ସୁଭଦ୍ରା ହିତାଧିକାରୀମାନଙ୍କୁ ଡିବିଟି ମାଧ୍ୟମରେ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ

କେନ୍ଦ୍ରାପଡ଼ା, ୧୭/୯/୨୦୨୪ (ଓଡ଼ିଶା ସମାଚାର)- ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୭୪ତମ ଜନ୍ମଦିବସରେ ଭୁବନେଶ୍ୱର ଜନତା ମଇଦାନରେ ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀମାନଙ୍କୁ ଡିବିଟି ମାଧ୍ୟମରେ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରାପଡ଼ା ଜିଲାର ପ୍ରତ୍ୟେକ ବ୍ଲକ ଓ ପୌରପରିଷଦ ପକ୍ଷରୁ ସିଧା ପ୍ରସାରଣ ନିମନ୍ତେ ବ୍ୟବସ୍ଥା କରାଯାଇଥିଲା । ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀ ଓ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ସଦସ୍ୟାମାନେ କେନ୍ଦ୍ରାପଡ଼ା ବ୍ଲକ ପକ୍ଷରୁ ଆୟୋଜିତ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଏଲଇଡି ମାଧ୍ୟମରେ ଦେଖିଥିଲେ । ବ୍ଲକ ଓ କେନ୍ଦ୍ରାପଡ଼ା ପୌରପରିଷଦ ପକ୍ଷରୁ ଇଚ୍ଛାପୁର ମଉସୀମା ମନ୍ଦିର ନିକଟରେ ମିଳିତ ଭାବେ ମଙ୍ଗଳବାର ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, କେନ୍ଦ୍ରାପଡ଼ା ବିଡିଓ ବନ୍ଦନା ଖଟୁଆ, ଡେପୁଟି କଲେକ୍ଟର ପଲ୍ଲବୀ ପ୍ରିୟଦର୍ଶନୀ, କୁଇନ ଜେନା, ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ସ୍ୱାଇଁ, କେନ୍ଦ୍ରାପଡ଼ା ପୌରପରିଷଦ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଏବିଡିଓ ଅନିରୁଦ୍ଧ ବେହେରା, ସିଡିପିଓ କବିତା ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଯୋଜନା ଅଧୀନରେ “ସ୍ୱଚ୍ଛତା ହିଁ ସେବା-୨୦୨୪” କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ପୌରପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ କର ଉପସ୍ଥିତ ସମସ୍ତ ହିତାଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟା ଏବଂ ଅନ୍ୟମାନଙ୍କୁ ସ୍ୱଚ୍ଛତାର ଶପଥ ପାଠ କରାଇଥିଲେ । ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଯୋଜନା ଏକ ଦଶନ୍ଧି ଧରି କାର୍ଯ୍ୟ କରୁଥିବା ବେଳେ ଏହାକୁ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି ଏବଂ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସ୍ୱଚ୍ଛତା ହିଁ ସେବା-୨୦୨୪ କାର୍ଯ୍ୟକ୍ରମ ସାରା ଜିଲାରେ ଚାଲୁ ରହିବ । ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ କେନ୍ଦ୍ରାପଡ଼ା ବିଡିଓ ଶ୍ରୀମତୀ ଖଟୁଆ ସୁଭଦ୍ରା ଯୋଜନା ସମ୍ପର୍କରେ ନିଜର ମତ ରଖିଥିବା ବେଳେ ଉପଜିଲାପାଳ ଶ୍ରୀ ପ୍ରଧାନ ସୁଭଦ୍ରା ଯୋଜନା ଯୋଗୁଁ ମହିଳାମାନଙ୍କ ସାମଗ୍ରିକ, ବ୍ୟକ୍ତିଗତ ଓ ଅର୍ଥନୈତିକ ବିକାଶ ସମ୍ଭବ ହେବା ସେଙ୍ଗସେଙ୍ଗ ସେମାନେ ସଶକ୍ତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ରାଜ୍ୟ ସରକାରଙ୍କ ଏହି ମହତାକାଂକ୍ଷୀ ଯୋଜନା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଂଚିବା ପାଇଁ ଜିଲା ପ୍ରଶାସନ ସମସ୍ତ ପ୍ରୟାସ ଜାରି ରଖିଛନ୍ତି ଏବଂ ଏହି ଯୋଜନରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ନ ପଡନ୍ତି ତାର ବ୍ୟବସ୍ଥା କରାଯାଇଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଆଜି ଡିବିଟି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ୨୫ଲକ୍ଷରୁ ଉର୍ଦ୍ଧ ମହିଳାଙ୍କ ବ୍ୟାଙ୍କ ଖାତାକୁ ସୁଭଦ୍ରା ଯୋଜନାର ସହାୟତା ରାଶି ପଠାଇଛନ୍ତି । ଏହି ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୬ଜଣଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ହସ୍ତାନ୍ତର କରାଯାଇଥିବା ବେଳେ ୨୨୫ଜଣଙ୍କୁ ଗୃହ ପ୍ରବେଶ ପାଇଁ ଅନୁମତି(ଚାବି) ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟା, କେନ୍ଦ୍ରାପଡ଼ା ବ୍ଲକ ଓ କେନ୍ଦ୍ରାପଡ଼ା ପୌରପରିଷଦର କର୍ମକର୍ତାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *