ବିଶ୍ୱ କର୍କଟ ଦିବସରେ ଧର୍ମାନୁଷ୍ଠାନରେ ତମାଖୁ ଓ ଗୁଟୁଖା ନିଷେଧକୁ ନେଇ ସଂକଳ୍ପ କଲେ ସ୍ୱେଚ୍ଛାସେବୀ

ଗଜପତି,୦୫/୦୨/୨୦୨୬ (ଓଡ଼ିଶା ସମାଚାର)- “ଅନନ୍ୟ ଓ ସମ୍ମିଳିତ ପ୍ରୟାସ ଉପଯୋଗରେ କର୍କଟ ରୋଗର ନିରାକରଣ”ର ଯଥାର୍ଥ ମହତ ଉଦେଶ୍ୟ ନେଇ ବିଶ୍ୱ କର୍କଟ ଦିବସ ପରିପ୍ରେକ୍ଷୀରେ ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଜିଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ତଥା ପ୍ରଗତି ମହିଳା ସଙ୍ଗଠନର ସଭାପତି ଲୋକନାଥ ମିଶ୍ର ଓ ସମ୍ପାଦିକା ତନୁଜା ଶତପଥୀ ଓ ଅନ୍ୟ ସ୍ୱେଚ୍ଛାସେବୀ ସଙ୍ଗଠନର ମିଳିତ ସହଯୋଗରେ କର୍କଟ ରୋଗ ନିରାକରଣକୁ ନେଇ ଆଜି ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜଗନ୍ନାଥ ସେବା ଦଳର ବରିଷ୍ଠ ସମାଜସେବୀ ଦୁର୍ଗାମାଧବ ପାଣିଗ୍ରାହୀଙ୍କ ଅନୁରୋଧରେ ଉପସ୍ଥିତ ସ୍ୱେଚ୍ଛାସେବୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନିଶା ହଟାଇବା ନେଇ ସଂକଳ୍ପ କରିଥିଲେ ତଥା ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ପରିସରରେ ତମାଖୁ, ଗୁଟକା ନିଷେଧକୁ କଡ଼ାକଡ଼ି ପାଳନ କରି ଧର୍ମାନୁଷ୍ଠାନକୁ ପରିଷ୍କାର ରଖିବା ନିମନ୍ତେ ଆହ୍ୱାନ ଦେଇଥିଲେ । ପରେ ଏକ ଶୋଭାଯାତ୍ରା ବାହାରି ସମସ୍ତ ନଗରବାସୀଙ୍କୁ ନିଶାସେବନରୁ ନିବୃତ ରହି କର୍କଟ ରୋଗରୁ ନିଜକୁ ସୁରକ୍ଷିତ ରଖିବା ନିମନ୍ତେ ବାର୍ତା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରକାରୀ ଓକିଲ ସୌମ୍ୟ ସୌରଭ ପଟ୍ଟନାୟକ, ସମାଜସେବୀ ଗିରିଶ ପାଲୋ, କୈଳାଶ ବିଶ୍ୱାଳ ତଥା ନିୟତି ଅନୁଷ୍ଠାନ, ବଜରଙ୍ଗ ଦଳ, ବିଶ୍ୱହିନ୍ଦୁ ପରିଷଦର ଅନେକ ସଦସ୍ୟ ଯୋଗଦେଇ ନିଶା ହଠାଅ, ଦେଶ ବଂଚାଅ ଉପରେ ଜୋର ଦେଇ ସମସ୍ତଙ୍କୁ ସଚେତନତାର ବାର୍ତା ଦେଇଥିଲେ ।

Leave a Reply

Your email address will not be published. Required fields are marked *