । ସେମାନେ ନିଜେ ସମସ୍ତ ନିୟମ ମାନିବା ସହ ନିଜ ପରିବାର, ଆଖପାଖ ଲୋକେ, ସାହିପଡ଼ିଶାରେ ମଧ୍ୟ ସଡ଼କ ସଚେତନତାର ବାର୍ତ୍ତା ବାଣ୍ଟିବେ । ଏହି ଅବସରରେ ଆଞ୍ଚଳିକ ପରିବହନ ଅଧିକାରୀ ସମ୍ବିତ କୁମାର ଗୁଡ ସମରିଟାନ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଥିଲେ, ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରି ଡାକ୍ତରଖାନା ପହଞ୍ଚାଇଲେ ସରକାରଙ୍କ ପକ୍ଷରୁ ୨ ହଜାର ଟଙ୍କା ପୁରସ୍କାରର ବ୍ୟବସ୍ଥା ରହିଛି ।

  ଅନ୍ୟମାନଙ୍କ ମଧ୍ୟରେ ଚଣ୍ଡିଖୋଲ MVI ପଦ୍ମଜା ମହାନ୍ତି ଉପସ୍ଥିତ ଥିଲେ । ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ଦିଗରେ ଏନସିସି ସହଭାଗିତାରେ ପରିବହନ ବିଭାଗର ଏହା ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ । ପୂର୍ବରୁ ବିଭାଗ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ସେଥିରେ ସଫଳତା ମିଳିବା ପରେ ଏହି ପ୍ରୟାସକୁ ବ୍ୟାପକ କରିବାକୁ ‘ଜୁନିୟର ରକ୍ଷକ’ କାର୍ଯ୍ୟକ୍ରମ କରାଯାଉଛି । ମାର୍ଚ୍ଚ ୬ ରେ ଏ ସଂକ୍ରାନ୍ତରେ ଲୋକସେବା ଭବନରେ ପରିବହନ ବିଭାଗ ଓ ଏନସିସି ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଥିଲା ।  ଚଳିତ ବର୍ଷ ସାରା ରାଜ୍ୟରେ ୩୨ ହଜାର ଏନସିସି କ୍ୟାଡେଟଙ୍କୁ ଜୁନିୟର ରକ୍ଷକ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରହିଛି । ପ୍ରଥମ କାର୍ୟ୍ୟକ୍ରମରେ ପୁରୀରେ ଗତ ୧୮ ତାରିଖରେ ୫୭୫ ଏନସିସି କ୍ୟାଡେଟଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏବେ ସମଗ୍ର ରାଜ୍ୟରେ ବ୍ୟାପକ ଭାବେ ଜାରିରହିଛି ।

Leave a Reply

Your email address will not be published. Required fields are marked *