ଓଡିଶା ନର୍ସିଂ କର୍ମଚାରୀ ସଂଘର ୧୦ଦଫା ଦାବିରେ ବିକ୍ଷୋଭ

କେନ୍ଦ୍ରାପଡ଼ା, ୨୮/୯/୨୦୨୪ (ଓଡ଼ିଶା ସମାଚାର)- ଓଡିଶା ନର୍ସିଂ କର୍ମଚାରୀ ସଂଘ କେନ୍ଦ୍ରାପଡା ଜିଲା ଶାଖା ପକ୍ଷରୁ ଶ୍ୟାମଗୁଡିଆସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ୧୦ଦଫା ସମ୍ବଳିତ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେହି ଦାବି ଗୁଡିକ ମଧ୍ୟରେ ୨୦୧୩ମସିହା ନଭେମ୍ବର ୧୨ତାରିଖ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରମାନଙ୍କର ୬ବର୍ଷ ଚୁକ୍ତି ଭିତିକ ଅବଧିକୁ ମୂଳ ଚାକିରୀ ସୀମାରେ ମିଶାଇ ପଦୋନ୍ନତି ଏବଂ ସମସ୍ତ ଆର୍ଥିକ ସୁବିଧା ପ୍ରଦାନ କରାଯିବା, ଯୋଗ୍ୟ ନର୍ସିଂ ଅଫିସରମାନଙ୍କୁ ବରିଷ୍ଠତା ଭିତିରେ ସିନିଅର ନର୍ସିଂ ଅଫିସର ପଦବୀରେ ତୁରନ୍ତ ପଦୋନ୍ନତି ଦିଆଯିବା, ସହକାରୀ ନର୍ସିଂ ଅଧୀକ୍ଷକ ପଦବୀରେ ପଦୋନ୍ନତି ପାଇଁ ଆବଶ୍ୟକ ଥିବା ସ୍ଥିରିକୃତ ଅବଧିକୁ କମ୍ କରି ୧୬ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ସେବା ଯୋଗାଇ ଆସୁଥିବା ବରିଷ୍ଠ ନର୍ସିଂ ଅଫିସରମାନଙ୍କୁ ଏକ ସମୟରେ ଦୁଇଟି ପଦୋନ୍ନତି ଦିଆଯିବା, ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ହୋଇଥିବା ସରକାରୀ ନର୍ସିଂ ଅଫିସରମାନଙ୍କୁ ସିଏଚଓ ପଦବୀରୁ ଫେରାଇଆଣି କ୍ୟାଡର ପୋଷ୍ଟରେ ବିଭିନ୍ନ ସରକାରୀ ଡାକ୍ତରଖାନା ଗୁଡିକରେ ନର୍ସିଂସେବା ଯୋଗାଇ ଦେବା ନିମନ୍ତେ ଠୋସ ପଦକ୍ଷେପ ନିଆଯିବା, ଅନ୍ୟ ରାଜ୍ୟ ଗୁଡିକରେ ଥିବା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏନ.ଏଚ.ଏମ. ଅଧିନରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନୂତନ ସି.ଏଚ.ଓ. ମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବା, କଟକରେ କାର୍ଯ୍ୟକ୍ଷମ ଥିବା ରିଜିଓନାଲ ସ୍ପାଇନାଲ ଇନଜୁରୀ ସେରରେ ୧୮ବର୍ଷ ଧରି କାର୍ଯ୍ୟ କରୁଥିବା ନର୍ସିଂ ଅଫିସରମାନଙ୍କୁ ତୁରନ୍ତ ନିୟମିତ କରାଯିବା, ଏମ.ଏଚ.ୟୁ.ଏବଂ ଆର.ବି.ଏସ.କେ. ଅଧିନରେ ଦୀର୍ଘ ୧୧ବର୍ଷ ଧରି କାର୍ଯ୍ୟ କରୁଥିବା ନର୍ସିଂ ଅଫିସରମାନଙ୍କୁ ତୁରନ୍ତ ନିୟମିତ କରାଯିବା, ନିୟମିତ ହୋଇନଥିବା ଅବଶିଷ୍ଟ ନର୍ସିଂ ଅଫିସରମାନଙ୍କୁ ତୁରନ୍ତ ନିୟମିତ କରାଯିବା, ଏ.ଏଚ.ପି.ଜି.ଆଇ.ସି., କଟକ ଅଧିନରେ କାର୍ଯ୍ୟରତ ଥିବା ନର୍ସିଂ ଅଫିସରମାନଙ୍କୁ ଓଡିଶା ନର୍ସିଂ ଅଫିସର କ୍ୟାଡରରେ ଅନ୍ତର୍ଭୁକ୍ତ କରାଯିବା, ନର୍ସିଂ ଅଫିସରମାନଙ୍କ ଡ୍ରେସ କୋଡ୍ ପରିବର୍ତନ କରାଯିବା ସହିତ ନର୍ସିଂ ସେବା କ୍ୟାଡରରେ ଥିବା ପ୍ରଶାସନିକ ପଦବୀରେ ଡ୍ରେସ କୋଡ୍ ର ପରିବର୍ତନ କରାଯିବା, ଆଉଟସୋର୍ସିଂ ଏଜେନ୍ସି ମାଧ୍ୟମରେ ହେଉଥିବା ନର୍ସିଂ ଅଫିସର ମାନଙ୍କ ନିଯୁକ୍ତିକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହିତ ସରକାରଙ୍କ ପୂର୍ବ ନିଷ୍ପତିକୁ ପ୍ରତ୍ୟାହାର କରାଯିବା, କେବିକେ, କେବିକେ ଏବଂ ଆଦିବାସୀ ସବ୍-ପ୍ଲାନ କଠିନ ଅଂଚଳରେ କାର୍ଯ୍ୟ କରୁଥିବା ନର୍ସିଂ ଅଫିସର ଓ କର୍ମଚାରୀମାନଙ୍କ ପାଇଁ ସ୍ଥାନ ଭିତିକ ପ୍ରୋତ୍ସାହନରାଶି ପ୍ରଦାନ କରାଯିବା, ଯେହେତୁ ନର୍ସିଂ ଅଫିସରମାନେ ଜରୁରୀକାଳୀନ ସେବାରେ ନିୟୋଜିତ ଅଛନ୍ତି ତେଣୁ ସରକାରଙ୍କ ଦ୍ୱାରା ସ୍ଥିରିକୃତ ସମସ୍ତ ସାଧାରଣ ଛୁଟି ଦିନ ବଦଳରେ ନର୍ସିଂ ଅଫିସରଙ୍କ କ୍ଷେତ୍ରରେ କ୍ଷତିପୁରଣ ଛୁଟି ଓ ଦରମା ପ୍ରଦାନ କରାଯିବା ଓ ଏସମ୍ବନ୍ଧରେ ସ୍ଥାୟୀ ନିର୍ଦେଶନାମା ଜାରି କରାଯିବା ପ୍ରଭୃତି ଦାବି ଗୁଡିକ ରହିଛି । ଓଡିଶା ନର୍ସିଂ କର୍ମଚାରୀ ସଂଘର ଆହ୍ୱାନ କ୍ରମେ କେନ୍ଦ୍ରାପଡା ଜିଲା ଶାଖା ପକ୍ଷରୁ ନର୍ସିଂ ଅଫିସରମାନେ ଶ୍ୟାମଗୁଡିଆସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

Leave a Reply

Your email address will not be published. Required fields are marked *