ପାଣି ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ ପ୍ରତିନିଧିଗଣ 

 ପମ୍ପ ଯୋଗେ ପାଣି କେନାଲ କୁ ଯୋଗାଇବା ପ୍ରତିଶ୍ରୁତି

ନିରାକାରପୁର, ୧୩ /୧୧/୨୦୨୩ (ଓଡ଼ିଶା ସମାଚାର)-କେନାଲ ଜରିଆରେ ଜମିକୁ ପାଣି ଛାଡ଼ିବା ଓ ମରୁଡି ଘୋଷଣା ପାଇଁ ଗତ ୧୧ ତାରିଖରେ ଖୋର୍ଦ୍ଧା ଜିଲ୍ଲା   ନିରାକାରପୁର ଆଞ୍ଚଳିକ ଚାଷୀ କମିଟି ତରଫରୁ ନୂଆ ଜଗନ୍ନାଥ ସଡ଼କ ଅବରୋଧ କରାଯାଇଥିବାବେଳେ ଜିଲ୍ଲା ପ୍ରଶାସନ ତରଫରୁ କିଛି ଅଧିକାରୀ ଆସି  ସୋମବାର  ଦିନ ଜିଲ୍ଲାପାଳଙ୍କ ସହିତ ବୈଠକ ବସିବା ପରେ ଯାହା ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଆଜି ଏକ ପ୍ରତିନିଧି ଦଳ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଲୋଚନା କରିବା ପରେ ଜିଲ୍ଲାପାଳ  ରାମେଶ୍ବର କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଥରେ ୨୫ କେଭି ବଦଳରେ ତୁରନ୍ତ ୧୦୦କେଭି ବିଦ୍ୟୁତ୍   ଟ୍ରାନ୍ସଫରମର   ବସାଇ ପମ୍ପ ଯୋଗେ କେନାଲରେ ପାଣି ଯୋଗାଇ ଚାଷ ବଞ୍ଚାଇବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଫସଲ ଅମଳ ପରେ ମରୁଡି ଘୋଷଣା ସହିତ ଅନ୍ୟ ଦାବି ଗୁଡ଼ିକ ପର୍ଯ୍ୟାୟ କ୍ରମେ ବିଚାର କରି ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ପ୍ରକାଶ ଥାଉ କି  ପାଣି ଅଭାବରୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଂଚଳରେ ଧାନ ଫସଲ ନଷ୍ଟ ହେବାକୁ ବସିଲାଣି। ଚାଷ ଜମି ଶୁଖି ଫାଟି ଆଁ କରି ସାରିଲାଣି। ଧାନ ଥୋଡୁଆ ହେବାକୁ ଯାଉଥିବାବେଳେ ଅଞ୍ଚଳର ଚାଷୀମାନେ ଗତ ୩ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ଦାଶ ଓ ଉଠା ଜଳସେଚନ ପ୍ରକଳ୍ପ ସହକାରୀ ଯନ୍ତ୍ରୀ ରଞ୍ଜନ କୁମାର ମାଝୀ ଙ୍କ ସହିତ ସାକ୍ଷାତ କରି ଚାଷ ଜମିକୁ ଜଳ ଯୋଗାଣ ପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ପରେ ଜିଲ୍ଲାପାଳ ତୁରନ୍ତ ମିଳିତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଅଧିକାରୀ ମାନେ ଉକ୍ତ ଦିନ ଅଞ୍ଚଳକୁ ଉକ୍ତ ଅଧିକାରୀ ମାନଙ୍କ ସହିତ ଆସି ତଦନ୍ତ କରି ଫେରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। କିନ୍ତୁ ଦାବିପତ୍ର ଦେବାର ସପ୍ତାହେ ବିତି ଯାଇଥିଲେ ବି କୌଣସି ପଦକ୍ଷେପ ନ ନିଆଯିବାରୁ ୯ ତାରିଖ ରେ ଚାଷୀ ମାନେ ଏକଜୁଟ ହୋଇ ୨୪ ଘଣ୍ଟାର ମହଲତ ଦେଇ ଏକ ଦାବିପତ୍ର ସ୍ଥାନୀୟ ପୋଲିସ କୁ ପ୍ରଦାନ କରିଥିଲେ। ଯଦି ପ୍ରଶାସନ କୌଣସି ପଦକ୍ଷେପ ନ ନିଏ ତେବେ ଶନି ବାର ୧୧ ତାରିଖ ଦିନ ପ୍ରତିବାଦ ସଭା ଓ ଗଣଧାରଣା ସହିତ ନୂଆ ଜଗନ୍ନାଥ ସଡ଼କ ଅବରୋଧ କରାଯିବ ବୋଲି ଜଣାଇ ଦିଆ ଯାଇଥିଲା । ୧୧ ତାରିଖ ରେ ଶତାଧିକ ଚାଷୀ ବିଭିନ୍ନ ନାରାବାଜି ଦେଇ କେନାଲରେ ଜଳ ଯୋଗାଣ ନଚେତ୍ ମରୁଡି ଘୋଷଣା କରି କ୍ଷତି ପୂରଣ ପ୍ରଦାନ କରିବାକୁ ଦାବି କରିଥିଲେ। ଆଜି ଜିଲ୍ଲାପାଳଙ୍କୁ ଆଞ୍ଚଳିକ ଚାଷୀ କମିଟି ପକ୍ଷରୁ  ବରିଷ୍ଠ ନେତା ବିପିନ କୁମାର ଜୟସିଂହ, ଜିଲ୍ଲା ପରିଷଦ ସଭ୍ୟ ବିଜୟକୁମାର ପାଲଟାସିଂହ, ପ୍ରାକ୍ତନ ସରପଂଚ ହୃଷୀକେଶ ରାଉତରାୟ, ଯୁବ ନେତା ପ୍ରଭାତ କୁମାର ସ୍ୱାଇଁ, ଡିଆ ସରପଂଚ ପ୍ରଶାନ୍ତ କୁମାର ବେହେରା, ଲେଣ୍ଡୁ   ସରପଞ୍ଚ ବିନୋଦିନୀ ଦାଶ  , ନୃସିଂହ ଚରଣ ରାଉତରାୟ, , ଡମ୍ବରୁଧର ପରିଡା, କୈଳାଶ ଚନ୍ଦ୍ର ସାହୁ, ରବି ମାଝୀ ଓ ଧନଞ୍ଜୟ ପାଟ୍ଟଶାଣୀ ପ୍ରମୁଖ  ଚାଷୀ ସାକ୍ଷାତ କରି ଆଲୋଚନା   କରିଥିଲେ।

Leave a Reply

Your email address will not be published. Required fields are marked *