ପିସିସି ସଂଖ୍ୟାଲଘୁ ବିଭାଗର ସାଧାରଣ ସମ୍ପାଦକ ହେଲେ କେନ୍ଦ୍ରାପଡାର ସୟଦ ଅବଦୁଲ ସତାର

କେନ୍ଦ୍ରାପଡ଼ା, ୧୦/୦୩/୨୦୨୪ (ଓଡ଼ିଶା ସମାଚାର)- ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଂଖ୍ୟାଲଘୁ ବିଭାଗର ସାଧାରଣ ସମ୍ପାଦକ ଭାବେ କେନ୍ଦ୍ରାପଡା ସଂଖ୍ୟାଲଘୁ ସଂପ୍ରଦାୟର ବରିଷ୍ଠ ନେତା ସୟଦ ଅବଦୁଲ ସତାରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଅଖିଳ ଭାରତ କଂଗ୍ରେସ କମିଟି ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ ସୟଦ ସତାରଙ୍କୁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ସୟଦ ଅବଦୁଲ ସତାର ଗତ ୨୦୦୮ରୁ ୨୦୨୩ପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲା ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ଭାବେ ସୂଚାରୁ ରୂପେ ଦଳର ସାଂଗଠନିକ କାର୍ଯ୍ୟ କରିଆସିଛନ୍ତି । ଏତଦବ୍ୟତିତ ଦଳର ବରିଷ୍ଠ ନେତା ରଞ୍ଜୀବ ବିଶ୍ୱାଳ ଏବଂ ଧରଣୀଧର ନାୟକ କେନ୍ଦ୍ରାପଡାରୁ ଲୋକସଭା ପାଇଁ ଦଳର ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ସୟଦ ସତାର ଦଳର ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ଦଳ ସପକ୍ଷରେ ସଂଗଠିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏବେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଂଖ୍ୟାଲଘୁ ବିଭାଗର ସାଧାରଣ ସମ୍ପାଦକ ଭାବେ ଦଳ ପକ୍ଷରୁ ମନୋନିତ ହୋଇଥିବାରୁ ସୟଦ ସତାର ଆଗାମୀ ସାଧାରଣ ନିର୍ବାଚନ ପାଇଁ ସଂଖ୍ୟାଲଘୁମାନଙ୍କୁ ସଂଗଠିତ କରି ପିସିସି ନିର୍ଦେଶ ଅନୁସାରେ କାର୍ଯ୍ୟ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି । ଏହି ନିଯୁକ୍ତି ପାଇଁ ସୟଦ ସତାର ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜ୍ଜୁନ ଖାର୍ଗେ, ଅଖିଳ ଭାରତ କଂଗ୍ରେସ କମିଟି ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ଇମ୍ରାନ ପ୍ରତାପ ଗଡି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ କୁମାର ପଟ୍ଟନାୟକ, ପିସିସି ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ମହମ୍ମଦ ଜିଆଉଲ୍ ହକ୍ ଓ ପୂର୍ବତନ କେନ୍ଦ୍ରାପଡା ନଗରପାଳ ମହମ୍ମଦ ଆକବର ଅଲ୍ଲୀ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ନିଯୁକ୍ତି ପାଇବା ପରେ ସୟଦ ସତାରଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *