ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ଜଗତସିଂହପୁର ଜିଲ୍ଲାରେ ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନର ଆଗୁଆ ପଦକ୍ଷେପ

ଜଗତସିଂହପୁର ୦୯ /୯/୨୦୨୪ (ଓଡ଼ିଶା ସମାଚାର)-ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଯାହାଫଳରେ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସ୍ଥିତ ସଦଭାବନା ସଭାଗୃହରେ  ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ସମ୍ପର୍କରେ ଏକ ସମୀକ୍ଷା ବୈଠକ  ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ୍  ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ତଥା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲାରେ ବିଭିନ୍ନ କାର୍ଯ୍ୟାଳୟ ଗୁଡ଼ିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସଠିକ୍ ଭାବରେ କାର୍ଯ୍ୟକ୍ଷମ କରିବା,ଦୁର୍ବଳ ନଦୀବନ୍ଧ ସ୍ଥାନକୁ ଚିହ୍ନଟ କରି ତୁରନ୍ତ ମରାମତି କରିବା, ବନ୍ୟାଜଳ ଅବାଧରେ ପ୍ରବାହିତ ହେବାପାଇଁ ଡ୍ରେନ ଗୁଡ଼ିକୁ ସଫା କରିବା, ଦୁର୍ବିପାକ ସମୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ସୁବନ୍ଦୋବସ୍ତ କରିବା, ନଳକୂପ ଗୁଡ଼ିକର ମରାମତି କରିବା, ଦୁର୍ଗମ ତଥା ପ୍ରଭାବିତ ଅଞ୍ଚଳରେ ଖାଦ୍ୟ ପଦାର୍ଥ ମହଜୁଦ ରଖିବା, ଶୁଖିଲା ଖାଦ୍ୟ ରଖିବା,  କ୍ଷତିଗ୍ରସ୍ତ ହେବାକୁ ଥିବା ଫସଲ ଆଦିର ଆକଳନ କରିବା, ସ୍ୱାସ୍ଥ୍ୟ, ଗୋଖାଦ୍ୟ ଯୋଗାଣ, ମତ୍ସ୍ୟ ଚାଷ, ଉଦ୍ୟାନ କୃଷି ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା। ଏତଦବ୍ୟତୀତ ସହରାଞ୍ଚଳ ରେ ପ୍ରବଳ ବର୍ଷା ଯୋଗୁଁ ଟ୍ରାଫିକ ସମସ୍ୟା ର ସମାଧାନ, ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି କରିବା, ଅତ୍ୟାବଶ୍ୟକୀୟ ସେବା ଯଥା ବିଦ୍ୟୁତ୍, ଟେଲିଫୋନ, ଗମନାଗମନ, ସ୍ବାସ୍ଥ୍ୟ, ପାନୀୟ ଜଳ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ  ହୋଇଥିବା କଚାଘର ଗୁଡିକୁ ପଲିଥିନ ଯୋଗାଇବା,ବନ୍ୟା ସମୟରେ ସାପ କାମୁଡାରେ ଏବଂ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଲୋକଙ୍କ ରିପୋର୍ଟ ତୁରନ୍ତ ପ୍ରଦାନ କରିବାକୁ ତହସିଲଦାର ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ବ୍ଲକ ଗୁଡିକରେ ସ୍ଥାନୀୟ ଆଇ.ଆଇ.ସି,କନିଷ୍ଠ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଏକ କମିଟି ଗଠନ କରିବା  ସହ ପରିସ୍ଥିତିର ମୁକାବିଲା  ନିମନ୍ତେ ପ୍ରସ୍ତୁତ ରହିବାକୁ ଶ୍ରୀ ରାଉତ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ , ଉପଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଡେପୁଟି କଲେକ୍ଟର, ଜରୁରୀ ବିଭାଗ, ସନ୍ଧ୍ୟାଞ୍ଜଳୀ ମାଝୀ , ସମସ୍ତ ବ୍ଳକ ର ବିଡିଓ, ତହସିଲଦାର, ପୌର ନିର୍ବାହୀ ଅଧିକାରୀ ଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *