ପୁରୀ,୦୧/୯/୨୦୨୪ (ଓଡ଼ିଶା ସମାଚାର)-ଓଡ଼ିଶା ପରିବେଶ ସମିତି ତଥା ସାମନ୍ତ ଚନ୍ଦ୍ର ଶେଖର ଉଦ୍ଭିଦ ବିଜ୍ଞାନୀ ସଂଘର ମିଳିତ ଆନୁକୁଲ୍ୟରେ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ, ପୁରୀ ଠାରେ ଶନିବାର ସକାଳବେଳା ବୃକ୍ଷରୋପଣ ଏବଂ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସଂଘର ସଭାପତି ପ୍ରଫେସର ବାମନ ଚନ୍ଦ୍ର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଶା ପରିବେଶ ସମିତିର ସଭାପତି ଡ.ସୁନ୍ଦର ନାରାୟଣ ପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦାନ କରି ବିଶ୍ୱତାପନ ଓ ପରିବେଶ ପ୍ରଦୂଷଣ ଜନିତ ଆହ୍ଵାନ ର ମୁକାବିଲା ପାଇଁ ବ୍ୟାପକ ବୃକ୍ଷ ରୋପଣ ର ଜରୁରୀ ଆବଶ୍ୟକତା ସମ୍ପର୍କରେ ମନ୍ତବ୍ୟ ରଖିଥିଲେ। ଓଡ଼ିଶା ପରିବେଶ ସମିତିର ଉପ ସଭାପତି ଡକ୍ଟର ଲାଲା ଅଶ୍ଵିନୀ କୁମାର ସିଂହ ଏବଂ ଯୁଗ୍ମ ସମ୍ପାଦକ ଇଞ୍ଜିନିୟର ମନୋରଞ୍ଜନ ମିଶ୍ର ବୃକ୍ଷ ରୋପଣ ତଥା ପରିବେଶ ଧର୍ମୀ ଜୀବନ ଶୈଳୀ ଅବଲମ୍ବନ ନିରନ୍ତର ବିକାଶ ଲକ୍ଷ୍ୟ ହାସଲରେ କିଭଳି ବଳିଷ୍ଠ ଭୂମିକା ପ୍ରତିପାଦନ କରିପାରେ ସେ ବିଷୟରେ ବିଭିନ୍ନ ଉଦାହରଣ ମାଧ୍ୟମରେ ନିଜ ନିଜର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ।
ଏଥିରେ ସଂଘର ଉପସଭାପତି ଡଃ. ଗୁରୁ ଚରଣ ନାୟକ, ସମ୍ପାଦକ ଉଦୟ ଶଙ୍କର ଆଚାର୍ଯ୍ୟ, ଯୁଗ୍ମ ସମ୍ପାଦକ ଡ଼ଃ. ବିଭୁତି ଭୂଷଣ ଚମ୍ପତି, ବିଶେଷ ଅତିଥି ଡଃ. ଅଭିମନ୍ୟୁ ଭୁୟାଁ, ଡଃ. ଚିତ ରଞ୍ଜନ ଦ୍ଵିବେଦୀ, ଚିନ୍ମୟ କାଣ୍ଡି, ଲିପ୍ସା, ଡଃ. ସନ୍ଦିପନା ମିଶ୍ର, ଡ଼ଃ. ସ୍ନେହ ଲତା ପ୍ରଧାନ, ନିବେଦିତା ନାୟକ ତଥା ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଯୋଗ ଦାନ କରିଥିଲେ।ସଭା କାର୍ଯ୍ୟ ଶେଷରେ ସଂଘ ର କୋଷାଧ୍ୟକ୍ଷ ଅଶୋକ କୁମାର୍ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ସଚେତନତା ସଭା କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷ ପ୍ରଫେସର ମିହିର କୁମାର ମିଶ୍ର ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଗହଣରେ ଏବଂ ପରିବେଶ ସମିତି ର କର୍ମକର୍ତ୍ତାମାନଙ୍କ ସହଯୋଗରେ ମହାବିଦ୍ୟାଳୟ ପରିସରରେ ଅଶୋକ, ଅର୍ଜୁନ, ସ୍ବଣ୍ଣଚମ୍ପା , ବଉଳ, ପାଟୁଳି, ଜାମୁକୋଳି ବୃକ୍ଷ ଚାରା ରୋପଣ କରିଥିଲେ।