କେନ୍ଦ୍ରାପଡ଼ା, ୦୩/୯/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ପକ୍ଷରୁ ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଉପଲକ୍ଷେ ଆସନ୍ତା ସେପ୍େଟମ୍ବର ୫ତାରିଖ ୨୦୨୪ରେ କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟ ପଡିଆରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପବିତ୍ର ଗୁରୁଦିବସରେ ଆମ ଜିଲାର ୯ଟି ବ୍ଲକରୁ ୧୦୫୪ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରାଯିବ । ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ପ୍ରେରଣା ଯୋଗାଇବା ଏବଂ ଅନ୍ୟମାନଙ୍କୁ ଉତ୍ସାହିତ କରିବା ହେଉଛି ଏହି ଶିକ୍ଷା ପୁରସ୍କାର କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହାର ସଫଳ ରୂପାଯନ ନିମନ୍ତେ ଚୂଡ଼ାନ୍ତ ପ୍ରସ୍ତୁତି ହୋଇସାରିଛି । ସମସ୍ତ ବ୍ଲକରୁ ପିଲାମାନଙ୍କୁ ନେବା ଆଣିବା ପାଇଁ ବସର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପିଲାମାନେ ସକାଳ ସାଢେ୬ଟାରେ ସ୍ୱତନ୍ତ୍ର ବସ୍ ଯୋଗେ ନିଜ ବ୍ଲକରୁ ବାହାରି ସକାଳ ୮.୧୫ ମିନିଟ ମଧ୍ୟରେ କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟ ପଡିଆରେ ପହଁଚିବେ । ପିଲାମାନେ ଯେପରି କଲେଜ ପଡିଆରେ ଠିକ ସମୟରେ ପହଂଚି ପାରିବେ ସେଥି ପାଇଁ ବ୍ଲକ ଶିକ୍ଷା ଅଧିକାରୀ ଓ ସିଆରସିସି ମାନଙ୍କୁ ଜିଲାପାଳ ନିର୍ଦ୍ଧେଶ ଦେଇଛନ୍ତି । ସଭାସ୍ଥଳୀରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ରଭାବେ ଟେନ୍ଟ, ଚେୟାର, ଟିଫିନ, ମଧ୍ୟାହ୍ନ ଭୋଜନ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ଏହା ସହିତ ଆମ୍ବୁଲାନ୍ସ ସେବା, ଅଗ୍ନିଶମ ସେବା, ପରିଷ୍କାର ପରିଛନ୍ନତା, ସୁରକ୍ଷା ବ୍ୟବସ୍ଥାର କଡାକଡି ପାଳନ ପାଇଁ ଜିଲାପାଳ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଧେଶକ୍ରମେ ଜିଲାରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ଜିଲାପାଳ କାର୍ଯ୍ୟରେ ନିୟୋଜିତ କରିଛନ୍ତି । ଏହି ଜିଲାସ୍ତରୀୟ କାର୍ଯ୍ୟକ୍ରମ ସକାଳ ଘ.୯.୦୦ରୁ ଘ.୧.୦୦ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।