ଜୁନ ୧୨ ତାରିଖ ସନ୍ଧ୍ୟାରେ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ସମାରୋହ

                        ଜୟଦେବ ବିହାରରୁ ଜନତା ମଇଦାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ଶୋ’

ଭୁବନେଶ୍ୱର,୦୯/୬/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜେପିକୁ ଏକକ ସଂଖ୍ୟା ଗରିଷ୍ଠତା ମିଳିଛି। ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ବିଜେପି ୭୮ ଆସନରେ ବିଜୟୀ ହୋଇଛି। ସେହିପରି ବିଜେଡି ୫୧ ଆସନରେ ଜିତିଥିବାବେଳେ କଂଗ୍ରେସ ୧୪, ସିପିଆଇ ୧ ଏବଂ ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ବିଜୟଲାଭ କରିଛନ୍ତି। ଓଡ଼ିଶାରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ଆସନ୍ତା ୧୦ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଦଳ ପକ୍ଷରୁ ପୂର୍ବରୁ ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଛି। ୧୦ ତାରିଖ ବଦଳରେ ଜୁନ ୧୨ ତାରିଖରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଦଳୀୟ ମୁଖପାତ୍ର ଯତୀନ ମହାନ୍ତି ସୂଚନା ଦେଇଛନ୍ତି। ସେହିପରି ୧୧ ତାରିଖରେ ବିଜେପିର ବିଧାୟକ ଦଳ ବୈଠକ ବସିବ। ସେହିଦିନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।

ପ୍ରାୟ ଅଢ଼େଇ ଦଶନ୍ଧି ପରେ ରାଜ୍ୟବାସୀ ଦେଖିବେ ନୂଆ ମୁଖ୍ୟମନ୍ତ୍ରୀ। ନୂତନ ସରକାର ଗଠନ ହେବ। ନୂଆ ମନ୍ତ୍ରୀମଣ୍ଡଳ ଦେଖିବାକୁ ମିଳିବ। ଏଥିପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି। ରାଜ୍ୟରେ ବିଜେପି ପ୍ରଥମ ଥର ଏକାକୀ ସରକାର ଗଢ଼ିବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ଚେହେରା ଓ ମନ୍ତ୍ରୀମଣ୍ଡଳ ରୂପରେଖ ଉପରୁ ଏପର୍ଯ୍ୟନ୍ତ ପରଦା ହଟୁନି।

ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି ସରକାର ଗଢ଼ିବାକୁ ଯାଉଥିବାରୁ ଶପଥ ଗ୍ରହଣ ସମାରୋହକୁ ସ୍ମରଣୀୟ କରିବା ପାଇଁ ଜନତା ମଇଦାନରେ ଚାଲିଛି ଜୋରଦାର ପ୍ରସ୍ତୁତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବହୁ କେନ୍ଦ୍ରମନ୍ତ୍ରୀ, ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଶପଥ ସମାରୋହରେ ପ୍ରାୟ ୫୦ ହଜାର ଲୋକଙ୍କ ସମାଗମ ହେବା ଯୋଜନା ଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

୧୨ ତାରିଖରେ ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ଶୋ’ ଅନୁଷ୍ଠିତ ହେବ । ୧୨ ତାରିଖ ବୁଧବାର ସନ୍ଧ୍ୟାରେ ଜୟଦେବ ବିହାରରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍ ସୋ କରିବେ ମୋଦୀ । ରୋଡ୍ ଶୋ’ କରି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ଆସିବେ ମୋଦୀ ।

Leave a Reply

Your email address will not be published. Required fields are marked *