ନିଶ୍ଚିନ୍ତକୋଇଲି, ୧୩/୧୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓରିକଣ୍ଟା ଲାଲବାହାଦୁର ବିଦ୍ୟାପୀଠ ର ୭ଜଣ ଶିକ୍ଷକଙ୍କ ଦରମା ବନ୍ଦ ପାଇଁ ସୁପାରିଶ କରିଛନ୍ତି ବିଧାୟକ । ମହଙ୍ଗା ପଡିଛି ଶିକ୍ଷାଦାନ ସମୟରେ ପାଠ ନପଢାଇ ପରସ୍ପର ମଧ୍ୟରେ ଗପସପ କରିବା । ଏଥିପାଇଁ ସମ୍ପୃକ୍ତ ଶିକ୍ଷକମାନଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ସୁପରିଶ କରିଛନ୍ତି କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ।
ବିବରଣୀ ରୁ ପ୍ରକାଶ ଯେ, ଏହି ବିଦ୍ୟାଳୟର ଶିକ୍ଷକମାନେ ସ୍କୁଲରେ ଗୁଲିଖଟି କରୁଥିବା ନେଇ ଅଭିଭାବକମାନେ ବିଧାୟକଙ୍କ ନିକଟରେ ପୂର୍ବରୁ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ କଟକ ସଦର ବିଧାୟକ ଶ୍ରୀ ସେଠୀ ଅଚାନକ ସ୍କୁଲ ପରିଦର୍ଶନ କରିଥିଲେ। ବିଧାୟକ ସ୍କୁଲକୁ ଯାଇ ପିଲାମାନେ ବାହାରେ ବୁଲୁଥିବା ଦେଖିବାକୁ ପାଇ ଥିଲେ।
ଏହା ସହ ୭ ଜଣ ଶିକ୍ଷକ ବସି ଗୁଲିଖଟି କରୁଥିବା ଦେଖି ଥିଲେ। ଅନ୍ୟପଟେ କେତେକ ଶିକ୍ଷକ ମଧ୍ୟ ସ୍କୁଲରେ ଉପସ୍ଥିତ ନଥିଲେ। ବିଧାୟକ ଏସବୁ ଦେଖି ବିରକ୍ତି ପ୍ରକାଶ କରିଥିଲେ। ଏହା ସହ କାର୍ଯ୍ୟରେ ଅବହେଳା ପାଇଁ ୭ ଜଣ ଶିକ୍ଷକଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ସୁପାରିଶ କରିଛନ୍ତି। ବିଧାୟକ ପିଲାମାନଙ୍କୁ ଡାକି ବିଭିନ୍ନ ବିଷୟ ଯଥା ଇଂରାଜୀ, ସଂସ୍କୃତ, ବିଜ୍ଞାନ ବିଷୟରେ ପଚାରିଥିଲେ। କିଛି ପିଲା ସଠିକ ଉତ୍ତର ଦେଇଥିଲା ବେଳେ ଆଉ କିଛି ପିଲା ଉତ୍ତର ଦେଇ ପାରିନଥିଲେ। ଯଦ୍ୱାରା ବିଧାୟକ ଶ୍ରୀ ସେଠୀତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
